ନକଲି ଚେକ୍ ଦେଇ ଏକ କୋଟିର କାର୍ କିଣି ଗିରଫ ହେଲେ ଯୁବକ

Published: Aug 6, 2020, 6:43 pm IST

ଫ୍ଲୋରିଡା : ଫ୍ଲୋରିଡାର ଜନୈକ ଯୁବକ ନକଲି ଚେକ୍ ଜରିଆରେ ଏକ କାର୍ କିଣି ଜେଲ୍ ଯାଇଛନ୍ତି । ଯୁବକ ଜଣକ ନିଜ ଘରେ ରଖିଥିବା କମ୍ପ୍ୟୁଟରରେ ଏକ ନକଲି ଚେକ୍ ପ୍ରସ୍ତୁତ କରିବା ସହିତ ଉକ୍ତ ଚେକ୍ ଜରିଆରେ ଏକ ପୋର୍ସେ କାର୍ କିଣିଥିଲେ । ଫ୍ଲୋରିଡାର 42 ବର୍ଷୀୟ ୱିଲିୟମ୍ କେଲି ନକଲି ଚେକ୍ ବ୍ୟବହାର କରିବା ସହିତ ପୋର୍ସେ 911 ଟର୍ବୋ କାର୍ଟି କିଣିଥିଲେ । ଡେଷ୍ଟିନରେ ଓକାଲୁସା କାଉଣ୍ଟିର ଏକ କାର୍ ସୋ ରୁମ୍ରୁ କେଲି କାର କିଣିବା ସହିତ 139, 203.05 ଡଲାରର ଚେକ୍ ପ୍ରଦାନ କରିଥିଲେ । ଜୁଲାଇ 27 ତାରିଖରେ କାର୍ଟି କିଣିବା ପରେ ଚେକ୍ଟି ବାଉନ୍ସ ହେବାରୁ କାର୍ଟି ଚୋରି ହୋଇଥିବା ନେଇ ସୋରୁମ୍ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ କେବଳ କାର୍ ଚଳାଇ ନଥିଲେ ବରଂ ଏହାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ତେବେ ଏକ ରୋଲେକ୍ସ ଘଣ୍ଟା କିଣିବାକୁ ଯାଇ ଅଭିଯୁକ୍ତ ଜଣକ ଧରା ପଡି ଯାଇଥିଲେ । ୱାଲଟନ୍ କାଉଣ୍ଟରୁ ଘଣ୍ଟା କିଣିବା ସମୟରେ ଚେକ୍ଟି କ୍ଲିୟର୍ ନହେବାରୁ ଦୋକାନୀ ଥାନାରେ ଖବର ଦେଇଥିଲେ । ପୋଲିସ କେଲୀଙ୍କୁ ଗିରଫ କରିବା ପରେ କାର୍ ଘଟଣା ସମ୍ମୁଖକୁ ଆସିଥିଲା (ଏଜେନ୍ସି)

Related posts