ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କଣ କଣ ବନ୍ଦ ରହିବ ବୋଲି ଦଳ କରିଛି ଘୋଷଣା

Published: Nov 12, 2021, 5:14 am IST

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିରେ ରାଜ୍ୟବାସୀ ତଥା ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ସମର୍ଥନ ଦେବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ମୁଖପାତ୍ର ଡଃ ଦେବାଶିଷ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ନିବେଦନ କରିଛନ୍ତି ।

ମମିତା ମେହର ହତ୍ୟା ଘଟଣାରେ କଂଗ୍ରେସ ଦଳ ଏହି ବନ୍ଦ କରୁଛି। ଏହା ସକାଳ ୬ ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହାକୁ ରାଜ୍ୟବାସୀ ଏବଂ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ ଦେବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି । ସାଧାରଣ, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ଏହି ବନ୍ଦକୁ ୬ ଘଣ୍ଟାରେ ସୀମିତ ରଖାଯାଇଛି । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ । ବନ୍ଦ ସମୟରେ ଜରୁରୀକାଳିନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ ଓ ମୋଟରଯାନକୁ ଯିବାପାଇଁ ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିମନ୍ତେ ଯିବାପାଇଁ ସୁଯୋଗ ଦିଆଯିବ ବୋଲି କଂଗ୍ରେ ପକ୍ଷରୁ କୁହାଯାଇଛି ।

ତେବେ ଏହି ବନ୍ଦ ବେଳେ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି କଂଗ୍ରେସ କହିଛି। ସେହିପରି ବସ୍‌, ଟ୍ରକ୍ ମାଲିକ ସଂଘ ଓ ଅଟୋଚାଳକ ସଂଘ ଏବଂ ବ୍ୟବସାୟୀ ସଂଘଙ୍କୁ ଏହି ବନ୍ଦରେ ସାମିଲ ହେବାକୁ ଦଳ ତରଫରୁ ନିବେଦନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସ, ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Related posts