ଚିଲିକାରେ ରୋଷେଇ କରିବା ବିଷୟକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ମନାନ୍ତର: ନାବାଳିକାଙ୍କ ବିଷପିଇ ଆତ୍ମହତ୍ୟା

Published: Sep 25, 2020, 10:44 am IST

ସୀତାରାମ ଅଗ୍ରୱାଲ

ଚିଲିକା: ରୋଷେଇ କରିବାକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ମନାନ୍ତର ହେବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଙ୍କୁଲା ଚଟି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଖବର ସଂଗ୍ରହରୁ ଜଣାପଡିଛି ଯେ ଗତକାଲି ସନ୍ଧ୍ୟା ବେଳେ ଆଙ୍କୁଲା ଚଟି ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ନିଜ ଘରେ ଥିବା ସମୟରେ ରୋଷେଇ କରିବା ବିଷୟକୁ ନେଇ ନିଜ ଭଉଣୀଙ୍କ ସହ ତାଙ୍କର ଝଗଡା ହୋଇଥିଲା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନାବାଳିକା ଜଣକ ରାଗିକରି କିଛି କୀଟନାଶକ ଜାତୀୟ ପଦାର୍ଥ ସେବନ କରିଦେଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ହେଲେ ୧୦୮ ଆମ୍ବୁଲାନ୍ସ ବାଲୁଗାଁ ଡାକ୍ତରଖାନାକୁ ପହଁଚିବା ଭିତରେ ଜନୈକ ନାବାଳିକାଙ୍କ ମେଡିକାଲ ପରିସରରେ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଁଚି କେସ ନମ୍ବର ୮/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି। ଜନୈକ ନାବାଳିକା ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀ ପରିବାର ର ହୋଇଥିବାବେଳେ ତାଙ୍କ ବାପା ମା ଉଭୟ ଶ୍ରମିକ ଭାବେ କାର୍ଯ୍ୟକରନ୍ତି। କୋମଳମତି ବୟସରେ ନିଜ ଝିଅକୁ ହରେଇ ଭାଙ୍ଗିପଡିଛନ୍ତି ନାବାଳିକା ଙ୍କ ବାପା ମା ଏବଂ ପରିବାରବର୍ଗ। ଏହାକୁ ନେଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Related posts