Categories
ଜାତୀୟ ଖବର ବିଶେଷ ଖବର

CycloneAlret: ଗୋପାଳପୁରଠାରୁ ୫୩୦ କିମି, ପାରାଦୀପଠାରୁ ୬୫୦ କିମି ଦୂରରେ ସାମ୍ଭବ୍ୟ ବାତ୍ୟା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି କରି ଗୋଟିଏ ସାମୁଦି୍ରକ ଝଡ଼ ବା ବାତ୍ୟା ‘ଜୱାଦ୍‌’ରେ ପରିଣତ ହୋଇଛି।

ଏହା ଆଜି ଡିସେମ୍ବର ୩ ତାରିଖ ୧୧.୩୦ ମିନିଟ୍‌ ସମୟରେ ଅକ୍ଷାଂଶ ୧୪.୫ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୮୫.୫ ଡିଗ୍ରୀ ପୂର୍ବ, ଯାହା ପାଖାପାଖି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ଏହା ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପଟନମ୍‌ଠାରୁ ୪୨୦ କିମି ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୫୩୦ କିମି ଏବଂ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୬୫୦ କିମି ଦୂରରେ ରହିଛି ।

ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଡିସେମ୍ବର ୪ ତାରିଖ ସକାଳ ସମୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତତରପୂର୍ବ ଆଡ଼କୁ ଦିଗ ପରିବର୍ତ୍ତନ ସହ ଓଡ଼ିଶା ଉପକୂଳରେ ଗତିକରି ଡିସେମ୍ବର ୫ ତାରିଖ ମଧ୍ୟାହ୍ନ ସମୟରେ ପୁରୀ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବା ସହ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି ।

ବାତ୍ୟା ପ୍ରଭାବରେ ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଡିସେମ୍ବର ୫ ତାରିଖ ରାତି ୧୧ଟାଠାରୁ ପବନର ବେଗ ଘଣ୍ଟା ପ୍ରତି ୬୦-୬୫ କିମି ରହିବ । ବାତ୍ୟା ପୂର୍ବରୁ ୨୨,୭୦ରୁ ଊଦ୍ଧ୍ୱର୍ ଡଙ୍ଗା ସମୁଦ୍ରରୁ ଫେରିଛନ୍ତି ।

ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ସେହିପରି ଡିସେମ୍ବର ୪ ଓ ୫ ତାରିଖ ଦୁଇଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ନଦୀରେ ଡଙ୍ଗା ଚଳାଚଳ ବନ୍ଦ କରିବା ପାଇଁ ଆଦେଶନାମା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ବୋଟଗୁଡ଼ିକୁ ଗୋପାଳପୁର ବନ୍ଦରରେ ଆଶ୍ରୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

(ଏଥିରେ ଥିବା ଫଟୋଟି ଆଜି ସାଟାଲାଇଟ ମାଧ୍ୟମରେ ଉତ୍ତୋଳିତ ହୋଇଥିବା ଫଟୋ)

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ଏସଆରସି କହିଲେ ଏହି ୬ ଟି କଥା, ଜାଣନ୍ତୁ ତାହା କଣ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳମାନଙ୍କୁ ଉପକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ଲୋକମାନେ ଏହି ସମୟରେ କଣ କରିବା ଉଚିତ ସେ ନେଇ ସ୍ବତନ୍ତ୍ର ରିଲିଫ କମିଶନର କେତେକ ପରାମର୍ଶ ଦେଇଛନ୍ତି। ତାହା ହେଲା

୧- ପବନର ବେଗ ୮୦ରୁ ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏଥି ପାଇଁ ବିଦ୍ୟୁତ ସରବରାହ ବ୍ୟାହାତ ହୋଇପାରେ। ତେଣୁ ଦୁଇଦିନ ପାଇଁ ପାନୀୟ ଜଳ ସାଇତି ରଖିବା ଆବଶ୍ୟକ।

୨- ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଦିଗରେ ସରକାର ଦୃଷ୍ଟି ରଖିଛନ୍ତି। ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବାବେଳେ ଜନସାଧାରଣ ଆତଙ୍କିତ ହୋଇ ଏସବୁ ଅଯଥାରେ କିଣାକିଣି କରନ୍ତୁ ନାହିଁ।

୩- ବାତ୍ୟା ସମୟରେ ଜନସାଧାରଣ ବାହାରେ ବୁଲାବୁଲି କରନ୍ତୁ ନାହିଁ।

୪- ସମୁଦ୍ରକୂଳବର୍ତ୍ତୀ ସ୍ଥାନକୁ ଯାଆନ୍ତୁ ନାହିଁ। ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି। ବିଡ଼ିଓ, ତହସିଲଦାର ଏବଂ ପୋଲିସ ଆଇଆଇସିମାନଙ୍କୁ ଲୋକଙ୍କୁ ତଳିିଆ ଅଞ୍ଚଳରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

୫- ବାତ୍ୟା ସମୟରେ ପଞ୍ଚାୟତିରାଜ ବିଭାଗ, ଏସ୍‌ଏଚ୍‌ଜି ଏବଂ ସ୍ଥାନୀୟ ଏନ୍‌ଜିଓ ସହାୟତା କରିବେ। ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛି।

୬- ସରକାରୀ ଛାତ ଘର କିମ୍ବା ଘରୋଇ ଛାତଘରକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଇପାରିବ।

ଜୀବନ ବଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ବାତ୍ୟା ଝଡ଼କୁ ରୂପାନ୍ତରିତ ହେବ ‘ଜୱାଦ’

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଗତ ଛଅ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅତିକ୍ରମ କରି ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଗତି କରି ଏକ ତୀବ୍ର ଅବପାତର ରୂପ ଧାରଣ କରିଛି।

ଭାରତୀୟ ସମୟ ଅନୁଯାୟୀ ଡିସେମ୍ବର ୩ ତାରିଖ ସକାଳ ୫.୩୦ରେ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ସକି୍ରୟ ରହିଛି ଏବଂ ବଙ୍ଗୋପସାଗର ନିକଟରେ ୧୩.୪ଂ ଉତ୍ତର ଅକ୍ଷାଂଶ ଏବଂ ୮୬.୪ଂ ପୂର୍ବ ଦ୍ରାଘିମାରେ ରହିଛି ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୫୮୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୬୭୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ପାରାଦୀପଠାରୁ ୭୬୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ ରହିଛି । ଆଶା କରାଯାଉଛି ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ବାତ୍ୟା ଝଡ଼ର ରୂପ ନେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ହୋଇ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବାର ଆଶା କରାଯାଉଛି । ଏହା ପରେ ଉତ୍ତରପଶ୍ଚିମ ଦିଗରେ ପୁନର୍ବାର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳକୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଘଣ୍ଟା ପ୍ରତି ୮୦-୯୦ କିମି ଦ୍ରୁତ ଗତିରେ ୧୦୦ କିମି ପର୍ଯ୍ୟନ୍ତ ଗତି କରିବାର ସମ୍ଭାବନା ଅଛି ।

Categories
ଆଜିର ଖବର ଜାତୀୟ ଖବର

ସାମ୍ଭବ୍ୟ ବାତ୍ୟା ନେଇ ପ୍ରଧାନମନ୍ତ୍ରୀ କଲେ ଏକ ଉଚ୍ଚ ସ୍ତରୀୟ ବୈଠକ, ମୁକାବିଲା ପାଇଁ ସମୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ଭବ୍ୟ ବାତ୍ୟାକୁ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ କରୁଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏନଡିଆରଏଫ ଡିଜି, ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଯୋଗ ଦେଇଛନ୍ତି।

ଏହି ବୈଠକରେ ବାତ୍ୟାର ସ୍ଥିତି କିପରି ରହିଛି, କେତେବେଳେ ସ୍ଥଳଭାଗ ଛୁଇଁବ, କେତେ ବେଗରେ ପବନ ବହିବ ସେ ନେଇ ଆଲୋଚନା କରାଯିବ। ଏଥିସହିତ ବାତ୍ୟା ମୁକାବିଲା ନେଇ କଣ ପ୍ରସ୍ତୁତି ରହିଛି ସେ ନେଇ ସେ ଏନଡିଆରଏଫ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ୮-ସୁତ୍ରୀ ଚେକ୍ ଲିଷ୍ଟ ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ମୁଖ୍ୟଶାସନ ସଚିବଙ୍ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ୮-ସୁତ୍ରୀ ଚେକ୍ ଲିଷ୍ଟ ବିଷୟରେ ସୂଚନା ଦେଇଥିଲେ। ସେହି ଅନୁସାରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡିକ ହେଲା

1-ଜିଲ୍ଲା, ବ୍ଲକ୍ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ବିଭାଗ ଏବଂ ଜନପ୍ରତିନିଧିଙ୍କୁ ସାମିଲ୍ କରି ତୁରନ୍ତ ସମନ୍ୱୟ ବୈଠକ କରିବା

2-ଆବଶ୍ୟକତା ଅନୁସାରେ ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା। ସ୍ଥାନାନ୍ତର ହେଉଥିବା ଲୋକ, ଶିଶୁ ଓ ପିଲାମାନଙ୍କ ନିମନ୍ତେ ଖାଦ୍ୟ ପଦାର୍ଥ ଉପଲବ୍ଧ ନିଶ୍ଚିତ କରିବା

3-ଜଣେ ଅଭିଜ୍ଞ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା

4-ଆଶ୍ରୟସ୍ଥଳୀ ମାନଙ୍କରେ ପାଇଖାନା ଓ ଗାଧୁଆଘର ଆଦି ପରିସ୍କାର ପରିଚ୍ଛନ୍ନର ବ୍ୟବସ୍ଥା କରିବା

5-ଆଶ୍ରୟସ୍ଥଳୀଗୁଡିକରେ କୋଭିଡ୍ ନିୟମ ଅନୁପାଳନ ନିଶ୍ଚିତ କରାଇବା

6-ଆଶ୍ରୟ ସ୍ଥଳୀମାନଙ୍କରେ ପ୍ରାଥମିକ ଉପଚାର ବ୍ୟବସ୍ଥା ଏବଂ ତାହାର ସଠିକ୍ ବ୍ୟବହାର ନିମନ୍ତେ ଅଭିଜ୍ଞ ସ୍ୱେଚ୍ଛାସେବୀ ନିୟୋଜନ କରିବା

7-ପ୍ରତି ଆଶ୍ରୟସ୍ଥଳୀ ପାଇଁ ଜଣେ ଆଶାକର୍ମୀ, ଅଙ୍ଗନାବାଡ଼ି କର୍ମୀ, ଅଙ୍ଗନାବାଡ଼ି ସହାୟିକା, ମହିଳା ହୋମ୍ଗାର୍ଡଙ୍କୁ ପୂର୍ବ ମୁତୟନ କରିବା

8- ଆସନ୍ନ ପ୍ରସବ ମା’ମାନଙ୍କୁ ଆଗୁଆ ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିବା ଆଦି ବିଷୟରେ ଏହି ୮-ସୁତ୍ରୀ ଚେକ୍ ଲିଷ୍ଟରେ କୁହାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାର ପ୍ରସ୍ତୁତି ବିଷୟରେ ସଦ୍ୟତମ ତଥ୍ୟ ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସଜାଗ ହେଲା ଭାରତୀୟ ନୌସେନା

ନୂଆଦିଲ୍ଳୀ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ୟାସ’ ରୂପ ନେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ହୋଇ ଆସନ୍ତା ୨୬ତାରିଖ ଦିନ ଅତିକ୍ରମ କରିବା ସମ୍ଭାବନା ଅଛି।

ଭାରତୀୟ ନୌସେନା ଏହି ଝଡବାତ୍ୟାର ଗତିପଥ ଉପରେ ସତର୍କ ନଜର ରଖିଛି । ପୂର୍ବ ନୌକମାଣ୍ଡ ଏବଂ ଓଡିଶା ଓ ପଶ୍ଚିମବଙ୍ଗ ଭାରପ୍ରାପ୍ତ ନୌସେନା ଅଧିକାରୀ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ କାଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି । ସେମାନେ ରାଜ୍ୟ ପ୍ରଶାସନର ଯୋଗାଯୋଗରେ ରହିବା ସହ ଆବଶ୍ୟକ ସ୍ଥଳେ ସମସ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି।

ପ୍ରସ୍ତୁତିର ଅଂଶବିଶେଷ ଭାବେ ୮ଟି ବନ୍ୟା ରିଲିଫ ଓ ଚାରୋଟି ଡ୍ରାଇଭିଂ ଟିମ୍ ଓଡିଶା ଓ ପଶ୍ଚିମବଙ୍ଗରେ ଉପସ୍ଥିତ ଦଳର ସହାୟତା ପାଇଁ ପ୍ରସ୍ତୁତ ରହିଛନ୍ତି । ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ ନିମନ୍ତେ ଚାରୋଟି ନୌସେନା ଜାହାଜ ସଜାଗ ରହିଛନ୍ତି । ନୌସେନାର ଏୟାରକ୍ରାପ୍ଟ ବିଶାଖାପାଟଣାର ଆଇଏନଏସ ଡେଗା ଓ ଚେନ୍ନାଇ ନିକଟସ୍ଥ ଆଇଏନଏସ ରାଜାଲୀ ନୌସେନା ଏୟାର ଷ୍ଟେସନଠାରେ ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ରିଲିଫ ସାମଗ୍ରୀ ସହ ପ୍ରସ୍ତୁତ ହୋଇରହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଲୋକଙ୍କୁ ସ୍ଥାନାନ୍ତର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର। ଜିଲ୍ଲାପାଳ ଓ ଏସ୍‌.ପି ମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ ଦିନ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ୟାସର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ଠିକ୍‌ ଭାବରେ ନିର୍ଣ୍ଣୟ ହୋଇନାହିଁ । ତେଣୁ ଆମର ସମସ୍ତ ଉପକୂଳବର୍ତ୍ତୀ ଓ ଏହାର ଆଖପାଖ ଜିଲ୍ଲା ଗୁଡିକ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହି ପ୍ରବଳ ବର୍ଷା ଓ ପବନ ପାଇଁଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଯଥା – ODRAF, NDRF, Road Clearing Machines ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ପରେ ସବୁଠାରୁ କମ୍‌ ସମୟ ମଧ୍ୟରେ ରାସ୍ତାକୁ ସଫା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃସଂଯୋଗ ପାଇଁ ସମସ୍ତ ଟିମ୍‌ ଓ ଆବଶ୍ୟକ ଯନ୍ତ୍ରପାତି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ବରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା । ଏହାସହିତ ଅକ୍‌ସିଜେନ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ, ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ । ଗର୍ଭବତୀ ମହିଳା ମାନଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ସେମାନେ କହିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା , ଡିଜି ଶ୍ରୀ ଅଭୟ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ, ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କର, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ରାଜ୍ୟର ପ୍ରଭାବିତ ହେବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୋଲିସ୍‍ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହିତ ରାଜ୍ୟସ୍ତରରେ ସଂପୃକ୍ତ ସମସ୍ତ ବିଭାଗକୁ ପ୍ରାକ୍‍ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଇଛି ।

ସମସ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଅଧିକାରୀମାନଙ୍କ ଦ୍ୱାରା ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି । ଆଶ୍ରୟସ୍ଥଳୀଗୁଡିକରେ ବିକଳ୍ପ ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ତଦାରଖ କରିଛନ୍ତି । ସ୍ଥାନାନ୍ତରଣ ସମୟରେ ବିଶେଷକରି ବୃଦ୍ଧବୃଦ୍ଧା, ଅସୁସ୍ଥ ବ୍ୟକ୍ତି, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ।

ସଂପୃକ୍ତ ଅଂଚଳର ଡାକ୍ତରଖାନାରେ ବିକଳ୍ପ ବିଦ୍ୟୁତ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଅଗ୍ନିଶମ ବାହିନୀ, ଓଡ୍ରାଫ୍‍ ଏବଂ ଏନ୍‍ଡିଆରଏଫ୍‍ କର୍ମଚାରୀମାନେ ସେମାନଙ୍କର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ବାତ୍ୟା ପୂର୍ବ ଓ ପରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍‍ଧତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ଜିଲ୍ଲାର ମତ୍ସ୍ୟ ଓ ପଶୁ ସଂପଦ ଅଧିକାରୀଙ୍କ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି । ମତ୍ସ୍ୟଜୀବୀମାନଙ୍କ ବସ୍ତିରେ ଏ ସମ୍ବନ୍ଧରେ ଜନସଚେତନତା ପାଇଁ ମାଇକ୍‍ ଯୋଗେ ସୂଚନା ପ୍ରଦାନ କରାଯାଉଛି ।

ନଗର ଉନ୍ନୟନ ବିଭାଗ , ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରସ୍ତୁତ ରହିବା ସହ ରାସ୍ତାଘାଟର ତ୍ୱରିତ ମରାମତି, ପାନୀୟ ଜଳ ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶକ୍ତି ବିଭାଗ ତରଫରୁ ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରବରାହ ଭିତ୍ତିଭୂମିର ତ୍ୱରିତ ପୁନଃନିର୍ମାଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ କୁଶଳୀ କର୍ମୀ ଦଳ ଓ ଯନ୍ତ୍ରାଂଶ ଗଚ୍ଛିତ ରଖାଯାଉଛି ।

ବାତ୍ୟା ସମୟରେ ଦୂରସଂଚାର ବ୍ୟବସ୍ଥାର ସଠିକ୍‍ କାର୍ଯ୍ୟକ୍ଷମ ରଖିବା ଓ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଦୂରସଂଚାର ଭିତ୍ତିଭୂମିର ପୁନଃକାର୍ଯ୍ୟକାରୀ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଆଲୋଚନା କରିଥିଲେ । ଉକ୍ତ ସେବାପ୍ରଦାନକାରୀ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ମାନବ ସମ୍ବଳ, ଯନ୍ତ୍ରାଂଶ ଓ ସାମଗ୍ରୀ ଆଦି ପ୍ରସ୍ତୁତ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।