ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସରଗରମ ରାଜନୀତି, ନେତାଙ୍କ ଦିଲ୍ଲୀ ଆଗମନ ଆରମ୍ଭ, ଅପରାହ୍ନରେ ବୈଠକ

Published: Jul 6, 2021, 12:05 pm IST

ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସଂପ୍ରସାରଣ ତଥା ଅଦଳ ବଦଳ ନେଇ ଆଜି ସକାଳୁ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ବଡବଡ ନେତାଙ୍କ ଘରେ ପଂଇତରା ମାରିବା ଆରମ୍ଭ କରିଦେଲେଣି। କେତେକ ବିମାନ ବନ୍ଦରରେ ଡେରା ପକାଇଛନ୍ତି। କିଏ ସେ ଦିଲ୍ଲୀ ଆସୁଛି ସେ ନେଇ ଖବର ସଂଗ୍ରହ କରିବା ଆରମ୍ଭ ହୋଇଯାଇଛି।

ସୁତ୍ର ଅନୁସାରେ ବର୍ତ୍ତମାନ ଧିରେ ଧିରେ ନୂଆ ଦିଲ୍ଲୀକୁ ନେତାମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ 3 ଟା 30ରେ ଦିଲ୍ଲୀରେ ପହଁଚୁଥିବାର ଜଣାପଡିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ ଅପରାହ୍ନରେ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆଉ କେତେକ ନେତା ମଧ୍ୟ ଆଜି ଅପରାହ୍ନରେ ଦିଲ୍ଲୀର ପହଞ୍ଚୁଥିବା ଜଣାପଡିଛି।

ଏକ ବିଶେଷ ସୁତ୍ରର ଖବର ଅନୁସାରେ ଆଜି ଅପରହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଶେଷ ସ୍ପର୍ଶ ଦେବେ। ସେଥିପାଇଁ ସେ ଗୃହମନ୍ତ୍ରୀ ଅମିତ ସାହା ଏବଂ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସହିତ ଅପରାହ୍ନରେ ଆଲୋଚନା କରିବେ। ପୂର୍ବରୁ ଏମାନଙ୍କର ଅନେକ ଥର ବୈଠକ ବସି ତାଲିକା ପ୍ରସ୍ତୁତ ସରିଛି। ତେବେ ଆଜି ଏହି ବୈଠକରେ ଶେଷ ସ୍ପର୍ଶ ଦିଆଯିବା ସହ ନୂଆ ମନ୍ତ୍ରୀମାନଙ୍କୁ ଫୋନ କରି ଦିଲ୍ଲୀ ଡକାଯିବ ବୋଲି ଜଣାପଡିଛି। ତେବେ କେତେକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତାକାଲି କିମ୍ବା ଗୁରୁବାରରେ ଏହି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ।

Related posts