Categories
ବିଶେଷ ଖବର ରାଜ୍ୟ ଖବର

ଧର୍ମଘଟ ସଫଳ ହେଲା, ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଲା କଂଗ୍ରେସ

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି । ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ କହିଛନ୍ତି ।

ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ପ୍ରଦେଶ କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ନିଷ୍ପତିକ୍ରମେ ରାଜ୍ୟବ୍ୟାପି ୬ ଘଂଟିଆ ଧର୍ମଘଟ କରାଯାଇଥିଲା ।

ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ମାତ୍ର ୬ ଘଂଟା ପାଇଁ ଧର୍ମଘଟ କରିବାକୁ ଆହ୍ୱାନ ଦେଇଥିଲା । ଏହି ଆହ୍ୱାନରେ ଧର୍ମଘଟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ସେଥିପାଇଁ ରାଜ୍ୟବାସୀ ଏବଂ କଂଗ୍ରେସର ସମସ୍ତ ନେତୃବୃନ୍ଦ, ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ବିଶ୍ୱାଳ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ବରିଷ୍ଠ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ, ଯଜ୍ଞେଶ୍ୱର ବାବୁ, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ମୁଖପାତ୍ର ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ମନୋଜ ମହାପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ହାଇକୋର୍ଟଙ୍କ ଡରରେ ବନ୍ଦ ନୁହେଁ ହରତାଳ କଲା କଂଗ୍ରେସ, ବିଭିନ୍ନ ସ୍ଥାନରେ ବିକ୍ଷୋଭ

ଭୁବନେଶ୍ବର: ଆଜି ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ପ୍ରଦେଶ କଂଗ୍ରେସ 6 ଘଣ୍ଟିଆ ହରତାଳ କରିଛି। ପୂର୍ବରୁ ଓଡିଶା ବନ୍ଦ କରିବ ବୋଲି ଘୋଷଣା କରାଯାଇଥିଲା। ହେଲେ ହାଇକୋର୍ଟ ଏହାକୁ ନ କରିବା ପାଇଁ ନିର୍ଦ୍ଦେଶ ଦେବାରୁ ହରତାଳ କରାଯାଇଛି। ଫଳରେ କଂଗ୍ରେସ କର୍ମିମାନେ ଲୋକମାନଙ୍କୁ ଜୋରଜବରଦସ୍ତ କୌଣସି ବନ୍ଦ କରି ନାହାଁନ୍ତି।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଜି ସକାଳ 6 ଟାରୁ ଏହି ହରତାଳ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେମାନେ କିଛି ସମୟ ପାଇଁ ନାରା ଦେଇଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମିମାନେ ବିକ୍ଷୋଭ ସହ ଧାରଣାରେ ବସିରହିଥିଲେ। ଏହି ବନ୍ଦ ଦିନ 12ଟା ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କଣ କଣ ବନ୍ଦ ରହିବ ବୋଲି ଦଳ କରିଛି ଘୋଷଣା

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିରେ ରାଜ୍ୟବାସୀ ତଥା ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ସମର୍ଥନ ଦେବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ମୁଖପାତ୍ର ଡଃ ଦେବାଶିଷ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ନିବେଦନ କରିଛନ୍ତି ।

ମମିତା ମେହର ହତ୍ୟା ଘଟଣାରେ କଂଗ୍ରେସ ଦଳ ଏହି ବନ୍ଦ କରୁଛି। ଏହା ସକାଳ ୬ ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହାକୁ ରାଜ୍ୟବାସୀ ଏବଂ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ ଦେବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି । ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ଏହି ବନ୍ଦକୁ ୬ ଘଣ୍ଟାରେ ସୀମିତ ରଖାଯାଇଛି । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ । ବନ୍ଦ ସମୟରେ ଜରୁରୀକାଳିନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ ଓ ମୋଟରଯାନକୁ ଯିବାପାଇଁ ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିମନ୍ତେ ଯିବାପାଇଁ ସୁଯୋଗ ଦିଆଯିବ ବୋଲି କଂଗ୍ରେ ପକ୍ଷରୁ କୁହାଯାଇଛି ।

ତେବେ ଏହି ବନ୍ଦ ବେଳେ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି କଂଗ୍ରେସ କହିଛି। ସେହିପରି ବସ୍‌, ଟ୍ରକ୍ ମାଲିକ ସଂଘ ଓ ଅଟୋଚାଳକ ସଂଘ ଏବଂ ବ୍ୟବସାୟୀ ସଂଘଙ୍କୁ ଏହି ବନ୍ଦରେ ସାମିଲ ହେବାକୁ ଦଳ ତରଫରୁ ନିବେଦନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ, ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ଦ ଡାକରାକୁ ବିଜେଡିର ବିରୋଧ, ବିଜେପିର ଇସାରରେ କଂଗ୍ରେସ ନାଚୁଛି ବୋଲି କଲେ ସମାଲୋଚନା

ଭୁବନେଶ୍ୱର : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବୀ କରି ଓଡିଶା ବନ୍ଦ ଡାକରା ଦେଇଥିବା ପ୍ରଦେଶ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି। କଂଗ୍ରେସ ବିଜେପିର ବି ଟିମ ଭାବେ କାର୍ଯ୍ୟ କରୁଛି ଏବଂ ତାଙ୍କ ଇସାରାରେ ନାଚୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ ଚାହୁଁଛନ୍ତି ଏବଂ କୋଭିଡ କାରଣରୁ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ବନ୍ଦ ଡାକରା ଯୋଗୁଁ ରୋଜଗାର ହରାଉଥିବା ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି ସସ୍ମିତ କହିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆସନ୍ତାକାଲି ଓଡିଶା କଂଗ୍ରେସ ଏକ ବନ୍ଦ ଡାକରା ଦେଇଛି ଯାହା ଦ୍ୱାରା ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି। ପରିବାର ଏକ ରୋଜଗାରିଆ ବଢିଲା ଝିଅକୁ ହରାଇଛି ଏବଂ ଏହି ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଏହି ମାମଲାକୁ ରାଜନୀତିକରଣ ନ କରିବାକୁ ପରିବାର ଲୋକେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ ତଦନ୍ତରେ ସେମାନେ ସନ୍ତୁଷ୍ଟ ଅଛନ୍ତି ।

ତଥାପି କଂଗ୍ରେସ ଏହି ମାମଲାରେ ହୀନ ରାଜନୀତି କରିବାକୁ ଓଡିଶା ବିଜେପି ସହ ହାତ ମିଳାଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଯଦି ଓଡିଶା କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟ ଯାଇ ନ୍ୟାୟ ଲୋଡିପାରିବେ, କିନ୍ତୁ ଏହା ବଦଳରେ ବନ୍ଦ ଡାକରା ଦେବା ଅତ୍ୟନ୍ତ ନିଷ୍ଠୁର ଆଚରଣ ।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡିଶା କଂଗ୍ରେସ ବର୍ତ୍ତମାନ ଓଡିଶା ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି । ଏହାର ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ଓଡିଶା କଂଗ୍ରେସର କାର୍ଯ୍ୟକଳାପ ଓଡିଶା ବିଜେପିରୁ ଆର୍ଥିକ ସହାୟତା ପାଉଥିବା ଭଳି ଜଣାପଡୁଛି । ଯେକୌଣସି ପୃଷ୍ଠପୋଷକତା ବିନା ସର୍ତ୍ତରେ ଯେ ନୁହେଁ ତାହା ଆମେ ସମସ୍ତେ ଜାଣିଛେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା କଂଗ୍ରେସ ଓଡ଼ିଶା ବିଜେପିର ଇସାରାରେ ନାଚୁଛି ।

ଓଡ଼ିଶା କଂଗ୍ରେସ ଆଉ ଲୋକଙ୍କ ପ୍ରସଙ୍ଗ ଯେପରିକି ମୂଲ୍ୟ ବୃଦ୍ଧି, ବେକାରୀ, କୃଷକ ଆନ୍ଦୋଳନ ଇତ୍ୟାଦି ଉଠାଇବାକୁ ଚାହୁଁନାହିଁ । ଓଡିଶା ବିଜେପି ଯାହା କରିବାକୁ କହୁଛି ତାହା ଏମାନେ କରୁଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ପୀଡିତାଙ୍କ ପାଇଁ ନ୍ୟାୟ ନୁହେଁ ବରଂ ସେମାନଙ୍କ ଦଳ ପ୍ରାସଙ୍ଗିକ ରହିବା ସହିତ ଓଡିଶା ବିଜେପିର ଭଲ ନଜରରେ ରହିବ ଯାହା ଦ୍ୱାରା ଏହା ଓଡିଶା କଂଗ୍ରେସକୁ ସହାୟତା ମିଳିପାରିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଓଡିଶା ବିଜେପିର ଏକ ବି-ଟିମ୍ ଭାବରେ ନ ରୁହନ୍ତୁ ଏବଂ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହାର କରନ୍ତୁ । ଓଡ଼ିଶାର ଲୋକମାନେ ବନ୍ଦ ଚାହାନ୍ତି ନାହିଁ । ସେମାନେ କାମକୁ ଯାଇ ନିଜର ରୋଜଗାର କରିବାକୁ ଚାହୁଁଛନ୍ତି । ଓଡ଼ିଶା କଂଗ୍ରେସ ଓଡ଼ିଶାର ଲୋକଙ୍କୁ ରୋଜଗାର କରିବାର ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ । ରୋଜଗାର ହରାଇବା ଦ୍ୱାରା ଓଡିଶାବାସୀଙ୍କ ଜୀବନ ଦୁର୍ବିସହ ହେବ ଯେଉଁଥିପାଇଁ ରାଜ୍ୟବାସୀ କଦାପି ଓଡିଶା କଂଗ୍ରେସକୁ କ୍ଷମା କରିବେ ନାହିଁ ଏବଂ ବନ୍ଦର ପ୍ରାୟୋଜକ ସାଜିଥିବା କଂଗ୍ରେସର ଏ-ଟିମ୍‍ ଓଡିଶା ବିଜେପିକୁ ଲୋକେ ଠିକଣା ସମୟରେ ଉଚିତ୍‍ ଜବାବ ଦେବେ ।

ଓଡ଼ିଶାର ଲୋକମାନେ ଉଭୟ ଓଡ଼ିଶା କଂଗ୍ରେସ ଓ ଓଡିଶା ବିଜେପିର କଳୁଷିତ ରାଜନୀତିକୁ ଦେଖିଛନ୍ତି । ତଥାପି ଓଡ଼ିଶା କଂଗ୍ରେସ ଏଥିରୁ କିଛି ଶିଖିଲା ନାହିଁ, ଯେଉଁଥିପାଇଁ ଓଡିଶା ରାଜନୀତିରେ ନିଜର ପ୍ରାସଙ୍ଗିକତା ହରାଇଛି । ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଯଦି ଆପଣଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ଆପଣ କୋର୍ଟକୁ ଯାଆନ୍ତୁ ବୋଲି ସସ୍ମିତ ଆହ୍ବାନ ଦେଇଛନ୍ତି।

ସେ କହିଛନ୍ତି ଯେ, ଆମେ ଜାଣୁ ଆପଣ କୋର୍ଟକୁ ଯିବେ ନାହିଁ କାରଣ ଆପଣଙ୍କ ନିକଟରେ କୌଣସି ପ୍ରମାଣ ନାହିଁ, କିନ୍ତୁ ଆପଣ ଏହି ହୀନ ରାଜନୀତିରେ ଲିପ୍ତ ରହିବେ । ବିଗତ ଦେଢ ବର୍ଷଧରି କୋଭିଡ ମହାମାରୀ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ସାଧାରଣ ଲୋକଙ୍କ ପାଇଁ କିଛି ସହାନୁଭୂତି ଦେଖାନ୍ତୁ, ନଚେତ ଓଡିଶାବାସୀ ଆପଣଙ୍କୁ ଭୁଲିବେ ନାହିଁ କି କ୍ଷମା ବି କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କେତେଟା ପର୍ଯ୍ୟନ୍ତ ହେବ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ପ୍ରଦେଶ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି। ମମିତା ମେହେର ହତ୍ୟାକାଣ୍ଡରେ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଏହି ବନ୍ଦ କରାଯିବ। ସେଥିପାଇଁ ଦଳ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ବନ୍ଦ ସକାଳ 6ଟାରୁ ଆରମ୍ଭ ହୋଇ ଦିନ 12ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

ବର୍ତ୍ତମାନ କରୋନା ସମୟରେ ସାଧାରଣ ବ୍ୟବସାୟୀ ଖାଉଟି ହଇରାଣ ନ ହେବା ପାଇଁ କଂଗ୍ରେସ ଗୋଟେ ଓଳି ବନ୍ଦ ଡକରା ଦେଇଛି। ତେବେ ଏହି ବନ୍ଦ ସମୟରେ କୌଣସି ଅତ୍ୟାବଶ୍ୟକ ଜିନିଷ ନେବାଆଣିବାରେ ଅସୁବିଧା ହେବ ନାହିଁ। ଦଳ ତରଫରୁ କଂଗ୍ରେସ ଭବନରୁ ଏକ ରାଲି ବାହାରି ଲୋକସେବା ଭବନ ପର୍ଯ୍ୟନ୍ତ ଯିବ। ସେଠାରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକର ଆଜି 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା

ଭୁବନେଶ୍ବର, ଦେଶରେ ଯେପରି ହୁହୁ ହୋଇ ତେଳ ଦର ବଢିଚାଲିଛି ସେଥିରେ ସାଧାରଣ ଖାଉଟି ହନ୍ତସନ୍ତ ହେବାରେ ଲାଗିଛନ୍ତି। ଏହାର ପ୍ରତିବାଦ କରି ଆଜି ବିଭିନ୍ନ ବାମଦଳ ତରଫରୁ 6 ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିଛି। ଆଜି ସକାଳୁ କର୍ମିମାନେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପତାକା ଧରି ବିକ୍ଷୋଭ କରିଛନ୍ତି।

ବିଶେଷ କରି କେନ୍ଦ୍ରସରକାରଙ୍କ ବିଭିନ୍ନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶ କରାଯାଇଛି। ଭୁବନେଶ୍ବରର ମାଷ୍ଟରକ୍ୟାଟିନ ଛକ ସହିତ ଚନ୍ଦ୍ରଶେଖରପୁର ଆଇଓସିଏଲ ଅଫିସ ଆଗରେ ମଧ୍ୟ ବିକ୍ଷୋଭ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ମଧ୍ୟ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

୧୫ ତାରିଖ ବାମଦଳ ମାନଙ୍କର ଓଡ଼ିଶା ବନ୍ଦ ଡ଼ାକରାକୁ ସମାଜବାଦୀ ପାର୍ଟିର ସମର୍ଥନ

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ଯୋଗୁ ସାଧାରଣ ଖାଉଟି ଅତିଷ୍ଠ ହେଲେଣି। ଏହା ସାଙ୍ଗକୁ ବସ୍ ଭଡ଼ା, ପରିବହନ ଭଡ଼ା ଓ ଅନ୍ୟାନ୍ୟ ଟିକସ ବୃଦ୍ଧି ଯୋଗୁ ଚାଉଳ, ଡ଼ାଲି, ତେଲ, ଚିନି ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ସରକାର ବାଦ ଦେବା ଫଳରେ ମୁନାଫାଖୋର ବ୍ୟବସାୟୀମାନେ ତାର ଫାଇଦା ନେଇ ଗ୍ରାହକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି।

ତେଣୁ ବାମ ଦଳମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖ ଦିନ ଦିଆ ଯାଇଥିବା ସକାଳ ୬ ଘଟିକାରୁ ଦିବା ୧୨ ଘଟିକା ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ବନ୍ଦ- ପିପିଲି କଂଗ୍ରେସ ତରଫରୁ ଜାତୀୟ ରାଜପଥ କରାଗଲା ଅବରୋଧ

ପିପିଲି, ପ୍ରଦେଶ କଂଗ୍ରେସ ତରଫରୁ ଡକାଯାଇଥିବା ଓଡିଶା ବନ୍ଦର ପ୍ରଭାବ ପିପିଲି ନିର୍ବାଚନ ମଣ୍ଡଳୀରେ ଜୋରଦାର ପରିଲକ୍ଷିତ ହୋଇଛି। ପିପିଲି ଡେଲାଙ୍ଗ କଂଗ୍ରେସ କର୍ମମାନେ ସକାଳୁ ସହର ପରିକ୍ରମା କରିବା ପରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଭୁବନେଶ୍ବରରୁ ପୁରୀ ଆଡକୁ ଯାଉଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କର୍ମିମାନେ ରାସ୍ତା ଉପରେ ଟାୟାର ଜାଲି ଏହି ଅବରୋଧ କରିଥିଲେ। ପୂର୍ବରୁ ଦଳ ତରଫରୁ ବନ୍ଦ କରାଯିବ ବୋଲି ଡାକରା ଦିଆଯାଇଥିଲା। ଫଳରେ ପୁରୀ ରାସ୍ତାରେ ଗାଡିମୋଟର ସଂଖ୍ୟା କମିଯାଇଥିଲେ ମଧ୍ୟ ବାହାରା ଯାତ୍ରୀମାନେ ଯିବାଆସିବା କରୁଥିଲେ। ଦିନ 1ଟା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉମରକୋଟରେ ଅଭିନବ ବନ୍ଦ ପାଳନ, ମୋଦୀଙ୍କ ବେଶରେ କଂଗ୍ରେସ କର୍ମି ଶଗଡରେ ବସି କଲେ ପରିକ୍ରମା

ଉମରକୋଟ, ଆଜି ପ୍ରଦେଶ କଂଗ୍ରେସ ତରଫରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି। ବିଶେଷ କରି ଗ୍ୟାସ, ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧି ବିରୋଧରେ ଏହି ପ୍ରତିବାଦ କରାଯାଇଛି। ତେବେ ଉମରକୋଟ କଂଗ୍ରେସ ତରଫରୁ ଅଭିନବ ଢଙ୍ଗରେ ଏହି ବନ୍ଦ ପାଳନ କରାଯାଇଛି। ଜଣେ କର୍ମି ମୋଦୀଙ୍କ ବେଶରେ ଏକ ଶଗଡ ଉପରେ ବସି ସହର ପରିକ୍ରମା କରିଥିଲେ। ଏଥିରେ ଗ୍ୟାସ ସିଲିଣ୍ଡରକୁ ମଧ୍ୟ ପ୍ରତିକାତ୍ମକ ଭାବେ ରଖାଯାଇଥିଲା। ତେବେ ଶାନ୍ତି ଶୃଙ୍ଖଳା ସହିତ ଏହି ବନ୍ଦ ସଂପର୍ଣ୍ଣ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର 6 ଘଣ୍ଟିଆ ଓଡିଶା ବନ୍ଦ, ଟାୟାର ଜାଳି କଲେ ରାସ୍ତାରୋକ

ଭୁବନେଶ୍ବର, ଦେଶରେ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ 6 ଘଣ୍ଟିଆ ବନ୍ଦ ପାଳନ କରିଛି। ଆଜି ସକାଳୁ କର୍ମିମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ଏହି ବନ୍ଦକୁ ସଫଳ କରାଇବା ପାଇଁ ଚେଷ୍ଠା କରିଛନ୍ତି। ରାଜଧାନୀ କଂଗ୍ରେସ ତରଫରୁ ଆଜି ସକାଳୁ ଭୁବନେଶ୍ବର ରେଳ ଷ୍ଟେସନରେ ଧାରଣ ଦିଆଯାଇଥିଲା। ଫଳରେ କିଛି ସମୟ ପାଇଁ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।

ସେହିପରି କଂଗ୍ରେସ ଭଭନରୁ ଏକ ରାଲି ବାହାରି ସଚିବାଳୟ ଆଡକୁ ଯାଇଥିଲା। କଂଗ୍ରେସ କର୍ମିମାନେ ସଚିବାଳୟ ଗେଟ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ସେହିପରି କଂଗ୍ରେସ କର୍ମିମାନେ ବିଭିନ୍ନ ସରକାରୀ ଅଫିସ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ। ଖୋର୍ଦ୍ଧା କଂଗ୍ରେସ ତରଫରୁ ମଧ୍ୟ ଏହି ବନ୍ଦ ଜୋରଦାର କରାଯାଇଛି। ଖୋର୍ଦ୍ଧା ଟାଉନରେ କର୍ମିମାନେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡିଶା ବନ୍ଦ ଡକରା ଦେଇଛି। ଓଡିଶାର ସମସ୍ତ କଂଗ୍ରେସ କର୍ମୀ ସକାଳ ୭ ଟା ରୁ ୧ ଟା ପର୍ଯ୍ୟନ୍ତ ବନ୍ଦ ଡାକରାରେ ସାମିଲ ହୋଇ ସରକାର ବିରୋଧରେ ପ୍ରତିବାଦ କରୁଛନ୍ତି।

ତେବେ ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରିଛି। ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ ବୋଲି ସେ କହିଛନ୍ତି।

ଏହାସହିତ ତୈଳ ଦର ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସେ ରାଜ୍ୟ ସରକାରକୁ କହିଛନ୍ତି। ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ, ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି।