ଏଣିକି ଗାଡିର ହର୍ଣ୍ଣ, ଆମ୍ବୁଲାନସ ସାଇରନ ହେବ ପରିବର୍ତ୍ତନ, ଖୁବ ଶିଘ୍ର ଆସିବ ନୂଆ ନିୟମ

Published: Oct 6, 2021, 5:36 pm IST

ନୂଆଦିଲ୍ଲୀ: ଏଣିକି ଗାଡିର ହର୍ଣ୍ଣ ରେ ହେବ ପରିବର୍ତ୍ତନ। ବିକଟାଳ ଶଦ୍ଦ ପରିବର୍ତ୍ତେ ଭାରତୀୟ ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏଥିପାଇଁ ଗୋଟିଏ ନୂଆ ନିୟମ ଆଣିବା ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ।

ନାସିକଠାରେ ଆୟୋଜିତ ଜାତୀୟ ରାଜପଥ କାର୍ଯ୍ୟକ୍ରମରେ ସେ ଉଦବୋଧ ଦେବା ବେଳେ ଏହା କହିଛନ୍ତି। ବର୍ତ୍ତମାନ ଭାରତୀୟ ଯାନବାହନରେ ପ୍ରଚଳିତ ହର୍ଣ୍ଣ ଶଦ୍ଦ ପ୍ରଦୂଷଣ କରୁଛି। ଏୁପରିକି ଲୋକଙ୍କୁ ବିରକ୍ତିକର କରୁଛି। ସେଥିପାଇଁ ଭାରତୀୟ ତବଲା, ବଂଶୀ, ବେହେଲା ପ୍ରଭୃତି ବାଦ୍ୟଯନ୍ତ୍ରର ଶଦ୍ଦ ପ୍ରଚଳନ କରାଯିବ। ଏ ନେଇ ବର୍ତ୍ତମାନ ଅନୁଧ୍ୟାନ ଆରମ୍ଭ କରାଯାଇଛି ବୋଲି ଗଡକରୀ କହିଛନ୍ତି।

ସେହିପରି ଆମ୍ବୁଲାନସ ଏବଂ ପୋଲିସ ଗାଡିର ସାଇରନ ମଧ୍ୟ ପରିବର୍ତ୍ତନ କରାଯିବ। ଏହି ଦୁଇଗାଡିରେ ଯେଉଁ ସାଇରନ ବ୍ୟବସ୍ଥା ରହିଛି ତାହା ଭୟଭିତ କରିବା ପରି ଶଦ୍ଦ ବାହାରୁଛି। ତାହାକୁ ପରିବର୍ତ୍ତନ କରାଯାଇ ସୁମଧୂର ଶଦ୍ଦ ବା ଯନ୍ତ୍ର ସଂଗୀତ ପ୍ରୟୋଗ କରାଯିବ।

ମନ୍ତ୍ରୀ କହିଥିଲେ ଯେ, ଅଲ ଇଣ୍ଡିଆ ରେଡିଓରେ ଜଣେ କଳାକାର ଏକ ଯନ୍ତ୍ର ସଂଗୀତ କଂପୋଜ କରିଛନ୍ତି। ଯାହା ରେଡିଓରେ ସକାଳୁ ସକାଳୁ ବାଜୁଛି। ତାହାକୁ ଆମ୍ବୁଲାନସରେ ବ୍ୟବାହର କରାଯାଇପାରିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି।

ତେବେ ବାବୁଙ୍କ ନାଲିବତି ଉଠାଇବା ପରି ଏହି ବିକଟାଳ ହର୍ଣ୍ଣ ବ୍ୟବସ୍ଥା ମଧ୍ୟ ଖୁବ ଶିଘ୍ର ଉଠାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏ ନେଇ ଆଇନ ତଥା ମୋଟର ବିଶେଷଜ୍ଞଙ୍କ ସହିତ ଆଲୋଚନା ଚାଲିଛି। ଏହା ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ ହେବା ପରେ ତାହାକୁ ଆଇନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଗଡକରୀ କହିଛନ୍ତି।

Related posts