Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆର୍ସି ର ଗପ ଓ ଗପର ଆର୍ସି
ବିଶେଷ ଖବର

ଆର୍ସି ର ଗପ ଓ ଗପର ଆର୍ସି

October 15, 2018No Comments6 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

 

1॰

ଗୋଟେ ଗପ ଦେଖିଲେ କେମିତି ଲାଗିବ?

ଗପ ନୁହଁ ତ କିଛି କଥା । ଗୋଟେ ଅଦ୍ଭୁତ ଗପୁଡି ଝିଅ ଓ ଗୋଟେ ଅଚିହ୍ନା ପୁଅ ର କଥା।

ହଁ, ତା ଭିତରେ ଅଛି ଗୋଟେ ରାସ୍ତା, ଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡା ମାନଚିତ୍ର।

ଗୋଟେ ଗପ କୁ ଦେଖିବା ଓ ସେ ଗପର ପ୍ରେମରେ ପଡିଯିବା, ଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ।

ପ୍ରାୟ ଦେଢ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ( ଗପ ଦେଖିଲି, ଶୁଣି ନାଇଁ) ସେ ଗପର ଲେଖକ କିଏ?

ବିଶ୍ଵାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡିଆ ଜାଣିଥାନ୍ତେ ସେ ଗପଟିକୁ ଠିକ ଏମିତି ଇ ଲେଖିଥାନ୍ତେ।

କିମ୍ବା ବୋରହେସ, ନିର୍ମଳ ବର୍ମା କି ମଣ୍ଟୋ, ହୋଇପାରେ ଆମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର।

ନା ଏ ଗପ ଅକ୍ଷରରେ ଲେଖା ହୋଇନାହିଁ, ଲେଖା ହୋଇଛି ଦୃଶ୍ୟରେ ।

ଦୃଶ୍ୟ ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ ହେଉଛି। ଝିଅ ଟି ଗପୁଛି, ପୁଅ ଟି ଶୁଣୁଛି।

ଦୁଇଟି ବୋଲି ଚରିତ୍ର । ମଝିରେ ପାଞ୍ଚ ମିନିଟ ଲାଗି ଆଉ ଗୋଟେ ଚରିତ୍ର ଆସୁଛନ୍ତି ଓ ମିଳେଇ ଯାଉଛନ୍ତି। ,

ତେବେ ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି ରାସ୍ତା। ରାସ୍ତାର କୋଳାହଳ, ଡ୍ରୋଜର, କ୍ରେନ, ରୋଲର, ଟ୍ରକ, ବସ , ଟ୍ରେନ ଇତ୍ୟାଦିର କାନଫଟା ଚିତ୍କାର ଏ ଗପରେ ବହୁତ ବଡ ଜାଗା ମାଡି ବସିଛନ୍ତି। କଥା ଅପେକ୍ଷା କୋଳାହଳ ବେଶୀ ଅର୍ଥପୂର୍ଣ୍ଣ ଲାଗୁଛି। ତାରି ଭିତରେ ଅଛି ଗୋଟେ ଅଚିହ୍ନା ଚଡେଇର କାକଳୀ। ଅଛି ମୋବାଇଲ ଗେମ ର ଟିକ ଟିକ ମୋନୋଟୋନି। ଏ ଗପର ବଡ ଚରିତ୍ର ହେଉଛି ରାସ୍ତା। ଗୋଟେ ଜାଗାରେ ସେ ଗପୁଡି ଝିଅ କହୁଛି- “ ଏ ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି ଓ ଯେମିତି ଅନେକଙ୍କୁ ଗିଳି ପକାଉଛି। “ ଏଇଟା ରାସ୍ତାର ଗପ। ଯେମିତି କି ଏ ରାସ୍ତା ଇ ତିଆରି କରିଛି ଏହାର ସାମାଜିକ ଇତିହାସ। ରାସ୍ତା ବାରମ୍ବାର ଜୀବନ ପରି ଲମ୍ବିଯାଉଛି ଗୋଟେ ଅଚିହ୍ନା ସହର ଆଡକୁ। ରାସ୍ତା ଆମକୁ କହୁଛି ଗୋଟେ ଯାଯାବର ଜୀବନ କାହାଣୀ।

ଓଡିଆ ଭାଷାରେ ଏମିତି ଗୋଟେ ଗପ ଆପଣ ହୁଏତ ଦେଖିନଥିବେ।ସାହିତ୍ୟ ତୁଳନାରେ ଗୋଟେ ଦୃଶ୍ୟ ମାଧ୍ୟମ ଭାଷାର ପ୍ରୟୋଗକୁ କେତେ ଅଧିକ ଶକ୍ତିଶାଳୀ କରିପାରେ ତାର ଅନୁଭବ ଆମ ପାଖରେ ବହୁତ କମ। ନିହାତି ଶସ୍ତା ଓ ଧାରକରା ସିନେମାର ପ୍ରଭାବହୀନ ପରମ୍ପରା ସହିତ ଅଭ୍ୟସ୍ତ ଓଡିଆ ଦର୍ଶକ ଲାଗି ଏଇଟା ଗୋଟେ ଅଭିନବ ଅନୁଭବ।

 “ହେଲୋ ଆର୍ସି” ବୋଲି ଗୋଟେ ସିନେମା ଦେଖି ସାରିଲା ପରେ ମୋତେ ଲାଗିଲା, ମୋ ଭାଷାର ସାମର୍ଥ୍ୟ କେତେ। କେତେ ଦମଦାର ଓ ଓଜନଦାର ହୋଇପାରେ ଓଡିଆ ଭାଷାର ପ୍ରାଣଶକ୍ତି। ଏଇ ସିନେମାରେ ଓଡିଆ ଭାଷାର ସର୍ବାଧିକ ଶକ୍ତି ଓ ସୃଜନଶୀଳତା ଫୁଟିଉଠିଛି। ଗୋଟେ ସିନେମା, ବହୁ ଦିନ ପରେ ମୋତେ ସ୍ଥିର ଓ ଅବାକ କରିଦେଲା। ମୁଁ ସେ ରାସ୍ତାରେ ଏବେବି ଅଛି ଯେମିତି। ମୁଁ ଏବେବି ଘାରି ହେଉଛି, ସେ ଆର୍ସି ବୋଲି ଝିଅଟା କିଏ? ସେ କଣ ରାଉରକେଲା- ରାଜଗାଙ୍ଗପୁର ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ ଝିଅ ନା ଶିଳ୍ପାୟନର ଦାନବ ପଂଝାରେ ନିଜର ଅସ୍ତିତ୍ଵ ହରାଇଥିବା ଗୋଟେ ଯାଯାବର ଆତ୍ମା। ସେମିତି ସେ ହତାଶିଆ ହସ ହସୁଥିବା ପୁଅ ଟି କିଏ? ସେ ବି କଣ ଆର୍ସିର ମାତ୍ର ଗୋଟିଏ ରାତିର ପ୍ରେମିକ କି ଗରାଖ? ନା ସେବି ଠିକଣା ହଜେଇଦେଇଥିବା ଗୋଟେ ଉଦବାସ୍ତୁ ଗାଁ ର ପ୍ରାଣ? ଅଦ୍ଭୁତ ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି ଥିବା ଏ ସିନେମାର କାହାଣୀ, ଆମ ସମୟର ଓଡିଆ ଭାଷାକୁ ମେଞ୍ଚାଏ ଖୋଲା ପବନ ଦେଇଛି। ଆପଣ କହିପାରନ୍ତି, ଏଇଟା ଆଧୁନିକ ଓଡିଆ ଭାଷାର ଗରିମା। ଏଇଟା ଇ ସମକାଳୀନ ଓଡିଆ ଜୀବନର ପ୍ରତିଛବି। ଆମ ପିଲା ଏଇ ଭାଷା, ଏଇ ଜୀବନବୋଧ, ଏଇ ଯାଯାବର ଲକ୍ଷ୍ୟହୀନତା ଓ ଏଇ ପ୍ରକାର ସ୍ଵାଧୀନତା କୁ ନେଇ ବଞ୍ଚୁଛନ୍ତି। ଦୁର୍ଭାଗ୍ୟକ୍ରମେ ଆମର କଳା ଓ ସାହିତ୍ୟ ଏ ପ୍ରକାର ଭାଷାକୁ ବୁଝିବାରେ ଏକ ପ୍ରକାର ଅସମର୍ଥ ।

ଆର୍ସି ବୋଲି ଏ ଯେଉଁ କୋଡିଏ- ଏକୋଇଶ ବର୍ଷର ଝିଅ ଟି ନିଜ କଥା ଗପି ଚାଲିଛି, ସେ ନିଜ ଜୀବନ ସଙ୍ଘର୍ଷର କଥା କହୁଛି। ତା ସହିତ ସେ ନିଜ ସ୍ଵାଧୀନ ଜୀବନର ରାହା ବିଷୟରେ ମଧ୍ୟ ସଚେତନ। ଠୋ ଠୋ କଥା, ବେପରୁଆ ଚାହାଣୀ, ନୈତିକତା ଓ ସାମାଜିକ ଅଙ୍କୁଶକୁ ଫୁଃ କରି ଉଡେଇଦେବାର ସାହସ ଓ ଜୀବନ କୁ ନିଜ ସର୍ତ୍ତରେ ବଞ୍ଚିବାର ଦୃଢତା ଆର୍ସିକୁ ଅଲଗା କରି ଗଢିଛି। ସିନେମାରେ ସେ କେବଳ ନାୟିକା ନୁହଁ, ସେ ଆମ ସମୟ ଓ ସମାଜର ଗୋଟେ ଅନମନୀୟ ଅଂଶ। ଗତ ପଚିଶ –ତିରିଶ ବର୍ଷ ଭିତରେ କୌଣସି ଓଡିଆ ସିନେମା ଏତେ ଗହନକୁ ଯାଇ ନିଜ ସମୟର କଥା କହିଥିବାର, ମୁଁ କାଇଁ ଦେଖିନି।

ଏ ସିନେମାରେ କୌଣସି ପ୍ରଶ୍ନର ଉତ୍ତର ନାଇଁ। ପ୍ରଶ୍ନ ପରେ ପ୍ରଶ୍ନର ବୋଝ ଲଦି ଆପଣ ବି ପାଲଟି ଯାଇପାରନ୍ତି ଏ ରାସ୍ତାର ଗୋଟେ ଅସହାୟ ଚରିତ୍ର। ଓଡିଆ ସିନେମାରେ ବହୁ ଦିନ ପରେ କିଛି ଗୋଟେ ଆଚ୍ଛନ୍ନ କଲା। ନିଜ ଭିତରର ଆତ୍ମାକୁ କିଛି ସମୟ ଲାଗି ଝୁଣିଝାଣି ଦେଇଗଲା ଆର୍ସି।  ସିନେମାରେ ଆଉ କଣ ଅଛି, କହିବା ଦରକାର ନାଇଁ। ସିନେମାରେ ଗୋଟେ ପାଗଳ କଲାପରି ଗପ ଅଛି। ପ୍ରବଳ ଉତ୍କଣ୍ଠା ଅଛି। ପ୍ରତ୍ୟେକ ସଂଳାପ ଭାଷା ଓ ଭାବକୁ ସାବଲୀଳ ଭାବରେ ଯୋଡିବାରେ ସଫଳ ହେଉଛନ୍ତି। ଦୃଶ୍ୟ, ଶବ୍ଦ, ଭାଷା ଓ ଭାବ- ଏଇ ଚାରୋଟି ଯାକ ବିଭବ ମିଶି ଗୋଟେ ଜମାଣିଆଁ ମୂର୍ଚ୍ଛନା ତିଆରି କରିଛନ୍ତି ଏ ସିନେମାରେ।

 ପ୍ରାୟ ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରା ର ଦୃଷ୍ଟି ଏକପ୍ରକାର ସ୍ଥିର। ଯେମିତି କ୍ୟାମେରା ଗୋଟେ ଜାଗାରେ ଗପ ଦେଖିବାକୁ ଅଟକି ଯାଇଛି। ଏ ସିନେମାରେ କ୍ୟାମେରାମେନ ବି ଗୋଟେ କବି। ଧୂସର ଓ ବିବର୍ଣ୍ଣ ଉପତ୍ୟକାର କବି। ଚିତ୍ର ଓ ଶବ୍ଦର ଏତେ ଚମତ୍କାର ସଂଗମ, କେଉଁ ଓଡିଆ ସିନେମାରେ ମୁଁ ଶେଷ ଥର ଲାଗି ଦେଖିଥିଲି, ମୋର ମନେନାହିଁ। ଏ ସିନେମାର ପ୍ରଭାବ ନିଜ ରକ୍ତରେ ବହୁଦିନ ଧରି ଅନୁଭବ କରିବାକୁ ଜଣେ ସଂବେଦନଶୀଳ ଦର୍ଶକ ବାଧ୍ୟ ହେବ। ଅଭିନୟରେ ମୁଁ ତ କେବେ କଳ୍ପନା କରିନଥିଲି, ପ୍ରକୃତି ମିଶ୍ର ଏମିତି କିଛି କରିପାରିବେ। ସେମିତି ପାର୍ଥ, ନୂଆ ଅଭିନେତା। ହେଲେ ଅଭିନୟରେ ଗୋଟେ ଗାମ୍ଭୀର୍ୟ ଅଛି। ମୁହଁ ରେ ହସ ଓ ବିଷାଦଭରା ଗୋଟେ ବିରଳ ମାନଚିତ୍ର ତିଆରି କରିଛନ୍ତି ପାର୍ଥ। ଏଠି ଅଭିନୟର ଗୋଟେ ଅଲଗା ଇଲାକା ତିଆରି ହୋଇଛି। ନାଟକ ନାଇଁ କି ସଂଳାପରେ ଅଯଥା ଉତ୍ତେଜନା ନାଇଁ। କେବଳ ସଠିକ ଭାବରେ, ସଠିକ ସମୟରେ କଥା କହିପାରିବାର ଯାଦୁକରୀ ଇ ଏ ସିନେମାର ସବୁଠୁ ସାର୍ଥକ ଅଭିନୟ। ତିନୋଟି ଯାକ ଚରିତ୍ର ଏତେ ସ୍ଵାଭାବିକ ଓ ସହଜ ଯେ, ସେମାନେ ଏଠି, ସେଠି, ସବୁଠି ଆମ ସହ କଥା ହୋଇପାରିବେ।

ଏତେ ସବୁ ଯାଦୁକରୀ ଦେଖେଇଥିବା ସେ ଅସଲ କଥାକାରଟି କାଇଁ? ଏତେ ସବୁକୁ ସାର୍ଥକ ଓ ସଫଳ ଭାବରେ ତୁଲାଇପାରିଥିବା ଏ ସିନେମାର ଅସଲ ନାୟକ କେଉଁଠି? ଆଃ, ସେ ବହୁ ଦୂର ଆକାଶରେ ଏବେ ଗୋଟେ ଅସ୍ପଷ୍ଟ ତାରା। ସେଇ ଆକାଶରେ ଥାଇ ସେ ଆମକୁ ଆର୍ସି ର ଗପ ଦେଖାଉଛନ୍ତି। “ହେଲୋ ଆର୍ସି” ର ସଂଳାପକାର ଓ ନିର୍ଦ୍ଦେଶକ ସ୍ଵର୍ଗତ ସଂବିତ ମହାନ୍ତି, ହଜିଯାଇଥିବା ଗୋଟେ ଜିନିୟସ। ଏତେ ଚମତ୍କାର ସିନେମା ଗଢିଥିବା ଲୋକଟା ସିନେମା ସରିଲା ପରେ ଆଉ ଏ ପୃଥିବୀରେ ନାଇଁ। ମରିବା ଆଗରୁ ଏଇଟା ସମ୍ବିତଙ୍କର ପ୍ରଥମ ଓ ଅନ୍ତିମ ସିନେମା। କଳା ର ଇତିହାସରେ ଅନେକ ବିସ୍ମୟ ତିଆରି ହୁଏ। ଓଡିଆ ଦୃଶ୍ୟକଳା ର ଇତିହାସରେ ସଂବିତ ମହାନ୍ତି ସେମିତି ଏକ ବିସ୍ମୟ।

ମୁଁ ଯଦି ଏ ସିନେମାକୁ ଏତେ ଚମତ୍କାର ଓ ସୁନ୍ଦର ବୋଲି କହୁଛି, ତାହେଲେ ଏହାକୁ ଦେଖିବାଲାଗି ସିନେମାହଲରେ ଭିଡ ହେବନାହିଁ କାହିଁକି? ଆମ ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ। ଭଲ ସିନେମା ଓ ଲୋକପ୍ରିୟ ସିନେମା ଭିତରେ ସମୟକ୍ରମେ ଗୋଟେ ବଡ ଖାଇ ତିଆରି ହୋଇଯାଇଛି। ଭଲ ସିନେମା ପୁରଷ୍କାର ପାଇବ, ସମୀକ୍ଷକ ମାନଙ୍କର ଆଦର ପାଇବ, ହେଲେ ତାକୁ ଟିକେଟ କିଣି କେହି ଦେଖିବାକୁ ଯିବେନାହିଁ। କାରଣ କଣ? ଆମ ସମୟରେ ଚାଲୁ ଓ ଶସ୍ତା ନିଶାର ପ୍ରଭାବ ଆପେ ଆପେ ତିଆରି ହୋଇନାହିଁ। କିଛି ବେପାରୀ ଜାଣିଶୁଣି ଶସ୍ତା ନିଶା ସହିତ ଆମ ସମାଜକୁ ଅଭ୍ୟସ୍ତ କରିଛନ୍ତି। ସେମାନଙ୍କ ଫାନ୍ଦ କାଟି ନୂଆ କିଛି କରିବା ସହଜ ନୁହେଁ। ସଂବିତ ମହାନ୍ତିଙ୍କ ପରି ସିନେମା ନିର୍ମାତାମାନେ ଗୋଟେ ପ୍ରକାର ବିକଳ୍ପ ତିଆରି କରନ୍ତି। ଚାଲୁ ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ ବିକଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ଆମେ ନେଇ ପାରିବା କି? ଗୋଟେ ଭଲ ସିନେମା ଲାଗି ସମଝଦାର ଦର୍ଶକ ହେବାର ସାମାଜିକ କର୍ତ୍ତବ୍ୟ ତୁଲାଇବାରେ ଆମେ ଟିକେ ଆଗୁସାର ହେବାକି? ଭଲ ସିନେମା ତିଆରି ହେବା ଯେତିକି ଜରୁରୀ, ଭଲ ସିନେମାକୁ ନିଜର କରିବାର ଆଗ୍ରହ ମଧ୍ୟ ସେତିକି ଆବଶ୍ୟକ। “ହେଲୋ ଆର୍ସି” ଆମ ଆଗରେ ଗୋଟେ ଭଲ ବିକଳ୍ପ ଠିଆ କରେଇଛି। ତାକୁ ଭଲପାଇବା ଓ ତାକୁ ଆଗକୁ ବଢାଇବାର ଦାୟିତ୍ଵ ଆମର।  

ଶେଷରେ ଏତିକି କହିବି, ସଂବିତ ମହାନ୍ତିଙ୍କ ‘ହେଲୋ ଆର୍ସି’” ଆମ ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ ହୋଇ ଠିଆ ହୋଇଥିବ ଆଗାମୀ ବହୁତ ବହୁତ ବର୍ଷ ଧରି। ହୁଏତ ସଂବିତ ମହାନ୍ତି ବଞ୍ଚିଥିଲେ, ତାଙ୍କଠୁ ଆଉ କିଛି ଭଲ ସିନେମା ଆମେ ଆଶା କରିଥାନ୍ତେ। ହେଲେ ଏ ସିନେମା, ପୁଣିଥରେ ଭଲ ସିନେମାର ବାଟ ଫିଟାଇବାରେ ସହାୟକ ହେବ ବୋଲି ଆମେ ଆଶା କରିବା।    

Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ଭଙ୍ଗିବ ଅଚଳାବସ୍ଥା: ଆସନ୍ତାକାଲି ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍ ଉପରେ ହେବ ଆଲୋଚନା

July 27, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026
Latest News

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ମୂଲ୍ୟ: ଜାଣନ୍ତୁ ମହଙ୍ଗା ହେବ କି ଶସ୍ତା?

July 27, 2026

ସଂସଦରେ ଭଙ୍ଗିବ ଅଚଳାବସ୍ଥା: ଆସନ୍ତାକାଲି ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍ ଉପରେ ହେବ ଆଲୋଚନା

July 27, 2026

“ପ୍ରଧାନ ଜିନ୍ଦାବାଦ”: ଇସ୍ତଫା ଦେବା ପରେ ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ

July 27, 2026

ପତଞ୍ଜଳି ଅଟାରେ କୀଟନାଶକ: ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

July 27, 2026

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୧୧୦୦ ପଦବୀ ପାଇଁ ନିଯୁକ୍ତି: ବିନା ପରୀକ୍ଷାର ହେବ ଚୟନ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.