ଗମ୍ଭୀର ହେବାରେ ଲାଗିଛି ଦେଶର କରୋନା ସ୍ଥିତି, ଆଠଟି ରାଜ୍ୟ ଚିନ୍ତାର କାରଣ ପାଲଟିଛି

Published: Apr 8, 2021, 7:06 am IST

ନୂଆଦିଲ୍ଲୀ, ୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ତାମିଲନାଡୁ ଓ କେରଳରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା ମଧ୍ୟରୁ ୮୦.୭୦% ଏହି ୮ଟି ରାଜ୍ୟରୁ ଆସିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୫,୪୬୯ ନୂଆ ମାମଲା ରେକର୍ଡ କରାଯାଇଛି । ଏହା ପଛକୁ ଥିବା ଛତିଶଗଡ଼ରେ ୯,୯୨୧ ନୂଆ ମାମଲା ଦେଖାଦେଇଥିବା ବେଳେ କର୍ଣ୍ଣାଟକରେ ୬,୧୫୦ ମାମଲା ସାମ୍ନାକୁ ଆସିଛି ।

ଭାରତର ମୋଟ ସକ୍ରିୟ କରୋନା ମାମଲା ୮,୪୩,୪୭୩ରେ ପହଞ୍ଚିଛି । ଭାରତର ମୋଟ କରୋନା ମାମଲାର ଏହା ଏବେ ୬.୫୯% ରହିଛି । ଗତ ୨୪ ଘଣ୍ଟାରେ ଦେଶର ମୋଟ ସକ୍ରିୟ ମାମଲାରେ ଆଉ ୫୫,୨୫୦ ଯୋଡ଼ି ହୋଇଯାଇଛି ।

ଭାରତର ମୋଟ କରୋନା ସକ୍ରିୟ ମାମଲା ମଧ୍ୟରୁ ୭୪.୫% ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, କେରଳ ଓ ଉତ୍ତର ପ୍ରଦେଶରୁ ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୫୬.୧୭% କେବଳ ମହାରାଷ୍ଟ୍ରରୁ ରହିଛି ।

ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ସକ୍ରିୟ ଭାବେ ସାମିଲ ରହି କାର‌୍ୟ୍ୟ କରୁଛି । ବିଶେଷକରି ଅଧିକ ନୂଆ ମାମଲା ବଢୁଥିବା ଏବଂ ସକ୍ରିୟ ମାମଲା ଅଧିକ ରହିଥିବା ରାଜ୍ୟଗୁଡ଼ିକ ଉପରେ ଅଧିକ ଫୋକସ ଦିଆଯାଉଛି ।

ଗତ ଏପ୍ରିଲ ୪ ତାରିଖରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କରୋନା ମହାମାରୀ ଓ ଦେଶବ୍ୟାପୀ ଚାଲିଥିବା ଟିକାକରଣ ସ୍ଥିତିର ସମୀକ୍ଷା କରିଥିଲେ । ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗତକାଲି ଭିଡିଓ କନଫରେନ୍ସ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୋଭିଡ-୧୯ ମାମଲା ସଂଖ୍ୟା ଅଧିକ ଥିବା ଏବଂ ଅଧିକ ମୃତ୍ୟୁ ହାର ଥିବା ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ଓ ଟିକାକରଣ ସ୍ଥିତି ବାବଦରେ ସମୀକ୍ଷା କରିଥିଲେ ।

ସେହିଭଳି ଗତ ଏପ୍ରିଲ ୨ ତାରିଖ ଅର୍ଥାତ ଶୁକ୍ରବାର କ୍ୟାବିନେଟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜିପି ଏବଂ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ । ବୈଠକରେ ବିଶେଷକରି ଗତ ଦୁଇ ସପ୍ତାହ ହେଲା ଦୈନିକ ମାମଲା ଅଧିକ ରହିଥିବା ଏବଂ ଦୈନିକ କରୋନା ମୃତ୍ୟୁ ହାର ଅଧିକ ଦେଖିଥିବା ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାଛଡ଼ା ନିୟମିତ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କ ସହ ବୈଠକ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସ୍ଥିତି ଉପରେ ନଜର ରଖିଛନ୍ତି ।

କେନ୍ଦ୍ର ସରକାର ଇତିମଧ୍ୟରେ ମହାରାଷ୍ଟ୍ର, ପଂଜାବ ଓ ଛତିଶଗଡ଼କୁ ୫୦ଟି ଉଚ୍ଚସ୍ତରୀୟ ଟିମ ପଠାଇଛନ୍ତି । କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବାବଦରେ ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡ଼ିକୁ ଏହି ଟିମଗୁଡ଼ିକ ସହଯୋଗ ପ୍ରଦାନ କରିବେ । ଏହି ଟିମଗୁଡ଼ିକ ରାଜ୍ୟଗୁଡ଼ିକରେ ୩-୫ ଦିନ ପାଇଁ ରହିବେ ।

ଅନ୍ୟପକ୍ଷରେ ଭାରତର ମୋଟ କରୋନା ଆରୋଗ୍ୟ ମାମଲା ଆଜି ୧,୧୭,୯୨,୧୩୫ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ଏବେ ୯୨.୧୧% ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୫୯,୮୫୬ ଜଣ ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୬୩୦ କରୋନା ମୃତ୍ୟୁ ରେକର୍ଡ କରାଯାଇଛି ।

ନୂଆ ଦୈନିକ କରୋନା ମୃତ୍ୟୁ ମଧ୍ୟରୁ ୮ଟି ରାଜ୍ୟର ଅଂଶ ୮୪.୪୪% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୯୭ ରୋଗୀ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ଥିବା ପଂଜାବରେ ୬୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶର କରୋନା ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଏବଂ ଏହା ଏବେ ୧.୩୦% ରହିଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କୋଭିଡ-୧୯ ମୃତ୍ୟୁ ରିପୋର୍ଟ ହୋଇନାହିଁ । ଏଗୁଡ଼ିକ ମଧ୍ୟରେ ଓଡ଼ିଶା, ଲଦାଖ (ୟୁଟି), ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି, ନାଗାଲାଣ୍ଡ, ମେଘାଳୟ, ସିକ୍କିମ, ମଣିପୁର, ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜ ଏବଂ ଅରୁଣାଚଳ ପ୍ରଦେଶ ରହିଛି ।

Related posts