ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଫାଇଭ୍‌ ଟି ସଚିବ

Published: Dec 19, 2020, 12:44 pm IST

ପୁରୀ: ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ମନ୍ଦିର ଖୋଲିବାକୁ ଆଉ ୩ ଦିନ ରହିଥିବାବେଳେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍‌ଟି ସଚିବ ଭିକେ ପାଣ୍ଡିଆନ୍‌। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍‌ ଟି ସଚିବ। ସେହିଭଳି ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି ଫାଇଭ୍‌ ଟି ସଚିବ। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହିତ ଭିତର ଦର୍ଶନ ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ଫାଇଭ୍‌ ଟି ସଚିବ।  ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ବଫର ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି  ଫାଇଭ୍‌ ଟି ସଚିବ। ଫାଇଭ୍‌ ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି କନଓ୍ଵର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ପ୍ରଥମ ଦୁଇ ଦିନ ଅର୍ଥାତ୍‌ ୨୩ ଓ ୨୪ ତାରିଖରେ ସେବାୟତ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି। ତା’ପରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ପର୍ଯ୍ୟାୟକ୍ରମେ ଦର୍ଶନ ସୁବିଧା ମିଳିବ। ନୂଆବର୍ଷ ଉପଲକ୍ଷେ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଆସନ୍ତା ୩ ତାରିଖରୁ ସର୍ବସାଧାରଣ ଦର୍ଶନ ନିମେନ୍ତ ମନ୍ଦିର ଖୋଲାଯିବ ବୋଲି ସୂଚନା ରହିଛି। ଦର୍ଶନ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତା ମୂଳକ କରାଯାଇଛି। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ସୂଚନା ରହିଛି। ଦର୍ଶନ ସମୟରେ କୋଭିଡ୍‌ ନିୟମ ପାଳନ କରାଯିବ।

Related posts