ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ, ନୂଆ ତାରିଖ ଘୋଷଣା କଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ

Published: Apr 22, 2021, 3:29 pm IST

ଭୁବନେଶ୍ବର, ପିପିଲି ଉପନିର୍ବାଚନ ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଉପ ନିର୍ବାଚନ ମେ ମାସ 13 ତାରିଖରେ ହେବାର ଥିଲା ଏବଂ ଗଣତି ମେ 17 ତାରିଖକୁ ନିର୍ଦ୍ଧାରିତ କରାଯାଇଥିଲା।

ହେଲେ ବର୍ତ୍ତମାନ ନୂଆ ତାରିଖ ଅନୁସାରେ ପିପିଲି ଉପନିର୍ବାଚନ ଆସନ୍ତା ମେ 16 ତାରିଖରେ ହେବ। ଭୋଟ ଗଣତି ମେ 19 ତାରିଖରେ କରାଯିବ। ନିର୍ବାଚନର ସମସ୍ତ ପକ୍ରିୟା 21 ତାରିଖ ସୁଦ୍ଧା ଶେଷ କରାଯିବ।

ମେ 13 ତାରିଖରେ ଇଦୁଲ-ଇ-ଫିତର ହେବାର ସମ୍ଭାବନା ଥିବାରୁ ଏ ନେଇ କେତେକ ସଂଗଠନ ତରଫରୁ ନିର୍ବାଚନ ଆୟୋଗକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସବୁକୁ ଅନୁଧ୍ୟାନ କରି କମିସନର ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି।

ପ୍ରଥମେ ଏହି ଆସନରୁ ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ପରଲୋକରେ ଉପନିର୍ବାଚନ ଏପ୍ରିଲ 17 ତାରିଖରେ ହେବାର ଥିଲା। ସେତେବେଳେ ବିଜ୍ଞପ୍ତି ପ୍ରକାଶ ପାଇଁ ପ୍ରାର୍ଥି ପତ୍ର ଦାଖଲ କରାଯାଇ ପ୍ରଚାର ଆରମ୍ଭ ହୋଇଯାଇଥିଲା।

ହେଲେ ଦୁଃଖର କଥା କଂଗ୍ରେସ ପ୍ରାର୍ଥି ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ପରେ ଏହି ନିର୍ବାଚନ ସ୍ଥଗିତ ରଖାଗଲା। ପରେ ଏହା ମେ 13 ତାରିଖରେ ହେବ ବୋଲି ନିର୍ଦ୍ଧାରିତ କରାଯାଇଥିଲା। ଏବେ ପୁଣି ଥରେ ଏହା ନିର୍ଦ୍ଧାରିତ କରାଯାଇ ମେ 16 ତାରିଖରେ ଭୋଟ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି।

Related posts