ସ୍ତ୍ରୀଙ୍କ ଉପରେ ରାଗି ତିନି ଛୁଆଙ୍କ ତଣ୍ଟି ଚିପିବା ପରେ ଆତ୍ମହତ୍ୟା କଲେ ବ୍ୟକ୍ତି

Published: Sep 13, 2020, 1:06 pm IST

ମଧ୍ୟପ୍ରଦେଶ : ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଉପରେ ରାଗି ନିଜ ତିନି ନିରୀହ ଶିଶୁକୁ ତଣ୍ଟି ଚିପି ହତ୍ୟା କରିବା ସହ ଶେଷରେ ନିଜ ଜୀବନ ଦେଇଛି । ମିଳିଥିବା ସୂଚନା ଅନୁସାରେ, ସ୍ତ୍ରୀଜଣକ ବାପଘରୁ ନ ଆସିବା ଯୋଗୁଁ ରାଗରେ ବ୍ୟକ୍ତିଜଣକ ଏପରି କାଣ୍ଡ ଭିଆଇଛନ୍ତି ।

ଏହି ଘଟଣା ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ଘଟିଛି ।  ମିଳିଥିବା ସୂଚନା ଅନୁସାରେ କଛାରଟୋଲା ଗ୍ରାମ ନିବାସୀ ଅନ୍ତୁ ଓରଫ୍‌ ଭୁରା ସିଂହ ପୁସାମଙ୍କ ସ୍ତ୍ରୀ ତିନି ଶିଶୁକୁ ନେଇ ବାପଘରକୁ ଯାଇଥିଲେ । ସ୍ତ୍ରୀକୁ ଆଣିବାକୁ ଶଶୁର ଘରକୁ ଯାଇଥିଲେ। କିନ୍ତୁ ସ୍ତ୍ରୀ ଜଣକ ବାପଘରୁ ଆସିବାକୁ ମନା କରିଥିଲେ। ଏହା ପରେ ସ୍ବାମୀ ଜଣକ ତିନି ଶିଶୁଙ୍କ ସହ ସେ ନିଜ ଗ୍ରାମକୁ ଫେରୁଥିଲେ । କିନ୍ତୁ ରାସ୍ତାରେ ସେ ନିଜ ସ୍ତ୍ରୀଙ୍କ ଉପରେ ରାଗରେ ତିନି ଶିଶୁଙ୍କ ତଣ୍ଟି ଚିପିଥିଲେ ।

ମୃତକଙ୍କ ସମ୍ପର୍କୀୟ ଶିଶୁଙ୍କ କ୍ରନ୍ଦନ ଶୁଣି ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଯେ, ଅଭିଯୁକ୍ତ ଅନ୍ତୁଙ୍କ ଶବ ଗଛରେ ଝୁଲି ରହିଥିବାବେଳେ ତାଙ୍କ ଗୋଡ ପାଖରେ ତିନି ଶିଶୁ ପଡିରହିଥିଲେ । ତିନି ଶିଶୁଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ନିଃଶ୍ବାସ ପ୍ରଶ୍ବାସ ଚାଲୁଥିଲା ।

ଏହି ଘଟରା ସମ୍ପର୍କରେ ପୋଲିସ୍‌ରେ ସୂଚନା ଦେବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ତିନି ଶବକୁ ଉଦ୍ଧାର କରିବ ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିବାବେଳେ ଗୁରୁତର ହୋଇଥିବା ଶିଶୁକୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା ।

ତେବେ ଏହି ଘଟଣାର ବାସ୍ତବ ତଥ୍ୟ ସାମ୍ନାକୁ ଆସିନଥିବାବେଳେ  ସ୍ତ୍ରୀ ବାପ ଘରକୁ ଯିବା ପରେ ଅନ୍ତୁ ମାନସିକ ବିଷାଦରେ ରହୁଥିବାର ସୂଚନା ରହିଛି । ମାନସିକ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଘଟାଇଥିବାର ଆଶଙ୍କା କରାଯାଇଛି । (ଏଜେନ୍ସି)

Related posts