ଓଲିଉଡ଼ରେ ଏଣ୍ଟ୍ରି ମାରିଲା ବ୍ଲିସ ଏଣ୍ଟରଟେନମେଣ୍ଟ, “ମୁଁ ତ ନଥିଲେ କିଛି ହେବନି” ଚଳଚ୍ଚିତ୍ରର ଶୁଭାରମ୍ଭ

Published: Dec 25, 2021, 8:25 pm IST

ଭୁବନେଶ୍ୱର: ମନୋରଞ୍ଜନ ଦୁନିଆରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି। ବଡଦିନରେ ଏକ ଶୁଭ କାର୍ଯ୍ୟରୁ ଆରମ୍ଭ ହୋଇଛି ବ୍ଲିସ ଏଣ୍ଟର୍ଟେନମେଣ୍ଟ। ଓଲିଉଡ଼ରେ ଆଜି ଏହି ପ୍ରଯୋଜନା ସଂସ୍ଥା ଏଣ୍ଟ୍ରି ମାରିଛି। ଏହି ସଂସ୍ଥା ପକ୍ଷରୁ ଭୁବନେଶ୍ୱରର ସତ୍ୟବିହାର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ପ୍ରଯୋଜକ ସୁବାଷ ସାହୁ ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ୩ ଟି ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଥିଲା। ପ୍ରଥମଟି ‘ତୋ ଖୁସିରେ ମୋ ଖୁସି’। ଏହି ଚଳଚ୍ଚିତ୍ରର କାହାଣୀ ସୀମାନ୍ତ ଦାସ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସ୍ୱନାମଧନ୍ୟ ନିର୍ଦ୍ଦେଶକ ଚନ୍ଦନ ମହାପାତ୍ର।

ଦ୍ୱିତୀୟ ଚଳଚ୍ଚିତ୍ରଟି ହେଲା ‘ମୁଁ ତ ନଥିଲେ କିଛି ହେବନି ଆଉ’। ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ଅଜୁମଦାର।

ତୃତୀୟ ଚଳଚ୍ଚିତ୍ରଟି ଥିଲା ‘ମିସକଲ’। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଅଛନ୍ତି ଡ. ରଜନୀ ରଞ୍ଜନ। ସଂଗୀତ ନିର୍ଦ୍ଦେଶନାରେ ବୈଦ୍ୟନାଥ ଦାସ ରହିଥିବାବେଳେ ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ସୁଧାକର ବସନ୍ତ।

ପ୍ରଥମ ପର୍ଯ୍ୟାୟରେ ‘ମୁଁ ତ ନଥିଲେ କିଛି ହେବନି ଆଉ’ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇ ଜାନୁଆରୀ ମାସରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ୍ ମୁଖ୍ୟ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଏହି ଚଳଚିତ୍ରରେ ସମ୍ବିତ, ରିୟା, ରାଇମୋହନ, ପ୍ରଜ୍ଞା, ପିଣ୍ଟୁ ନନ୍ଦ, ପ୍ରୀତିରାଜ, ସୁନିତା ପ୍ରମୁଖ ଅଭିନୟ କରୁଥିବା ଜଣାପଡିଛି।

Related posts