ଘରେ ସବୁଦିନ ଖାଉଥିବା ଓଡ଼ିଆ ଖାଦ୍ୟ ହେଉଛି ଆମର ସବୁଠୁ ବଡ ବ୍ରାଣ୍ଡ ଓ ପରିଚୟ

Published: Dec 16, 2018, 7:56 am IST

ପ୍ରିୟ ରଞ୍ଜନ ସାହୁ

ନବେ ଦଶକରେ ଦିଲ୍ଲୀରେ ମୁଁ କାର୍ଯ୍ୟରତ ଥିଲି ଦଶ ବର୍ଷରୁ ଉର୍ଦ୍ଧ I ଅବିବାହିତ ଜୀବନ I ଖାଇବାର କିଛି ଠିକ ଠିକଣା ନଥିଲା I କେତେବେଳେ ଘରେ ରୋଷେଇ ବା କେତେବେଳେ ବାହାରେ ଖାଇବା ହେଉଥିଲା I ବେଳେବେଳ ଘର ଖାଦ୍ୟ ଖାଇବାକୁ ମନ କରୁଥିଲା I

କିନ୍ତୁ ଦିଲ୍ଲୀରେ ଓଡ଼ିଆ ଖାଦ୍ୟ  କୌଣସି ହୋଟେଲ କିମ୍ବା ରେସ୍ତୋରାଁ ରେ ମିଳୁ ନ ଥିଲା I ଓଡ଼ିଆ ଖାଦ୍ୟ ଖାଇବାକୁ ହେଲେ ଓଡିଶା ଭବନ କିମ୍ବା ଜଗନ୍ନାଥ ମନ୍ଦିର ଯିବାକୁ ପଡୁଥିଲା I

କିନ୍ତୁ ଦିଲ୍ଲୀରେ ଦକ୍ଷିଣ ଭାରତୀୟ ଖାଦ୍ୟ ସବୁଆଡେ ଉପଲବ୍ଧ ହେଉଥିଲା I ସବୁଆଡେ ସାଉଥ ଇଣ୍ଡିଆନ ରେସ୍ତୋରାଁI  କେବଳ ଦିଲ୍ଲୀ ନୁହେଁ,    ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରଭାବ ଆପଣମାନେ ଦେଶର ସବୁ ଜାଗାରେ ଦେଖିବାକୁ ପାଇବେ I ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଇତ୍ୟାଦି ସହରମାନଙ୍କରେ ଆମେ ସାଉଥ ଇଣ୍ଡିଆନ ରେସ୍ତୋରାଁ ଦେଖିବାକୁ ପାଉ I

 

ଦକ୍ଷିଣ ଭାରତୀୟ ଖାଦ୍ୟର ବିଶେଷତ୍ଵ କଣ ? ମତେ ଯଦି ପଚାରିବେ, ଦକ୍ଷିଣ ଭାରତୀୟ ଖାଦ୍ୟ ମୋର ଭାରି ପ୍ରିୟ I କାହିଁକିନା ସେ ଖାଦ୍ୟର ସରଳତା ହେଉଛି ତାହାର ସବୁଠୁ ବଡ ଆକର୍ଷଣ I ବଡା, ଦୋସା, ଇଡ଼ଲି ସାମ୍ବର ଭଳି ବ୍ୟଞ୍ଜନ ଦକ୍ଷିଣ ଭାରତୀୟ ଘରମାନଙ୍କରେ ସବୁଦିନିଆ ଆହାର ଏବଂ ଠିକ ସେହି ଜିନିଷ ଗୁଡିକ ସେମାନଙ୍କ  ରେସ୍ତୋରାଁ ମାନଙ୍କରେ ମଧ୍ୟ ଉପଲବ୍ଧ ହୋଇଥାଏ I

ଠିକ ସେହିଭଳି ଆମ ଓଡ଼ିଆ ଖାଦ୍ୟ  ମଧ୍ୟ ବହୁତ ସରଳ ଓ ସୁସ୍ୱାଦୁ I ଡାଲମା, ଘାଣ୍ଟ, ଶାଗ, ବଡିଚୂରା, ମାଛ ତରକାରୀ ପ୍ରଭୃତି ଓଡ଼ିଶାରେ ଯେମିତି ତିଆରି ହୁଏ ବୋଧହୁଏ ଭାରତର ଅନ୍ୟ କୌଣସି ଜାଗାରେ ହେଉନଥିବ I ପଶ୍ଚିମ ଓଡ଼ିଶାର ବିଶେଷ ବ୍ୟଞ୍ଜନ ଆମ୍ବିଳ ବା ଦୁଲଡୁଲା ବା ଲେଥା ଯେଉଁଟା ଗୋଟିଏ ସ୍ୱାସ୍ଥ୍ୟକର ଭେଜିଟେଵଲ ସୁପ, ମହାରାଷ୍ଟ୍ର, ଗୁଜରାଟ ବା ପଂଜାବୀ କଢି ଠାରୁ ସ୍ୱାଦ ଏବଂ ଉତ୍କର୍ଷରେ କୌଣସି ଗୁଣରେ କମ ନୁହେଁ I

ଆମର ବିଭିନ୍ନ ସହରର ଷ୍ଟ୍ରୀଟ ଫୁଡ଼ ଯଥା କଟକର ଦହିବରା ଆଳୁଦମ, ସମ୍ବଲପୁରର ସିଙ୍ଗଡ଼ା ଓ ଚାଟ, ଢେଙ୍କାନାଳର ବରା, ସୋନପୁରର ଚାଉଳବରାର ସ୍ୱାଦ ଖୁବ ନିଆରା I ମୁଁ ଓଡ଼ିଶାର ଅନନ୍ୟ ମିଷ୍ଟାନ୍ନ ଗୁଡିକର କଥା ଏଠି କହୁନାହିଁ I

କିନ୍ତୁ ଏହିସବୁ ଆକର୍ଷଣୀୟ ଓ ସୁସ୍ଵାଦୁ ଖାଦ୍ୟର ଭଣ୍ଡାର ଏଠି ଥାଇ ମଧ୍ୟ ଓଡିଶା ଖାଦ୍ୟ ବାହାରେ ଏତେ ଜଣାଶୁଣା ନୁହେଁ କାହିଁକି ? ଯଦିଓ ଓଡିଶା ଭିତରେ  ଆମେ ଅନେକ ସାଉଥ ଇଣ୍ଡିଆନ, ପଂଜାବୀ ଓ ମାରୱାଡି ବାସା ଖାଦ୍ୟ ବିଷୟରେ ଖୁବ ଅବଗତ ଅଛୁ I

ମୋର ମନେ ହୁଏ ଆମେ ଖାଦ୍ୟର ଉତ୍କର୍ଷ ବିଷୟରେ କେବେ ବାହାର ଲୋକଙ୍କୁ ଅବଗତ କରେଇବାକୁ ଚେଷ୍ଟା କରି ନାହୁଁ I ଏ କ୍ଷେତ୍ରରେ ଅନ୍ୟ ପୂର୍ବ ଭାରତୀୟ ମାନଙ୍କ ଭଳି ଆମର ଚାକିରୀ କେନ୍ଦ୍ରିକ ମାନସିକତାକୁ ମୁଁ ଦାୟୀ କରିବି I ଆମର ଉଦ୍ୟୋଗୀ ମନୋଭାବର ଅଭାବ ଯୋଗୁଁ ଆମେ ଓଡ଼ିଆ ଖାଦ୍ୟର ଠିକ ବ୍ରାଣ୍ଡିଙ୍ଗ କରିପାରିନାହୁଁ I

ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରସାରକୁ ଆମେ ଉଦାହରଣ ଭାବରେ ନେଇପାରିବା I ଆମେ ଉଡୁ଼ପି, କର୍ଣ୍ଣାଟକ ବ୍ରାଣ୍ଡରେ ଭୋଜନାଳୟ ସମୂହ (ଚେନ) ଦେଶର ବିଭିନ୍ନ ସ୍ଥାନରେ ଦେଖୁ, କାହିଁକି ସେହି ଅଞ୍ଚଳ  ଗୁଡିକର ଲୋକମାନେ ଦକ୍ଷିଣ ଭାରତୀୟ ଖାଦ୍ୟ ବ୍ୟବସାୟ ରେ ଅଛନ୍ତି I ମୁମ୍ବାଇରେ କର୍ଣ୍ଣାଟକ ଅଞ୍ଚଳର ସେଟ୍ଟୀ ସମ୍ପ୍ରଦାୟ  ରେସ୍ତୋରାଁ ବ୍ୟବସାୟ ରେ ବହୁତ ସକ୍ରିୟ I

ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଆମେ ନିଜେ କରିପାରିବା I ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ରେସ୍ତୋରାଁ ସମୂହ ଓଡିଶା ଓ ଓଡିଶା ବାହାରେ ସୁପର ହିଟ ହେବ, ଏ ବିଷୟରେ ମୁ ନିଶ୍ଚିତ I ଏଇ  କିଛି ବର୍ଷ ମଧ୍ୟରେ ସେଭଳି ଅନେକ ଭୋଜନାଳୟ ଅବଶ୍ୟ ହେଲାଣି I

ଓଡ଼ିଶାରେ ବିଶ୍ୱକପ ହକି ସମୟରେ ଅନେକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଓଡ଼ିଆ ଖାଦ୍ୟ ବିଷୟରେ ଆଗ୍ରହ ସହିତ ଚର୍ଚ୍ଚା କରୁଥିବା ଓ ସେଭଳି ଖାଦ୍ୟ ପରିବେଷଣ କରୁଥିବା ଭୋଜନାଳୟ ଖୋଜୁଥିବା ମୁଁ ଦେଖିଲି I ନିଜକୁ ଗର୍ବିତ ମନେ କଲି I

ଆମେ ମାନେ ରଖିବା ଉଚିତ ଯେ ଯେଉଁ ଖାଦ୍ୟ ଆମେ ସାଧାରଣତଃ ଘରେ ଖାଉ, ସେହି ଖାଦ୍ୟ ଆମ ଓଡିଶାର ସବୁଠୁ ବଡ ବ୍ରାଣ୍ଡ I

Related posts