ରାଷ୍ଟ୍ରପତି ଭବନରେ ଥିବା ସେନା ନିବାସରେ ଜଣେ ଯବାନଙ୍କ ଆତ୍ମହତ୍ୟା

Published: Sep 9, 2020, 12:40 pm IST
ନୂଆଦିଲ୍ଲୀ, ରାଷ୍ଟପତି ଭବନରେ ଥିବା ସେନା ନିବାସରେ ଜଣେ ଆର୍ମି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ଭୋର ପ୍ରାୟ 4 ଟା ସମୟରେ ପୋଲିସ ଏକ କଲ ପାଇଥିଲା ଯେ 38 ବର୍ଷିୟ ଟେକ୍ ବାହାଦୂର ଥାପା ନିବାସ ଭିତରେ ଥିବା ଏକ ସିଲିଂ ଫ୍ୟାନରେ ଝୁଲୁଛନ୍ତି। ସାଉଥ୍ ଏଭେନ୍ୟୁ ପୋଲିସ୍ ଷ୍ଟେସନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ନୂଆଦିଲ୍ଲୀର ଅତିରିକ୍ତ ଡିସିପି ଦୀପକ ଯାଦବ କହିଛନ୍ତି, “ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ଏ ପର୍ଯ୍ୟନ୍ତ କୈଣସି ଆତ୍ମହତ୍ୟା ନୋଟ୍ ମଧ୍ୟ ମିଳି ନାହିଁ। ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ।” ତେବେ ସୂତ୍ରରୁ ପ୍ରକାଶ ଯେ ଥାପା ବେସ ହସ୍ପିଟାଲରେ ଉଚ୍ଚ ରକ୍ତଚାପ ପାଇଁ ଚିକିତ୍ସିତ ହେଉଥିଲେ।

ଥାପାଙ୍କୁ ଗୋର୍ଖା ରାଇଫଲ୍ସରେ ପୋଷ୍ଟିଂ କରାଯାଇଥିଲା ଏବଂ ସେ ନେପାଳର ବାସିନ୍ଦା। ପୋଲିସର ସୂଚନା ଅନୁସାରେ, ଯେତେବେଳେ ତାଙ୍କ ରୁମମେଟମାନେ ଶୋଇଥିଲେ ସେତେବେଳେ ସେ ଏହି ଚରମ ପଦକ୍ଷେପ ନେଇଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇ ତଦନ୍ତ ଆରମ୍ଭ ହୋଇଛି।

Related posts