ନୂଆପଡା ଜିଲ୍ଲା ପାଇଁ ୨୩୩୭ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ

Published: Mar 10, 2021, 2:23 pm IST

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଗସ୍ତରେ ଯାଇ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲୋୟାର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଏବଂ ବିଭିନ୍ନ ପିଇବା ପାଣି ପ୍ରକଳ୍ପ।ନୂଆପଡାର ତିନୋଟି ମୁଖ୍ୟ ସମସ୍ୟା ଥିଲା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗ । ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଥିଲେ । ଜଳ ସେଚନ ଅଭାବରୁ ଚାଷବାସ ରେ ଅସୁବିଧା ହେଉଥିଲା ଏବଂ ଯୋଗାଯୋଗ ବ୍ୟବସ୍ତା ଉନ୍ନତ ନଥିବାରୁ ଆର୍ଥିକ ଉନ୍ନତି ସାଧିତ ହୋଇ ପାରୁନଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ନେତୃତ୍ବରେ ନୂଆପଡାର ଏହି ୩ ଗୋଟି ସମସ୍ୟାର ସମାଧାନ ହୋଇ ପାରିଛି ଏବଂ ନୂଆପଡା ଓଡିଶାର ବିକାଶ ଇତିହାସ ରେ ନିଜର ସ୍ଥାନ ସୁଦୃଢ କରିପାରିଛି । ଏହି ଅବସରରେ ଆଜି ଖଡିଆଳ ଠାରେ ଏକ ବିରାଟ ଜନସଭା କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ନୂଆପଡା ବାସୀ ଫ୍ଲୋରାଇଡ ପାଣି ଯୋଗୁଁ ବହୁତ ସମସ୍ୟାର ସମୁଖୀନ ହେଉଥିଲେ । ମା ମାନଙ୍କୁ ଭଲ ପିଇବା ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା । ଆଜି ସେ ସମସ୍ୟା ନାହିଁ । ଆଜି ନୂଆପଡା ର ଏକ ଲକ୍ଷ ପରିବାର ପାଖରେ ଆଜି ପାଇପ ପାଣି ପହଞ୍ଚି ପାରିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ପାଣିରୁ ଫ୍ଲୋରାଇଡ ଦୂର କରିବା ପାଇଁ ୧୧୦୦ ରୁ ଅଧିକ ପାଣିରୁ ଫ୍ଲୋରାଇଡ ନିଷ୍କାସନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ୯୦୦ ରୁ ଅଧିକ ଗାଁ କୁ ସଂପୂର୍ଣ୍ଣ ଭାବରେ ଫ୍ଲୋରାଇଡ ସମସ୍ୟା ରୁ ମୁକ୍ତ କରାଯାଇଛି । ୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କା ୨୦୫ ଟି ପାଇପ ପାଣି ଯୋଗାଣ ପ୍ରକଳ୍ପ ଏବଂ ଗୋଟିଏ ମେଗା ପାଇପ ପାଣି ଯୋଗାଣ ପ୍ରକଳ୍ପର କାମ ଚାଲିଛି ।

ଆଜି ଉଦଘାଟିତ ଲୋୟାର ଇନ୍ଦ୍ର ପ୍ରକଳ୍ପକୁ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚିର ମରୁଡି ପ୍ରପୀଡିତ ଅଞ୍ଚଳ ନୂଆପଡାରେ ଆଜି ନୂଆ ସବୁଜିମା ସୃଷ୍ଟି ହୋଇଛି । ନୂଆପଡା ଆଜି ବିକାଶର ନୂଆ ଇତିହାସ ଲେଖିଛି । ଜିଲ୍ଲାରେ ଗତ ଦଶ ବର୍ଷ ମଧ୍ୟରେ ଜଳସେଚନ ସୁବିଧା ୫୪ପ୍ରତିଶତ ବଢିଛି । ଜିଲ୍ଲାର ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି ।

ନୂଆପଡା ର ଚାଷୀ ଆଜି ଧାନ ଉତ୍ପାଦନ ସହିତ ଆଜି ମକା ଚାଷ , କପା ଚାଷ କରିପାରୁଛି । ଆଜିର ଏ ପ୍ରକଳ୍ପ ଚାଷୀ ମାନଙ୍କ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବ । ଏ ପ୍ରକଳ୍ପ ଦ୍ଵାରା ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗୀର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର ୨୦୦ ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସେମାନଙ୍କ ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।

ନୂଆପଡାରେ ଚାଲିଥିବା ୨୨୦ କୋଟି ଟଙ୍କାର ମେଗା ଉଠା ଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହା ଦ୍ଵାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମି କୁ ପାଣି ମିଳିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଲୋୟାର ଇନ୍ଦ୍ର ପ୍ରକଳ୍ପ ଭୂମିତଳ ପାଇପ ଲାଇନ ଟେକନଲୋଜିରେ ନିର୍ମିତ ହୋଇଥିବାରୁ ଏହି ପ୍ରକଳ୍ପରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇବା ପାଇଁ କାମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଲୋୟାର ଇନ୍ଦ୍ର ସାଇଟରେ ୩ କୋଟି ଟଙ୍କା ବ୍ୟୟ ରେ ଏକ ବିଜ୍ଞାନ ପାର୍କ ଓ ସଂଗ୍ରହାଳୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ନୂଆପଡା ଓ ଖଡିଆଳ ଏନଏସିରେ ଦୁଇଟି ଇନଡୋର ଷ୍ଟାଡିୟମ ସହିତ ଖଡିଆଳ ସ୍ବୟଂଶାସିତ କଲେଜରେ କ୍ରୀଡା ଭିତ୍ତିଭୂମି ର ବିକାଶ କରାଯିବ ।

ନୂଆପଡା ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ବିକାଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡାରେ ଶିଶୁ ମୃତ୍ୟୁ ହାର କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି । ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ରାଜ୍ୟର ବଡ ବଡ ସହରର ଡାକ୍ତରଖାନା ସହ ସମକକ୍ଷ ହୋଇପଡ଼ିଛି। ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କା ଖର୍ଚ୍ଚରେ ୧୩୨ କି.ମି ରାସ୍ତା କେବଳ ନୂଆପଡା ରେ ହିଁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଜିଲ୍ଲା ର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ନୂଆପଡା ସହ ବିଜୁବାବୁଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡା କୁ ବିଜୁବାବୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” ।

ଆଜି ନୂଆପଡାର ରୂପାନ୍ତର କୁ ଆପଣ ମାନେ ଦେଖି ପାରୁଛନ୍ତି ଓ ଅନୁଭବ କରିପାରୁଛନ୍ତି । ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାର ଭେଲା ଗାଁ ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭେଲା ର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସ୍ମାରକ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓ ନୂଆପଡା ଜିଲ୍ଲାର ବିଧାୟକ ମାନେ ମୁଖ୍ୟ ଶାସନ ସଚିବ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଏବଂ 5ଟି ସଚିବ ଭି.କେ ପାଣ୍ଡିୟାନ ଯୋଗ ଦେଇଥିଲେ ।

Related posts