ବିଜୁବାବୁଙ୍କ ଜୟନ୍ତୀରେ କଣ କହୁଛନ୍ତି ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଜାଣନ୍ତୁ

Published: Mar 5, 2021, 9:52 pm IST

ଭୁବନେଶ୍ବର,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105 ତମ ଜନ୍ମ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ସେ କହିଛନ୍ତି ଯେ, ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ। ସେବା ଓ ସ୍ଵାଭିମାନ ଥିଲା ତାଙ୍କ ଆଦର୍ଶ। ଏହି ଆଦର୍ଶରେ ଆମ ଦଳର ଲକ୍ଷ ଲକ୍ଷ କର୍ମୀ , ଭାଇ ଭଉଣୀ କାମ କରି ଚାଲିଛନ୍ତି। ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

ଆଜି ଯେତେବେଳେ ଗାଁର କଚା ଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ ହଉଛି, ତା ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅ ରେ ତା ଘର ଉଜ୍ଜ୍ଵଳ ଦିସୁଛି, ସେତେବେଳେ ତା ମୁହଁ ରେ ହସ ଆସୁଛି। ଆଉ ତାହା ହଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର।

ଆଜି ଯେତେବେଳେ ମା ଟିଏ ପଞ୍ଚାୟତ ଅଫିସରେ ବସି ଗାଁ ର ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ର ମା ଟିଏ ଆଜି ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତାର ପରିବାର ପାଇଁ ସମୃଦ୍ଧି ଆଣୁଛି; ସେତେବେଳେ ବିକାଶର ଚିତ୍ର ଉଜ୍ଜ୍ଵଳ ଦିଶୁଛି। ସରକାରୀ ସ୍କୁଲରେ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହେଉଛି ସେତେବେଳେ ଯୁବ ସମାଜର ସ୍ଵପ୍ନ ଦିଗନ୍ତ ପ୍ରସାରୀ ହଉଛି ।

କ୍ରୀଡା କ୍ଷେତ୍ରରେ ନୂଆ ସୁଯୋଗ ଯୁବ ସମାଜ ପାଇଁ, ତା ପ୍ରତିଭା ର ବିକାଶ ପାଇଁ ରାସ୍ତା ଦେଖାଉଛି। ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ତଥାପି ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି ।
ଆସନ୍ତୁ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆମେ ସମସ୍ତେ ମିଳିମିଶି ତାଙ୍କ ଆଦର୍ଶରେ ଚାରି କୋଟି ଓଡିଶା ବାସୀଙ୍କ ସେବା ପାଇଁ ପୁଣିଥରେ ଶପଥ ନେବା। ଓଡ଼ିଶାର ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବା।

ବନ୍ଦେ ଉତ୍କଳ ଜନନୀ

Related posts