ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

Published: Sep 8, 2021, 4:29 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ସୁନିଶ୍ଚିତ ଲାଭଜନକ ମୂଲ୍ୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ସରକାର ୨୦୨୨-୨୩ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ପୂର୍ବ ବର୍ଷ ତୁଳନାରେ କେତେକ ନିର୍ଦ୍ଦିଷ୍ଟ ଫସଲରେ ସର୍ବୋଚ୍ଚ ଏମଏସପି ବୃଦ୍ଧି ପାଇଁ ସୁପାରିସ କରାଯାଇଛି।

ଏହି ଫସଲଗୁଡ଼ିକ ମଧ୍ୟରେ ରହିଛି ମସୁର, ତୈଳ ବୀଜ ଓ ସୋରିଷ। ଏହି ତିନୋଟି ଫସଲରେ କୁଇଣ୍ଟାଲ ପ୍ରତି ୪୦୦ ଟଙ୍କା ଲେଖାଏଁ ଏମଏସପି ବୃଦ୍ଧି କରାଯାଇଛି। ସେହିପରି ଚଣାରେ କୁଇଣ୍ଟାଲ ପ୍ରତି ଏମଏସପି ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବବର୍ଷ ତୁଳନାରେ କୁସୁମ ଉପରେ କୁଇଣ୍ଟାଲ ପ୍ରତି ୧୧୪ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି। ଫସଲ ବିବିଧକରଣକୁ ପ୍ରୋତ୍ସାହନ ଲକ୍ଷ୍ୟ ନେଇ ଫସଲର ଏଭଳି ଭିନ୍ନ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।

ଏଥିରେ ପରିଶୋଧ କରାଯାଇଥିବା ସମସ୍ତ ଖର୍ଚ୍ଚ ସାମିଲ ରହିଛି, ଅର୍ଥାତ ଶ୍ରମିକମାନଙ୍କୁ ମଜୁରି, ବଳଦ କିମ୍ବା ମେସିନ ସାହାଯ୍ୟରେ ହଳ ଏବଂ ଅନ୍ୟ କାମ, ଭାଗରେ ଦିଆଯାଇଥିବା ଜମିର ଭଡ଼ା, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କ୍ଷେତ ପ୍ରସ୍ତୁତିରେ ହେଉଥିବା ଖର୍ଚ୍ଚ, ଗତିଶୀଳ ପୁଞ୍ଜି ଉପରେ ସୁଧ, ପମ୍ପ ସେଟ ଆଦି ଚାଲିବା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଏଥିରେ ସାମିଲ ରହିଛି। ଏହାବ୍ୟତୀତ ଅନ୍ୟ ଖର୍ଚ୍ଚ ଏବଂ ପରିବାର ଦ୍ବାରା କରାଯାଉଥିବା ଶ୍ରମର ମୂଲ୍ୟ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ।

ଗତ କିଛି ବର୍ଷ ଧରି କେତେକ ତୈଳବୀଜ, ଡାଲି, ମୋଟା ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ବ୍ୟବସ୍ଥିତ କରିବା ଲାଗି ମିଳିତ ଭାବେ ପ୍ରୟାସ କରାଯାଇ ଆସୁଛି। ଯାହାଫଳରେ ଚାଷୀମାନେ ଅଧିକ ଜମିରେ ଏସବୁ ଫସଲ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ ହେବେ। ଏଥିପାଇଁ ସେମାନେ ଉନ୍ନତ ଜ୍ଞାନକୌଶଳ ଏବଂ ଚାଷ ପଦ୍ଧତି ଆପଣାଇବେ, ଏହାଦ୍ବାରା ଚାହିଦା ଓ ଯୋଗାଣରେ ସନ୍ତୁଳନ ସୃଷ୍ଟି ହୋଇପାରିବ।

ନିକଟରେ ସରକାର କେନ୍ଦ୍ର ପ୍ରୟୋଜିତ ଯୋଜନା ଜାତୀୟ ଖାଦ୍ୟ ତେଲ-ଅଏଲ ପାମ (ଏନଏମଇଓ-ଓପି) ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନା ଫଳରେ ଖାଇବା ତେଲର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମିବ। ଏହି ଯୋଜନା ପାଇଁ ୧୧,୦୪୦ କୋଟି ଟଙ୍କା ଖର୍ଚ ଅଟକଳ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ମିଳିଲେ ଚାଷୀମାନେ କେବଳ ଅଧିକ ଜମିରେ ଅଧିକ ପରିମାଣର ଫସଲ ଉତ୍ପାଦନ କରିବେ ନାହିଁ ବରଂ ସେମାନଙ୍କ ଲାଭ ଓ ରୋଜଗାର ମଧ୍ୟ ବଢ଼ାଇପାରିବେ।

Related posts