କେଦାର ମିଶ୍ର
ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି। ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି। ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ। ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ। ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ। ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି। ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।
ଦିନେ ଏମିତି ବି ସମୟ ଆସିବ ଯେ, ନୂଆଖାଇ ଭଳି ପାର୍ବଣ ବି ଫିକା ପଡିଯିବ, ଏକଥା କେହି କେବେ ସ୍ଵପ୍ନରେ ବି ଚିନ୍ତା କରିନଥିବେ। ନୂଆଖାଇ ସହିତ ସବୁଠୁ ବଡ ସମ୍ପର୍କ ହାଟର। ବିନା ହାଟରେ କି ନୂଆଖାଇ? ତିହାର ଆଗରୁ ତାର ସଜବାଜରେ ଦୁଇ ସପ୍ତାହ ବିତିଯାଏ। ହାଟରୁ ଖାଇବା, ପିନ୍ଧିବା, ମଉଜ କରିବାର ସବୁ ସାମାନ କିଣିବା ଲାଗି କେତେ ଯୋଜନା ଚାଲେ। ଏଥରର ନୂଆଖାଇରେ ହାଟ ଆଉ ବସିନାହିଁ। ହାଟରୁ କରଡି କିଣାହୋଇ “ଲେଥା” ( ଆମ୍ବିଳ- ବହୁ ପରିବା ମିଶାମିଶି ଖଟା ଜାତୀୟ ଏକ ବ୍ୟଞ୍ଜନ) ବନାଇବାର ମଜା ଏଥର ଆଉ ନାହିଁ। “ଜୀଇଁ ଜାଗିଥିଲେ ବଚ୍ଛରେ”- ବଞ୍ଚିଥିଲେ ବର୍ଷକ ଥରେ ନୂଆଖାଇରେ ସମସ୍ତଙ୍କର “ଭେଟଘାଟ”- ସେ ବି ହେବାର ସମ୍ଭାବନା ନାହିଁ। ନୂଆଖାଇ ସମୟରେ ପୂରା ପରିବାର ଯିଏ ଯେଉଁଠି ଥିଲେ ଘରକୁ ଫେରନ୍ତି। ଆଜିର “ଲକ ଡାଉନ-ଶଟ ଡାଉନ” ସମୟରେ ସେ ବି ହେବାର ନାହିଁ। ଏମିତି ଗୋଟେ ସର୍ବନାଶୀ ସମୟରେ ନୂଆଖାଇ ପାଳିବାର ଆନନ୍ଦ ଆଜି ନାହିଁ।
ଆଜିର ଏ ଉଜୁଡା ସମୟରେ ନୂଆଖାଇ ଆମ ଜୀବନକୁ ସଜାଡି ପାରିବ କି? ଗତ ସାଢେ ପାଞ୍ଚମାସ ହେଲା, ଭାରତର ସବୁ ପର୍ବ ପର୍ବାଣି ଫିକା ପଡିଯାଇଛି। ଭାରତ ପାର୍ବଣର ଦେଶ। ଭାରତ ଭିତରେ ଓଡିଶା, ବାର ମାସରେ ତେର ପର୍ବ ଲାଗି ପ୍ରସିଦ୍ଧ। ସେଥିରେ ଅଧା ବର୍ଷ ଆମର ବିନା ପାର୍ବଣରେ ଯାଇ ସାରିଛି। କରୋନା ମହାମାରୀ ପରଠୁ ଚନ୍ଦନ ଯାତ୍ରା, ରଜ,ଇଦ, ସାବିତ୍ରୀ, ସ୍ନାନଯାତ୍ରା, ରଥଯାତ୍ରା, ଝୁଲଣ ଯାତ୍ରା, ଗହ୍ମା ପୂର୍ଣ୍ଣମୀ, ଗଣେଶ ପୂଜା ଓ ଆଜି ନୂଆଖାଇ- କୌଣସି ପାର୍ବଣ ସାମୁହିକ ଭାବରେ ପାଳିତ ହୋଇ ପାରିନାହିଁ। ସାଢେ ପାଞ୍ଚ ମାସ ପରେ ବି ଆମେ କରୋନା ଭୂତାଣୁକୁ ଆମ ଜଣ ଜୀବନରୁ ମୁକ୍ତ କରିପାରିନାହୁଁ।
ଆଜି ଯେତେବେଳେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ କେବଳ ପରିବାର ଭିତରେ ନାମକୁ ମାତ୍ର ପାଳନ ହେଉଛି, ସେତେବେଳେ ଚୀନ ର “ଉହାନ” ସହରରେ ବିନା ମୁଖା ଲଗାଇ ଶହ ଶହ ଲୋକ “ୱାଟର ପାର୍କ” ରେ ଉତ୍ସବ ମନାଉଛନ୍ତି।ଆମେ ଜାଣୁ ଉହାନ ସହର ହେଉଛି କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ।ଆଜି ସେଠାରୁ ଭୂତାଣୁ ବିଦାୟ ନେଇଛି।ଚୀନରେ ପ୍ରଥମ ସୋପାନ ପରେ ଦ୍ଵିତୀୟ ସୋପାନରେ କରୋନା ସଂକ୍ରମଣ ଆସିଛି ଓ ଯାଇଛି।
ଆଜି ଆମ ଲାଗି ନୂଆ କିଛି ଚିନ୍ତା କରିବାର ଆବଶ୍ୟକତା ଆସିଛି। ଜୀବନ ଭୟକୁ ସାଥି କରି ଚାଲି ପାରିବ ନାହିଁ। ବିନା ପାର୍ବଣ ଓ ଉତ୍ସବରେ ଜୀବନ କରୋନା ଜ୍ଵରଠୁ ଅଧିକ ମାରାତ୍ମକ ରୋଗ ପାଲଟିଯିବ।ତେଣୁ ଆମ ଜୀବନରେ ଉତ୍ସବର ପରିବେଶ ଫେରିବା ଜରୁରୀ। ଭୂତାଣୁ ଲାଗି ସତର୍କତା ରହୁ, ହେଲେ ଏହା ଏକ ଚିରସ୍ଥାୟୀ ଭୟ ହୋଇ ଆମ ଜୀବନରେ ନ ରହୁ।
ପଶ୍ଚିମ ଓଡିଶାର ସାମାଜିକ ଜୀବନ ବହୁ ଘାତ ପ୍ରତିଘାତକୁ ସାମ୍ନା କରିଛି। ସବୁ ସଂଘର୍ଷ ଓ ସଙ୍କଟର ମହୌଷଧି ହେଉଛି ନୂଆଖାଇ। ଭୋକ, ଅଭାବ ଓ ଦାରିଦ୍ର୍ୟକୁ ତୁଚ୍ଛ କରି ଆମେ ନୂଆ ଧାନର ଉତ୍ସବ ପାଳି ଆସିଛୁ। ସଙ୍କଟ ଆଗରେ ଆମେ କେବେ ହାର ମାନିନୁ। ଆଜି ବି ମାନିବାର ନାହିଁ।
ମହାମାରୀ ସମୟର ଏ ନୂଆଖାଇ ଆମକୁ ନୂଆ କିଛି ସୁଯୋଗ ଦେବା ନିଶ୍ଚୟ। ସମସ୍ତଙ୍କୁ ନୂଆଖାଇର ଜୁହାର।