ଆନ୍ତର୍ଜାତିକ ମହିଳା ଦିବସରେ ସୁସ୍ମିତା ଦାସଙ୍କ ନୂଆ ଗୀତ “ନାରୀ”

Published: Mar 8, 2022, 9:12 pm IST

ଭୁବନେଶ୍ବର: ପୃଥିବୀ ଗୋଟେ ବନ୍ଧନ। ଏଠି ଗଛ ମାଟିରେ ବନ୍ଧା, ଚଢେଇ ବି ଆକାଶରେ, ମାଛ ପାଣିରେ ଆଉ ମୁଁ ନାରୀ ସଂସାରରେ। ନାରୀର ଏଇ ସଂସାରର ଯାତ୍ରା – କିଶୋର ରୁ ଯୌବନ, ଆଉ ଯୌବନରୁ ପରିପକ୍ଵ ବୟସ ଯାଏ ଏହି ଗୀତରେ ଉପସ୍ଥାପନା କରାଯାଇଛି।  ନୂଆ ମଣିଷକୁ ସଂସାରକୁ ଆଣେ ନାରୀ। ଜୀବନକୁ ପ୍ରତି ମୁହୁର୍ତ୍ତରେ ଉତ୍ସବରେ ପରିଣତ କରେ ନାରୀ। ଏହି ସଂସାରର ମର୍ମ ବୁଝେ ସେ। ଜୀବନର ଗଭୀର ଦର୍ଶନକୁ ନିଜ ଭିତରେ ଅନୁଭବ କରେ। ବନ୍ଧନ ଭିତରେ ରହି ମୁକ୍ତ ହବାର ସ୍ୱାଦ ଜଣେ ସେ। ନାରୀ ମନର ସେଇ ସବୁ ନରମ, ଗଭୀର, ମୁକ୍ତ, ପରିପକ୍ବ ଇଛାର ପ୍ରକାଶ କରାଯାଇଛି ଏହି ସଂଗୀତରେ।  ଯାହାକୁ ଆମେ ଆପଣମାନଙ୍କୁ ଭେଟି ଦଉଚୁ ଏଇ ଆନ୍ତର୍ଜାତିକ ମହିଳା ଦିବସରେ।

କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠଦାନ କରିଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ, ଗୀତିକାର ଅଛନ୍ତି ବିୟତପ୍ରଜ୍ଞା ତ୍ରିପାଠୀ। ବାଦ୍ୟ ଯନ୍ତ୍ରରେ ଅଛନ୍ତି ସନ୍ଦୀପ ସାହୁ, ସୀମା, ତାଇ, ହାପି, ଜୟଶ୍ରୀ, ପଦ୍ମ, କସ୍ତୁରୀ। ମିଟୁସ୍ ମ୍ୟୁଜିକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ କଟକର ଜେସିକେ ଷ୍ଟୁଡ଼ିଓ ରେ ରେକର୍ଡ କରାଯାଇଛି ବୋଲି କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ଅନୁ ଚୌଧୁରୀ, କୁକିସ୍, ପିହୁ ଓ କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖ ଅଭିନୟ କରୁଛନ୍ତି।

Related posts