ବାଣପୁର ଆକ୍ସିସ ବ୍ୟାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟିନେଲେ ମୋବାଇଲ ଓ ପଇସା

Published: Oct 14, 2020, 9:43 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଆକ୍ସିସ ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ମାଡ଼ ମାରି ଲୁଟି ନେଇଛନ୍ତି ମୋବାଇଲ ଏବଂ ହଜାର ହଜାର ଟଙ୍କା। ଏ ନେଇ ବାଣପୁର ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ କର୍ମଚାରୀ। କର୍ମଚାରୀ ଜଣକ ହେଲେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସାଗର ବେହେରା।

ସାଗର ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ ଗତକାଲି ରାତିରେ ବ୍ୟାଙ୍କ କାମ ସାରି ସେ ନିଜ ଘରକୁ ଫେରୁଥିବାବେଳେ ପାଖାପାଖି ୯:୧୫ ମିନିଟ ସମୟରେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ସରନଇ ଓଭରବ୍ରିଜ ତଳେ ପଛପଟୁ ତିନି ଜଣ ଦୁର୍ବୁତ୍ତ ହିରୋ ଗ୍ଲାମର ମଟରସାଇକେଲରେ ଆସି ତାଙ୍କ ମଟରସାଇକେଲକୁ ଧକ୍କା ଦେଇଥିଲେ ଫଳରେ ସାଗର ତଳେ ପଡିଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଦୁର୍ବୁତ୍ତ ମାନେ ସାଗରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାସହ ତାଙ୍କ ମୋବାଇଲ ଏବଂ ପର୍ସ ନେଇଯାଇଥିଲେ। ପର୍ସ ମଧ୍ୟରେ ୩୪୦୦ ଟଙ୍କା ଥିବା ସାଗର କହିଛନ୍ତି।

ଏହାପରେ ଉକ୍ତ ରାସ୍ତା ଦେଇ କାରରେ ଯାଉଥିବା ଦୁଇଜଣ ଗାଡ଼ି ଚାଳକ ସାଗରଙ୍କୁ ତଳୁ ଉଠାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିକଟସ୍ଥ ସରନଇ ଗ୍ରାମକୁ ନେଇଥିଲେ। ଏ ସବୁ ଘଟଣା ସାଗର ବାଣପୁର ଆକ୍ସିସ ବ୍ୟାଙ୍କ ମ୍ୟାନେଜରଙ୍କୁ ଅବଗତ କରାଇବାପରେ ତାଙ୍କ ପରାମର୍ଶ ଅନୁଯାୟୀ ଆଜି ସଂଧ୍ୟାରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବାପାଇଁ ସାଗର ବାଣପୁର ଥାନା ଆଇ.ଆଇ.ସି ଙ୍କୁ ନିବେଦନ କରିଛନ୍ତି।

 

Related posts