ବଲିଉଡ୍‌କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର : ଜୟା ବଚ୍ଚନ

Published: Sep 15, 2020, 10:36 am IST

ନୂଆଦିଲ୍ଲୀ : ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ସଂସଦରେ ବର୍ଷିଛନ୍ତି ଜୟା ବଚ୍ଚନ । ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ଆଜି ସଂସଦର ଦ୍ବିତୀୟ ଦିନରେ  ଜୟା ବଚ୍ଚନ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ମନୋରଞ୍ଜନ ଶିଳ୍ପ ପ୍ରତିଦିନ 5 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍‌ କରାଯିବା ଅନୁଚିତ ବୋଲି ରାଜ୍ୟସଭାରେ ଏମ୍‌ପି ଜୟା ବଚ୍ଚନ କହିଛନ୍ତି। ସୋସିଆଲ୍‌ ମିଡ଼ିଆରେ ଏନେଇ ବହୁ ଅପପ୍ରଚାର କରାଯାଉଛି। ଏଭଳି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବଲିଉଡ୍‌କୁ ସରକାରଙ୍କ ସମର୍ଥନ ମିଳିପାରୁ ନ ଥବା ଜୟା ଅଭିଯୋଗ କରିଛନ୍ତି। ଜଣଙ୍କ ଲାଗି ପୂରା ବଲିଉଡ୍‌କୁ ବଦନାମ କରିବା ଠିକ୍‌ ନୁହେଁ ବୋଲି କହିଛନ୍ତି ଜୟା ବଚ୍ଚନ । ସେହିପରି ଏହି ଇଣ୍ଡଷ୍ଟ୍ରିରେ କିଛି ଲୋକ ଅଛନ୍ତି ଯେଉଁମାନେ ସବୁଠୁ ଅଧିକ ଟିକସ ଦେଉଛନ୍ତି ।  କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍‌ ନାହିଁ । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ବଲିଉଡକୁ ଟାର୍ଗେଟ୍‌ କରାଯାଉଛି ବୋଲି କହିଛନ୍ତି ଜୟା ବଚ୍ଚନ ।

ସୂଚନଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଜଣାପଡିବା ପରେ ଏବେ ଏନ୍‌ସିବି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଗିରଫ କରିବା ସହ ଡ୍ରଗ୍ସ ସହ ବଲିଉଡ୍‌ର ଲିଙ୍କର ଖୋଳତାଡ ଜାରି ରଖିଛି । ଏହି ମାମଲାରେ ଅନେକ ଅଭିନେତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । (ଏଜେନ୍ସି)

Related posts