ବଦଳିବ କି ସମୀକରଣ!: କଂଗ୍ରେସକୁ ତେରଚ୍ଛା ବାଣ ମାରିଲା ଶିବସେନା

Published: Dec 26, 2020, 12:38 pm IST

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସବୁକିଛି ଠିକ୍‌ଠାକ୍‌ ନଥିବା ପରି ଲାଗୁଛି। ମହାରାଷ୍ଟ୍ରରେ ମହାବିକାଶ ଅଘାଡି ଦଳ ଶାସନ କ୍ଷମତାରେ ରହିଛି। ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରି ମହା ବିକାଶ ଅଘାଡି ଦଳ ଗଠନ କରି ଶାସନ କରୁଛନ୍ତି। ତିନି ଦଳର ଏହି ସରକାରରେ ଏବେ ସବୁକିଛି ଠିକ୍‌ ନଥିବା ପରି ଲାଗୁଛି। ଶିବସେନା ଏନ୍‌ସିପି ମୁଖ୍ୟ ଶରଦ୍‌ ପାଓ୍ବାରଙ୍କୁ ହୃଦୟଖୋଲି ପ୍ରଶଂସା କରୁଥିବାବେଳେ ଈଶାରା ଈଶାରାରେ କଂଗ୍ରେସକୁ ଟାର୍ଗେଟ୍‌ କରୁଛି। ଶିବସେନାର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଥିବାବେଳେ କଂଗ୍ରେସକୁ ତେରେଚ୍ଛା ବାଣ ମାରିଛି।  କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଦାୟିତ୍ବହୀନ ରହିଥିବାବେଳେ ଦୁର୍ବଳ ରହିଛନ୍ତି ବିରୋଧୀ ବୋଲି ସାମ୍ନା ପତ୍ରିକାରେ ଉଲ୍ଲେଖ କରାଯାଇଛି।

ସାମ୍‌ନାରେ ବିନା ନାମରେ ଅନ୍ୟ ଦଳଗୁଡିକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଲୋକତନ୍ତ୍ରର ଅଧୋପତନ ଆରମ୍ଭ ହୋଇଛି। ଏଥିପାଇଁ ବିଜେପି କିମ୍ବା ମୋଦି-ଶାହା ସରକାର ଦାୟୀ ନୁହଁନ୍ତି, ବରଂ ବିରୋଧୀ ଦଳ ସବୁଠୁ ଅଧିକ ଦାୟୀ ବୋଲି କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ସରକାରକୁ ଦୋଷ  ନ ଦେଇ ବିରୋଧୀ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି।

ଏବେ ୟୁପିଏ୍‌ର ଅବସ୍ଥା ଏନ୍‌ଜିଓ ପରି ହୋଇଛି। କଂଗ୍ରେସର ନେତୃତ୍ବରେ ୟୁପିଏ କେବଳ ନାମକୁ ମାତ୍ର ରାଜନୈତିକ ସଙ୍ଗଠନ ଭାବେ ରହିଛି। ଏବେ ୟୁପିଏର ଅବସ୍ଥା ଏନ୍‌ଜିଓ ପରି ହୋଇଛି। ୟୁପିଏର ସହଯୋଗୀ ଦଳ କୃଷକଙ୍କ ଅସନ୍ତୋଷକୁ ଗମ୍ଭୀର ସହକାରେ ଗ୍ରହଣ କରୁଛି। ସେହିପରି ସାମ୍ନାରେ ଶରଦ ପାଓ୍ବାରଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି। ଶରଦ ପାଓ୍ବାର ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ବ । ରାଷ୍ଟ୍ରୀୟ ସ୍ତରରେ ତାଙ୍କ ବ୍ୟକ୍ତିତ୍ବ  ଅନୁଭବର ଲାଭ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅନ୍ୟ ଦଳମାନେ ମଧ୍ୟ ନେଇଥା’ନ୍ତି। ସେହିପରି କଂଗ୍ରେସର ଭବିଷ୍ୟତକୁ ନେଇ ସମେସ୍ତ ଚିନ୍ତିତ ବୋଲି ସାମ୍ନାରେ ଉଲ୍ଲେଖ ହୋଇଛି। କେବଳ ଶରଦପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଛାଡି ଦେଲେ ୟୁପିଏର ଅନ୍ୟ କୌଣସି ସହଯୋଗୀ ଦଳରେ କିଛି ହଲ୍‌ଚଲ୍‌ ହିଁ ଦେଖାଯାଉ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ ହୋଇଛି।

ବର୍ତ୍ତମାନ ସମୟରେ ବିରୋଧୀ ଦଳଙ୍କ ପାଇଁ ସର୍ବମାନ୍ୟ ନେତୃତ୍ବର ଆବଶ୍ୟକତା ରହିଛି। ରାହୁଲ୍‌ଙ୍କ ନେତୃତ୍ବ ନେବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରାଯିବା ଉଚିତ ବୋଲି ‘ସାମନା’ରେ ଉଲ୍ଲେଖ କରାଯାଇଛି।

ସେହିପରି ତୃଣମୂଳ କଂଗ୍ରେସ, ଶିବସେନା, ଅକାଳୀ ଦଳ, ମାୟାବତୀଙ୍କ ବସ୍‌ପା, ଅଖିଳେଶ ଯାଦବ, ଜଗନଙ୍କ ଓ୍ବାଇଏସ୍‌ଆର କଂଗ୍ରେସ, ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓ, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ କର୍ଣ୍ଣାଟକରେ କୁମାରସ୍ବାମୀଙ୍କ ପରି କିଛି ଦଳ ଓ ନେତା ବିଜେପି ବିରୋଧରେ ରହିଛନ୍ତି। ମାତ୍ର କଂଗ୍ରେସ ନେତୃତ୍ବାଧୀନ ୟୁପିଏରେ ସାମିଲ୍‌ ହେଉନାହାନ୍ତି। ଯେପର୍ଯ୍ୟନ୍ତ ଭାଜପା ବିରୋଧୀ ୟୁପିଏରେ ସାମିଲ୍‌ ହେବେ ନାହିଁ ବିରୋଧୀଙ୍କ ବାଣ ସରକାରଙ୍କୁ ଭେଦ କରିପାରିବ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ ରହିଛି।

ରାଜ୍ୟରେ ଉଦ୍ଧବ ସରକାର ଉଭୟ ଏନ୍‌ସିପି ଓ କଂଗ୍ରେସ ସହାୟତାରେ ଶାସନ ଚଳାଇଥିବାବେଳେ ସାମ୍ନାରେ ଏନ୍‌ସିପିର ମୁଖ୍ୟ ଶରଦ ପାଓ୍ବାରଙ୍କୁ ପ୍ରଶଂସାରେ ପୋତୁଥିବାବେଳେ କଂଗ୍ରେସକୁ ଟାର୍ଗେଟ୍‌ କରିଛି। ଅପରପକ୍ଷରେ ଏହି ପ୍ରସଙ୍ଗକୁ ଦେଖିଲେ ଶିବସେନାର ନିଜ ମନୋଭାବ ବଦଳାଉଥିବାର ଭଳି ଲାଗୁଛି। ତେବେ ମହାରାଷ୍ଟ୍ରରେ ମେଣ୍ଟ ସରକାରର ସମୀକରଣରେ ଏହା କ’ଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।  (ଏଜେନ୍ସି)

Related posts