ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ୟୁ’ ଟର୍ଣ୍ଣ, ସେବେ ନବୀନଙ୍କୁ ସମାଲୋଚନା ଏବେ ପ୍ରଶଂସା, କାରଣ କଣ ?

Published: Aug 8, 2021, 8:55 pm IST

ଭୁବନେଶ୍ବର, ଆଜି ସମ୍ବାଦ ଖବରକାଗଜ ଯେ କେହି ଦେଖିବ ସେ ପ୍ରଥମ ପୃଷ୍ଠା ପଢି ଆଶ୍ଚର୍ଯ୍ୟ ହେବ। କାରଣ ହେଲା ଆଜି ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲରେ ଯାହା ଲେଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପୂର୍ବରୁ ‘ ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି’ ? ଲେଖା ସହିତ ଆଜିର ‘ଟୋକିଓ ଅଲମ୍ପିକ୍ସର ବାର୍ତ୍ତା’ ଲେଖା ପୁରା ‘ୟୁ’ ଟର୍ଣ୍ଣ ମାରିଛି।

ଏଥର ଲେଖାରେ ସୌମ୍ୟରଂଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ୍ ପ୍ରଶଂସାରେ ପୋତି ପକାଇଛନ୍ତି। ହକି ଇଣ୍ଡିଆର ପ୍ରାୟୋଜକ ସାଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଦୂରଦର୍ଶି କାର୍ଯ୍ୟ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ନବୀନଙ୍କ ହକି ଇଣ୍ଡିଆର ପ୍ରାୟୋଜକ ହେବା ନିଷ୍ପତି ସାରା ଦେଶରେ ପ୍ରଶଂସା କରାଯାଉଛି। ହେଲେ ସୌମ୍ୟରଂଜନ ପ୍ରଶଂସା କରିବା ଘଟଣା ଭିନ୍ନ ଦୃଷ୍ଟିଭଙ୍ଗି ସୃଷ୍ଟି କରୁଛି।

ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେଲା ଏଥର ଲେଖାରେ ସୌମ୍ୟରଂଜନ ‘ମାନ୍ୟବର’ ନବୀନ ପଟ୍ଟନାୟକ ବୋଲି ସମ୍ବୋଧିତ କରିଛନ୍ତି। ତାଙ୍କର ପୂର୍ବ ଲେଖାରେ ସେ ଏହି ‘ମାନ୍ୟବର’ ଶଦ୍ଦଟି ବ୍ୟବହାର କରି ନ ଥିଲେ। ସାଧାରଣତଃ ମିଡିଆରେ କାହାକୁ ବି ମାନ୍ୟବର ଶଦ୍ଦ ବ୍ୟବହାର କରାଯାଉ ନ ଥିବା ବେଳେ ସୌମ୍ୟରଂଜନ କିନ୍ତୁ ତାହା ଲେଖିଛନ୍ତି। ତେବେ ହଠାତ କଣ ହେଲା କେଜାଣି ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବେଶ୍ ଗଦଗଦ୍ ହୋଇପଡିଛନ୍ତି।

ରାଜନୈତିକ ପାଣିପାଗ ଅନୁସାରେ ନବୀନ ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅଦଳବଦଳ କରୁଛନ୍ତି। ସେଥିରେ ସୌମ୍ୟରଂଜନଙ୍କୁ ସାମିଲ କରିବା ପାଇଁ ସେ କୁଆଡେ ଏପର ଅସ୍ତ୍ର ପ୍ରୟୋଗ କରିଛନ୍ତି ବୋଲି କୁହାଯାଉଛି। ଚଳିତ ସରକାରରେ ସୌମ୍ୟରଂଜନ ମନ୍ତ୍ରୀ ହୋଇ ଥାଆନ୍ତେ। ହେଲେ ନବୀନ ତାଙ୍କୁ ବିଶ୍ବାସକୁ ନେଇପାରିଲେ ନାହିଁ। ଫଳରେ ସୌମ୍ୟରଂଜନ ଭିତରେ ଭିତରେ ରାଗ ତମତମ ହୋଇ ରହିଛନ୍ତି।

ତେବେ ଏଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ସୌମ୍ୟରଂଜନ ନବୀନଙ୍କ ବିଶ୍ବାସ ଭାଜନ ପାଇଁ ଚେଷ୍ଠା କରୁଛନ୍ତି। ସେଥିପାଇଁ ସେ ଏପରି ଲେଖା ଲେଖିଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ମନ୍ତ୍ରୀ ହେବା ପର୍ଯ୍ୟନ୍ତ ସୌମ୍ୟରଂଜନ ନବୀନଙ୍କୁ ଖୁସି କରିବା ପାଇଁ ଏମିତି ଆହୁରି କିଛି ଲେଖା ପ୍ରକାଶ କରିବେ ବୋଲି ଜଣାପଡିଛି।

Related posts