ବାଲେଶ୍ବର ଜିଲ୍ଲା ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published: Nov 26, 2021, 6:56 pm IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଜିଲ୍ଲାର ସ୍ମାର୍ଟ କାର୍ଡର ଶୁଭାରମ୍ଭ ଅବସରରେ  ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ । ବାଲେଶ୍ବରର ୬ଟି ବ୍ଲକ୍‌ରେ ୯୦୦ କୋଟିରୁ ଅଧିକ ଟଙ୍କାର ବିନିଯୋଗରେ ମେଗା ପାଇପ ପାଣି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଦ୍ବାରା ୬୬୦ଟି ଗାଁର ୬.୫୦ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ ।

ମାଛ ଉତ୍ପାଦନରେ ବାଲେଶ୍ବର ଏକ ଆଗୁଆ ଜିଲ୍ଲା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାର ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ ବସ୍ତା ଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବଡ Whosesale Fish Market କରାଯିବ। ଏହାଦ୍ବାରା ବାଲେଶ୍ବର ସହିତ କେନ୍ଦ୍ରାପଡା ଓ ଜଗତସିଂହପୁରର ମତ୍ସ୍ୟଜୀବୀମାନେ ଉପକାର ପାଇବେ । ଏହାପରେ ମାଛ ବିକିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କୁ ଆଉ ଦିଘା ମାଛ ମାର୍କେଟ ଉପରେ ନିର୍ଭର ହେବାକୁ ପଡିବ ନାହିଁ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ସ୍ବତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ ।

ଆମର ୮୦ କିଲୋମିଟର ବେଳାଭୂମି କେବଳ ବାଲେଶ୍ବରରେ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାନ, ପାନ, ମୀନ ପାଇଁ ବାଲେଶ୍ବର ଜଣାଶୁଣା। ବାଲେଶ୍ବରରେ ୬୦୦ ମିଶନ ଶକ୍ତିର ମା ମାନେ ମାଛ ଚାଷରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ଏହାସହିତ ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ସେମାନେ ସହଭାଗୀ ହୋଇଛନ୍ତି ଏବଂ ସେମାନଙ୍କୁ ଅଧିକ କାମ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Related posts