
ଭୁବନେଶ୍ବର: ଆଜି ପିପିଲି ଉପନିର୍ବାଚନରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ବିଜୟ ଲାଭ କରିଛନ୍ତି। ତାଙ୍କର ନିକତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ହରାଇଛନ୍ତି। ଏହି ବିଜୟ ନିଶ୍ଚିତ ଭାବେ ମହାରଥୀ ପରିବାରରେ ଖୁସିର ଲହରି ଖେଳିଯାଇଛି।
ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ସକାଳେ ରୁଦ୍ର ପ୍ରସାଦ ମହାରଥୀଙ୍କ ପରିବାରର ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିଲେ। ଆଉ ଏହାର କାରଣ ହେଲା ଆଜି ରୁଦ୍ରଙ୍କ ବାପା ତଥା ପିପିଲିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ଥିଲା ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଗତ ବର୍ଷ ଏହି ଅକ୍ଟୋବର 3 ତାରିଖରେ ସେ ଶେଷ ନିଃସ୍ବାଶ ତ୍ୟାଗ କରିଥିଲେ।
ସଂଯୋଗ ବସତଃ ଆଜି ପିପିଲି ଉପନିର୍ବାଚନର ଭୋଟ ଗଣତି ମଧ୍ୟ ଥିଲା। ଆଜି ସକାଳେ ରୁଦ୍ର ପ୍ରସାଦଙ୍କ ପରିବାରର ସମସ୍ତେ ପ୍ରଦୀପଙ୍କ ପ୍ରଥମ ବାର୍ଷିକ ପାଳନ କରିଥିଲେ। ଏହି ସମୟରେ ପରିବାରର ସମସ୍ତଙ୍କ ଆଖିରେ ଲୁହ ଝରିପଡିଥିଲା। ଗୋଟିଏ ପଟେ ପୁଅର ବିଜୟ ସମ୍ଭାବନାର ଉତ୍ସାହ ଅନ୍ୟପଟେ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ, ଉଭୟ କୋହକୁ ସମ୍ବରଣ କରିପାରି ନ ଥିଲେ ମହାରଥୀ ପରିବାର।
ଉପନିର୍ବାଚନ ଭୋଟ ଗଣତି ଥିବାରୁ ପ୍ରଦୀପ ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଯେପରି ପାଳନ କରିବା କଥା ତାହା ହୋଇପାରି ନ ଥିଲା। ହେଲେ ବିଧି ଅନୁସାରେ ଯାହା କିଛି କରାଯିବା କଥା ତାଙ୍କ ପରିବାର ତାହା ପାଳନ କରିଥିଲେ।
ଏହି ଉପଲକ୍ଷେ ପ୍ରଦୀପ ମହାରଥୀଙ୍କ ଏକ ପ୍ରତିମୂର୍ତ୍ତି ଆଜି ଅନାବରଣ କରାଯାଇଥିଲା। ଭୋଟ ଗଣତି ବେଳେ ଏହି ପ୍ରତିମୂର୍ତ୍ତିକୁ ତାଙ୍କ ପୁତ୍ର ରୁଦ୍ରପ୍ରତାପ ଅନାବରଣ କରିଥିଲେ। ସେତେବେଳକୁ ସେ ବିଜୟ ହୋଇ ନ ଥିଲେ। ପରବର୍ତ୍ତି ସମୟରେ ବିଜୟ ଘୋଷଣା ହେବା ପରେ ରୁଦ୍ରପ୍ରତାପ ବାପାଙ୍କ ପ୍ରତିମୂର୍ତ୍ତି ପାଖରେ ଆର୍ଶିବାଦ ଭିକ୍ଷା କରିଥିଲେ।