ସାମ୍ଭବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ୮-ସୁତ୍ରୀ ଚେକ୍ ଲିଷ୍ଟ ପ୍ରଦାନ କଲେ ରାଜ୍ୟ ସରକାର

Published: Dec 2, 2021, 5:30 am IST

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ମୁଖ୍ୟଶାସନ ସଚିବଙ୍ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ୮-ସୁତ୍ରୀ ଚେକ୍ ଲିଷ୍ଟ ବିଷୟରେ ସୂଚନା ଦେଇଥିଲେ। ସେହି ଅନୁସାରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡିକ ହେଲା

1-ଜିଲ୍ଲା, ବ୍ଲକ୍ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ବିଭାଗ ଏବଂ ଜନପ୍ରତିନିଧିଙ୍କୁ ସାମିଲ୍ କରି ତୁରନ୍ତ ସମନ୍ୱୟ ବୈଠକ କରିବା

2-ଆବଶ୍ୟକତା ଅନୁସାରେ ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା। ସ୍ଥାନାନ୍ତର ହେଉଥିବା ଲୋକ, ଶିଶୁ ଓ ପିଲାମାନଙ୍କ ନିମନ୍ତେ ଖାଦ୍ୟ ପଦାର୍ଥ ଉପଲବ୍ଧ ନିଶ୍ଚିତ କରିବା

3-ଜଣେ ଅଭିଜ୍ଞ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା

4-ଆଶ୍ରୟସ୍ଥଳୀ ମାନଙ୍କରେ ପାଇଖାନା ଓ ଗାଧୁଆଘର ଆଦି ପରିସ୍କାର ପରିଚ୍ଛନ୍ନର ବ୍ୟବସ୍ଥା କରିବା

5-ଆଶ୍ରୟସ୍ଥଳୀଗୁଡିକରେ କୋଭିଡ୍ ନିୟମ ଅନୁପାଳନ ନିଶ୍ଚିତ କରାଇବା

6-ଆଶ୍ରୟ ସ୍ଥଳୀମାନଙ୍କରେ ପ୍ରାଥମିକ ଉପଚାର ବ୍ୟବସ୍ଥା ଏବଂ ତାହାର ସଠିକ୍ ବ୍ୟବହାର ନିମନ୍ତେ ଅଭିଜ୍ଞ ସ୍ୱେଚ୍ଛାସେବୀ ନିୟୋଜନ କରିବା

7-ପ୍ରତି ଆଶ୍ରୟସ୍ଥଳୀ ପାଇଁ ଜଣେ ଆଶାକର୍ମୀ, ଅଙ୍ଗନାବାଡ଼ି କର୍ମୀ, ଅଙ୍ଗନାବାଡ଼ି ସହାୟିକା, ମହିଳା ହୋମ୍ଗାର୍ଡଙ୍କୁ ପୂର୍ବ ମୁତୟନ କରିବା

8- ଆସନ୍ନ ପ୍ରସବ ମା’ମାନଙ୍କୁ ଆଗୁଆ ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିବା ଆଦି ବିଷୟରେ ଏହି ୮-ସୁତ୍ରୀ ଚେକ୍ ଲିଷ୍ଟରେ କୁହାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ବିଷୟରେ ସଦ୍ୟତମ ତଥ୍ୟ ଜଣାଇଥିଲେ।

Related posts