ପୁଣି ଗଂଜେଇ ଚାଲାଣ ବେଳେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ

Published: Dec 2, 2020, 9:58 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ତଳେ ବଡ଼ବଜାର ଥାନା ପ୍ରହ୍ଲାଦ ନଗର ଅଂଚଳରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଥିବାବେଳେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗଂଜେଇ ଚାଲାଣ ବେଳେ କାବୁ କରିଛି ବୈଦ୍ୟନାଥପୁର ପୋଲିସ୍।

ଘଟଣାରୁ ପ୍ରକାଶ ଯେ ଆଜି ପ୍ରାତଃସକାଳେ ବୈଦ୍ୟନାଥପୁର ଥାନାରେ ଏସ୍‌ଆଇ ବିଭୂତି ଭୂଷଣ ସେଠୀ ଏବଂ ଏଏସ୍‌ଆଇ ଗୋପାଳ ରେଡ଼ୀ ଅନ୍ୟାନ୍ୟ ଷ୍ଟାଫ୍ ସହ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବାବେଳେ ସଂଦେହରେ ଖୋଡ଼ାସିଂ ଓଭରବ୍ରିଜ୍ ତଳେ ନମ୍ବର ବିହିନ ହିରୋହୋଣ୍ଡା ବାଇକ୍‌ରେ କିଛି ସାମଗ୍ରୀ ଧରି ଯାଉଥିବା ଜନୈକ ଯୁବକକୁ ଅଟକାଇଥିଲେ। ଦୁର୍ଦ୍ଦାନ୍ତ ଅପରାଧୀ ପୁରୁଣା ବ୍ରହ୍ମପୁର ଗଣେଶ ନଗରର ସାଗର ମୁଳି ଏକ ନମ୍ବର ବିହୀନ ଗାଡ଼ିରେ ଗଂଜେଇ ଚାଲାଣ କରୁଥିବା ବେଳେ ତା’ ନିକଟରୁ ଦୁଇଟି ବେଗ୍‌ରେ ଭର୍ତ୍ତି କରିଥିବା ୨୮ କେଜି ୪୫୦ ଗ୍ରାମ ଗଂଜେଇ ଜବତ କରିଥିଲେ।

ସୂଚନାଯୋଗ୍ୟ ସାଗର ମୁଳି (୨୦) ସିରିଜ୍ ଅପରାଧୀକ ମାମଲାରେ ସାମିଲ ରହିଛି। ତା’ ନାମରେ ବଡ଼ବଜାର ଥାନାରେ କେସ ନଂ ୧୫୧/୨୬.୭.୨୦୧୮, ବୈଦ୍ୟନାଥପୁର ଥାନାରେ ୪୬/୨୦୧୭, ବଡ଼ବଜାର ଥାନାରେ ୨୦୯/୨୦୨୦ ଏବଂ ଗୋଳନ୍ଥରା ଥାନାରେ ୩୩୮/୨୦୨୦ରେ ମାମଲା ରୁଜୁ ରହିଛି। ଆଜିର ଘଟଣାରେ ଏସ୍‌ଆଇ ଅଂଜଳି ବେହେରା ଅନୁସନ୍ଧାନ ଅଧିକାରୀ ଥିବାବେଳେ ଥାନା କେସ ନଂ ୨୭୯/୨୦୨୦ ୟୁ/ଏସ୍ ୨୦(ବି), ଏଡ଼୍‌ପିସି ଆକ୍ଟରେ ମାମଲା ରୁଜୁ ହୋଇ ଗିରଫ କରାଯାଇଛି।

Related posts