
ନୂଆଦିଲ୍ଲୀ, ଦୀର୍ଘ ଦୁଇମାସ ଧରି ନୂଆ ଦିଲ୍ଲୀରେ ଚାଲିଛି ଚାଷୀ ଆନ୍ଦୋଳନ। ଯାହାକୁ ନେଇ ଦେଶ କାହିଁକି ବିଦେଶରେ ମଧ୍ୟ ଏହା ଉପରେ ସମାଲୋଚନା ଚାଲିଛି। ଏହିପରି ବଦନାମରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି। ଏହି ତିନୋଟି ଆଇନ ସଂପର୍କରେ ପ୍ରଚାର ପ୍ରସାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି। ବିଗତ କେତେ ମାସ ମଧ୍ୟରେ କେନ୍ଦ୍ର ସରକାର ଏହି କୃଷି ଆଇନ ସପକ୍ଷରେ ପ୍ରଚାର ପାଇଁ ପ୍ରାୟ 8 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
କଂଗ୍ରେସ ସାଂସଦ ସୟଦ ନାସିର ହୁସେନ୍ଙ୍କୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟସଭାକୁ କହିଛନ୍ତି ଯେ ନୂଆ କୃଷି ଆଇନ ସଚେତନତା ବିଜ୍ଞାପନ ପାଇଁ ତାଙ୍କ ମନ୍ତ୍ରଣାଳୟ 7 କୋଟି 25 ଲକ୍ଷ 57 ହଜାର 246 ଟଙ୍କା ଦେଇଛି। ଏହି ଟଙ୍କା ସେପ୍ଟେମ୍ବର 2020 ରୁ ଜାନୁୟାରୀ 2021 ମଧ୍ୟରେ ଖର୍ଚ୍ଚ କରାଯାଇଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।
କଂଗ୍ରେସ ସାଂସଦ ସୟଦ ନାସିର ହୁସେନ୍ ପ୍ରଶ୍ନ କରିଥିଲେ ଯେ. କୃଷି ଆଇନ ଉପରେ ବିଭ୍ରାନ୍ତିକର ପ୍ରଚାର ବିରୁଦ୍ଧରେ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର 2020 ରୁ ଜାନୁୟାରୀ 2021 ମଧ୍ୟରେ ପ୍ରଚାର ପାଇଁ କେତେ ଖର୍ଚ୍ଚ ହୋଇଛି । ଏହାର ଉତ୍ତରରେ ତୋମର କହିଛନ୍ତି ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆଉଟରିଚ ଏବଂ ଯୋଗାଯୋଗ ବ୍ୟୁରୋ (BOC) କୃଷି ନିୟମର ସଂପର୍କରେ ପ୍ରଚାର କରାଯାଇଛି। ଏଥିରେ ବିଜ୍ଞାପନ ପ୍ରଦାନ ପାଇଁ ପ୍ରାୟ 8 କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସେ କହିଛନ୍ତି, କୃଷକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ BOC ମାଧ୍ୟମରେ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷା ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହା ବ୍ୟତୀତ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ତିନୋଟି କୃଷି ଆଇନ ଉପରେ ଇଲୋଟ୍ରୋନିକ ଗଣମାଧ୍ୟମ, ସୋସିଆଲ ମିଡିଆ ଏବଂ ୱେବିନିନର୍ ମାଧ୍ୟମରେ ମଧ୍ୟ ବ୍ୟାପକ ପ୍ରଚାର କରାଯାଇଛି। ଏଥିପାଇଁ 67 ଲକ୍ଷ 99 ହଜାର 750 ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଏହି ଆଇନ ଉପରେ ଦୁଇଟି ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ମଧ୍ୟ 1 ଲକ୍ଷ 50 ହଜାର 568 ଟଙ୍କାର ଖର୍ଚ୍ଚ ହୋଇଛି।
ସାଂସଦଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ସରକାରୀ ବିଭାଗ, ବିଦେଶରେ ଥିବା ଏଜେନ୍ସି ଏବଂ ଭାରତୀୟ ଦୂତାବାସଗୁଡିକରୁ ସବିଶେଷ ତଥ୍ୟ ମାଗିଛନ୍ତି। କାରଣ ସେମାନଙ୍କୁ ମଧ୍ୟ କୃଷି ଆଇନ ପ୍ରଚାର ପାଇଁ କୁହାଯାଇଥିଲା। ତେବେ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ ସେମାନେ କୌଣସି ଖର୍ଚ୍ଚ କରି ନାହାଁନ୍ତି ବୋଲି ଅବଗତ କରାଇଛନ୍ତି। ସେ କହିଛନ୍ତି ତଥାପି ଅନେକ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସୋସିଆଲ ମିଡିଆରେ କୃଷି ଆଇନ ଉପରେ ପ୍ରବାସୀ ଭାରତୀୟଙ୍କୁ ସଚେତନ କରାଇଛନ୍ତି।
ଗତ ଫେବୃଆରୀ 5 ରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲଙ୍କ ଚାଷୀ ମୃତ୍ୟୁ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ତୋମାର କହିଥିଲେ କେନ୍ଦ୍ର ତିନୋଟି କୃଷି ବିଲ୍ ପାଶ କରିବା ପରେ ଏଥିପାଇଁ କୌଣସି ଚାଷୀଙ୍କ ମୃତ୍ୟୁ କିମ୍ବା ଆତ୍ମହତ୍ୟା ବିଷୟରେ କୌଣସି ରେକର୍ଡ ନାହିଁ। ତେବେ କୃଷକଙ୍କ ବିରୋଧ ସମୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ତିନିଟି ନିୟମକୁ ବିରୋଧ କରିବା ପାଇଁ ଦିଲ୍ଲୀ ଅଭିମୁଖେ ଯାଉଥିବା କୃଷକମାନଙ୍କ ଉପରେ ଦିଲ୍ଲୀ ପୋଲିସ କୌଣସି ମିଆଦ ସରିଯାଇଥିବା ଲୁହବୁହା ଗ୍ୟାସ ବ୍ୟବହାର କରି ନାହିଁ।
ଅନ୍ୟ ଏକ ପ୍ରଶ୍ନ ଥିଲା ଯେ କୃଷକ କଲ୍ୟାଣ ପାଣ୍ଠିରୁ ମୃତ କୃଷକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ କି? ଏହି ପ୍ରଶ୍ନର ଉତ୍ତର ତୋମାର ‘ନା’ ବୋଲି କହିଛନ୍ତି। ଏଥିସହିତ ଫେବୃଆରୀ 12 ଶୁକ୍ରବାର ଦିନ ଅନ୍ୟ ଏକ ପ୍ରଶ୍ନ ପଚରାଯାଇଥିଲା। ତାହା ଥିଲା ଏହି ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଏବଂ ତାଙ୍କ ପିଲାମାନଙ୍କୁ ପୁନଃଥଇଥାନ କିମ୍ବା କୌଣସି ସହାୟତା ଦିଆଯାଇପାରିବ କି ? ତୋମାର କହିଛନ୍ତି, ‘କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପାଖରେ ସେପରି କୌଣସି ବ୍ୟବସ୍ଥା ନାହିଁ ।
କୃଷି ବିଲକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ହଜାରହଜାର କୃଷକମାନେ ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଛାଉଣି କରି ଧାରଣ ଦେଇଛନ୍ତି। ଜାନୁଆରୀ 20 ପର୍ଯ୍ୟନ୍ତ ଦୁଇ ମାସରୁ ଅଧିକ ସମୟ ଧରି କୃଷକମାନେ ଆନ୍ଦୋଳନ କରିଚାଲିଛନ୍ତି। ତେବେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀର ବିଭିନ୍ନ ଆନ୍ଦୋଳନ ସ୍ଥଳରେ ଅତି କମରେ ପାଞ୍ଚ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିଭଳି ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଅନେକ କୃଷକ ମଧ୍ୟ ପ୍ରାଣ ହରାଇଛନ୍ତି।
ଚାଷୀମାନେ ମୁଖ୍ୟତଃ ତିନୋଟି ନୂତନ କୃଷି ନିୟମ ପ୍ରତ୍ୟାହାର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ପାଇଁ ଦାବି କରିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସହିତ ଚାଷୀ ସଂଗଠନର 11 ଥର ବୈଠକ ମଧ୍ୟ ହୋଇଛି। ଏଥିରେ 41ଟି ଚାଷୀ ସଂଗଠନ ଭାଗ ନେଇଥିଲେ। ହେଲେ ସେଥିରେ କୌଣସି ସୁଫଳ ମିଳିପାରି ନାହିଁ। ଇତିମଧ୍ୟରେ କେନ୍ଦ୍ର 18 ମାସ ପାଇଁ ଏହି ଆଇନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛନ୍ତି। ହେଲେ ତାହା କୃଷକ ସଂଗଠନ ଦ୍ୱାରା ପ୍ରତ୍ୟାଖିତ କରାଯାଇଛି। ଏହି ଆନ୍ଦୋଳନକୁ ନେଇ ବର୍ତ୍ତମାନ ଦେଶ ତଥା ବିଦେଶରେ ବେଶ୍ ଚର୍ଚ୍ଚା ଚାଲିଛି।