ଧର୍ମଘଟ ସଫଳ ହେଲା, ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଲା କଂଗ୍ରେସ

Published: Nov 12, 2021, 6:22 pm IST

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି । ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ କହିଛନ୍ତି ।

ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ପ୍ରଦେଶ କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ନିଷ୍ପତିକ୍ରମେ ରାଜ୍ୟବ୍ୟାପି ୬ ଘଂଟିଆ ଧର୍ମଘଟ କରାଯାଇଥିଲା ।

ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ମାତ୍ର ୬ ଘଂଟା ପାଇଁ ଧର୍ମଘଟ କରିବାକୁ ଆହ୍ୱାନ ଦେଇଥିଲା । ଏହି ଆହ୍ୱାନରେ ଧର୍ମଘଟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ସେଥିପାଇଁ ରାଜ୍ୟବାସୀ ଏବଂ କଂଗ୍ରେସର ସମସ୍ତ ନେତୃବୃନ୍ଦ, ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ବିଶ୍ୱାଳ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ବରିଷ୍ଠ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ, ଯଜ୍ଞେଶ୍ୱର ବାବୁ, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ମୁଖପାତ୍ର ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ମନୋଜ ମହାପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Related posts