ମୋଦି ମମତାଙ୍କ ନିକଟକୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ପଠାଇଲେ ଆମ୍ବ, ରାଜନୈତିକ ମହଲରେ ଚର୍ଚ୍ଚା

Published: Jul 5, 2021, 1:17 pm IST

ନୂଆଦିଲ୍ଲୀ, ନିକଟରେ ପଶ୍ଚିମବଂଗ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଚାଲିଥିଲା କଡା ଟକ୍କର। ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏବେବି କୋଲକାତା ରାଜନୀତି ଗରମ ରହିଛି। ଏପରି କ୍ଷେତ୍ରରେ ଆସିଛି ଏକ ନୂଆ ଖବର। ଯେଉଁ ଖବର ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ସେହି ଖବରଟି ହେଲା ଯେ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା ଉଭୟ ପ୍ରଧାନମନ୍ତ୍ରୀ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଉପହାର। ଆଉ ତାହା ହେଲା ବାଙ୍ଗଲାଦେଶୀୟ ଦେଶୀ ଆମ୍ବ। ସୂଚନା ଅନୁସାରେ ଉଭୟଙ୍କ ନିକଟକୁ ହାସିନା ପ୍ରାୟ 26 କ୍ବିଣ୍ଟାଲ ବା 2600 କିଲୋଗ୍ରାମର ଆମ୍ବ ପଠାଇଛନ୍ତି।

ଏହି ଆମ୍ବ ନାମ ହେଉଛି ହରିଭଙ୍ଗା , ଯାହା ଏକ ବିରଳ ପ୍ରକାରର ଆମ୍ବ। ଏହା ବାଙ୍ଗଲାଦେଶର ରଂଗପୁରା ଜିଲ୍ଲାରେ ବିଶେଷ ଭାବେ ହୋଇଥାଏ। ଏହି ଆମ୍ବକୁ 260ଟି କାର୍ଟୁନରେ ଭର୍ତ୍ତି କରି ଟ୍ରକରେ ପଠାଯାଇଛି। ଗତକାଲି ରବିବାରରେ ବାଙ୍ଗଲାଦେଶ ଭାରତ ସୀମାରେ ଥିବା ବିନାପୁଲ ଚେକିଂ ଗେଟ ପାର ହେବା ପରେ ଏହା ଜଣାପଡିଥିଲା।

ଏହି ଆମ୍ବ ଟ୍ରକ ସିଧା କୋଲକାତାରେ ଥିବା ବାଙ୍ଗଲାଦେଶ ହାଇ କମିସନରଙ୍କ ଅଫିସରେ ପହଁଚିଥିଲା। ସେଠାରେ ହାଇକମିଶନର ମହମ୍ମଦ ସାମୁୟାଲ କ୍ୟୁଦାର ଏହାକୁ ଗ୍ରହଣ କରିଥିଲେ। ସେ ତୁରନ୍ତ କୋଲକାତାସ୍ଥିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନକୁ ପଠାଇଛନ୍ତି।

କୌଣସି ଦେଶର ପ୍ରଧାନମନ୍ତ୍ରୀ ଅନ୍ୟ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ କିଛି ଉପହାର ଦେବା ଏକ ଭଲ ପରଂପରା। କାରଣ ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବର ସଂପର୍କ ସୁଦୃଢ ହୋଇଥାଏ। ପୂର୍ବରୁ ଏହି ପରଂପରା ଅନେକ ଦେଶରେ ମଧ୍ୟ ଘଟଛି।

ହେଲେ ମୋଦି ମମତାଙ୍କ ମଧ୍ୟରେ ଯେପରି ଅହିନକୁଳ ସଂପର୍କ ସେଥିରେ ଏପରି ଉପହାରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ମମତା ମୋଦିଙ୍କ ମଧ୍ୟରେ ସଂପର୍କ ଯୋଡିବାରେ ସେଖ୍ ହାସିନ ମଧ୍ୟସ୍ଥତା କରିବେ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ( ଏଥିରେ ବ୍ୟବହାର ହୋଇଥିବା ଫଟୋଟି ଏକ ପୁରୁଣା ଫଟୋ)

Related posts