
ଭୁବନେଶ୍ବର, ରଜ ହେଉଛି ଓଡିଶାର ଏକ ଗଣପର୍ବ। ଏହି ପର୍ବ ସମୟରେ ଗାଁଗଣ୍ଡା ଉଛୁଳି ପଡେ। ବିଶେଷ କରି ଝିଅମାନଙ୍କର ଏହି ପର୍ବ ବେଶ ଆନନ୍ଦ ଦାୟକ। ତେବେ ଏହି ରଜରେ ଏକ ବହୁଳ ବ୍ୟବହାର ଜିନିଷ ହେଉଛି ପାନ। ସାଧାରଣତଃ ଅନେକ ଲୋକ ପାନ ଦୈନିକ ବ୍ୟବହାର କରିଥାନ୍ତି। ହେଲେ ରଜରେ ପ୍ରାୟ ସମସ୍ତେ ପାନ ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷ କରି ଝିଅମାନେ ରଜ ତିନିଦିନ ପାନଖାଇ ପାଟି ଲାଲ କରି ଗାଁ ଦାଣ୍ଡରେ ବୁଲିଥାନ୍ତି।
ପାନ ଓଡିଆ ସଂସ୍କୃତିରେ କାହିଁ କେଉଁ କାଳରୁ ରହିଆସିଛି। ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଇଷ୍ଟ ଦେବାତା ଜଗନ୍ନାଥ ପ୍ରତିଦିନ ଭୋଜନ ପରେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିଥାଏ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରି ବନ୍ଦୁତ୍ବ ସଂପର୍କକୁ ସୁଦୃଢ କରିଥାନ୍ତି।
ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ହେଉଛି ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ ବା କ୍ୟାଲସିଅମ ଏବଂ ଖଇର ଦାନ୍ତକୁ ମଜଭୁତ କରିଥାଏ । ରଜ ପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ ।
ଏହାକୁ ବିଭିନ୍ନ ଢଙ୍ଗରେ ମଧ୍ୟ ଭଙ୍ଗା ଯାଇଥାଏ। ସେଥିମଧ୍ୟରେ ରହିଛି ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଏପରିକି ପାନ ଦୋକାନୀମାନେ ରଜ ସମୟରେ ପାନ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥାନ୍ତି। ରଜ ଏକ ସଂପର୍କର ବାନ୍ଧିବାର ପର୍ବ ହୋଇଥିବାରୁ ପାନ ତାହାର ମାଧ୍ୟମ ହୋଇଆସିଛି।