
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଛନ୍ତି। ରାଉରକେଲାସ୍ଥିତ ଆଇଜିଏଚ ସୁପରସ୍ପେଶାଲିଟ ହସପିଟାଲ କନଫ୍ରେନସ ହଲରେ ଏହାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ସୁନ୍ଦରଗଡ ଜିଲ୍ଲାର ଭୂମିକା ରହିଛି। ଏହି ଜିଲ୍ଲାର ହକି ଖେଳ ଆଜି ସାରା ବିଶ୍ବରେ ବେଶ ପ୍ରସଂଶା ଆଣିଦେଇଛି। ଏହି ଜିଲ୍ଲା ଖଣିଖାଦନ ପାଇଁ ମଧ୍ୟ ବେଶ ପରିଚିତ। ଏହି ଜିଲ୍ଲା ବର୍ତ୍ତମାନ ଅଲମ୍ପିକ ପଦକ ଜିଲ୍ଲା ହୋଇପାରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଲାକାନାଗିରି ପରେ ସୁନ୍ଦରଗଡ ଜିଲ୍ଲା ହେଉଛି ଦ୍ବିତୀୟ ଯିଏ କି ଏହା କାର୍ଡର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ଏହି କାର୍ଡ ମାଧ୍ୟମରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସୁବିଧା ପାଇପାରିବେ ।
ଏହି କାର୍ଡ ମାଧ୍ୟମରେ ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ଏହି କାର୍ଡ ଥିଲେ ହସପିଟାଲରେ କୌଣସି କାଗଜପତ୍ର ଦେଖାଇବାର ଆବଶ୍ୟକତା ନାହିଁ।
ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବିଧାୟକ ସାରାଦା ନାୟକ, ବିଧାୟକ ସୁବ୍ରତ ତରାଇ ଏହି ସମାରୋହରେ ଯୋଗଦେଇଥିଲେ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ସଭାରେ ମନ୍ତ୍ରୀମାନେ କାର୍ଡ ବାଣ୍ଟିଛନ୍ତି।