ଜୟନାରାୟଣଙ୍କ ବିଭିନ୍ନ ରୋଗ ଅଛି ବୋଲି ମୋହନ ମାଝି ଧାରାବିବରଣୀ ଦେବା ପଛରେ କାରଣ କଣ ?

Published: Dec 6, 2021, 7:15 am IST

ଭୁବନେଶ୍ବର: ବିଧାୟକ ଜୟନାରାୟଣ ମିଶ୍ର ବହୁରୋଗରେ ଆକ୍ରାନ୍ତ। ତାଙ୍କର ଡାଇଲେସିସ ହେଉଛି। ତାଙ୍କର କିଡନୀ ସମସ୍ୟା ରହିଛି, ବ୍ଲଡ ପ୍ରେସର ରହିଛି, ଅନ୍ୟାନ୍ୟ ବହୁ ରୋଗ ରହିଛି। ଆମେ ନୂଆଦିଲ୍ଲୀ ଆସିଥିବା ବେଳେ ତାଙ୍କୁ ରାତିରେ ନେଇ ଏମସରେ ଭର୍ତ୍ତି କଲୁ। ସେ ଏବେ ସୁସ୍ଥ ଅଛନ୍ତି। ଏପରି ଏକ ଧାରାବିବରଣୀ ଦେଲେ ଅନ୍ୟତମ ବିଜେପି ବିଧାୟକ ମୋହନ ମାଝି। ଏକ ଭିଡିଓ ରେକର୍ଡ କରି ମିଡିଆକୁ ଜାରୀ କଲେ।

ସେହି ଭିଡିଓକୁ ଯେ କେହି ଦେଖିବ ସେ ଭାବିବ ଯେ, ଜୟନାରାୟଣ ଅସୁସ୍ଥ କଥାଟାକୁ ଯେପରି ସମସ୍ତଙ୍କୁ ମୋହନଙ୍କ ଅବଗତ କରାଇବାର ଆବଶ୍ୟକତା ରହିଛି। କାରଣ ସେ ଅସୁସ୍ଥ ହେଲେ ଏମସରେ ଭର୍ତ୍ତି ହେଲେ, ସେ କଥା ସହିତ ତାଙ୍କର ପୁରୁଣା ରୋଗ ସବୁ କଣ ଅଛି ତାହା ମଧ୍ୟ ସେ ଉପସ୍ଥାପନା କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ମୋହନ ମାଝି ଏପରି କାହିଁକି କଲେ। ଜୟନାରାୟଣଙ୍କ ପୁରୁଣା ରୋଗ କଣ ଅଛି, ସେ ସବୁବେଳେ ଅସୁସ୍ଥ ହେଉଛନ୍ତି ବୋଲି ଲୋକଲୋଚନକୁ ଆଣିବା କାରଣ କଣ ? ଜଣଙ୍କର ଦେହ ଖରାପ ଖବର ଦେବା ବେଳେ କଣ ଡାକ୍ତରଙ୍କ ପରି ତାଙ୍କର ପୁରୁଣା ରୋଗ ବିଷୟରେ କହିବା ନିହାତି ଆବଶ୍ୟକ ଥିଲା କି ?

ତେବେ ଏହା ପଛରେ ଏକ ରହସ୍ୟ ରହିଛି ବୋଲି ପରବର୍ତ୍ତି ସମୟରେ ଜଣାପଡିଲା। ଆଉ ସେହି ରହସ୍ୟଟି ହେଲା ଯେ, ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଫଳରେ ଦଳ ବର୍ତ୍ତମାନ ତାଙ୍କୁ ସେଥିରୁ ଅବହ୍ୟାତି ଦେଇ ଜଣେ ନୂଆ ବିରୋଧୀ ଦଳର ନେତା ବାଛିବା ପାଇଁ ଚିନ୍ତା କରୁଛି। ଆଉ ସେହି ଦୌଡରେ ରହିଛନ୍ତି ଉଭୟ ମୋହନ ମାଝି ଆଉ ଜୟନାରାୟଣ ମିଶ୍ର।

ବର୍ତ୍ତମାନ ଜୟନାରାୟଣଙ୍କ ସ୍ବାସ୍ଥ୍ୟ ଖରାପ ବିସ୍ତୁତ ବିବରଣୀ ମୋହନ ଦେଇ ଜଣାଇ ଦେଲେ ଯେ, ସେ ମଧ୍ୟ ବିରୋଧୀ ଦଳ ନେତା ପାଇଁ ଅକ୍ଷମ। ପ୍ରଦୀପ ନାୟକଙ୍କ ପରି ତାଙ୍କର ମଧ୍ୟ ସ୍ବାସ୍ଥ୍ୟ ଭଲ ନାହିଁ। ଫଳରେ ଦଳୀୟ ନେତାମାନେ ଜୟନାରାୟଣଙ୍କୁ ବାଦ ଦେଇ ତାଙ୍କୁ ବିରୋଧୀ ଦଳ ନେତା କରାନ୍ତୁ ବୋଲି ପରୋକ୍ଷରେ ସେ ଇଙ୍ଗିତ କରିଦେଲେ। ଯଦି ବିଜେପିର ବିଧାୟକଙ୍କ ମଧ୍ୟରୁ କିଏ ଭଲ ବିରୋଧୀ ଦଳର ନେତା ହୋଇପାରିବେ ବୋଲି ପ୍ରଶ୍ନ ପଚାରାଯାଏ ତେବେ ଉତ୍ତର ନିଶ୍ଚିତ ଜୟନାରାୟଣ ମିଶ୍ର ହେବେ। ହେଲେ ସେଥିରେ ବର୍ତ୍ତମାନ ଅସୁସ୍ଥ ଖବରଟି ଗୋଟିଏ କେଁ ହେଲାଣି।

ବିଧାନସଭା ନିର୍ବାଚନ ପରେ ବିଜେପି ପ୍ରଥମ ଥର ପାଇଁ ବିରୋଧୀ ଦଳ ଭାବେ ଆସନ ପାଇଛି। ପ୍ରଥମେ ଜୟନାରାୟଣ ମିଶ୍ର ବିରୋଧୀ ଦଳର ନେତା ହେବାର ବହୁ ସମ୍ଭାବନା ରହିଥିଲା। ହେଲେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ନ ଥିବାରୁ ତାଙ୍କୁ ସେହି ପଦବୀ ମିଳି ପାରି ନ ଥିଲା। ଏବେ କିନ୍ତୁ ସେହି ପରିସ୍ଥିତି ଆଉ ନାହିଁ। ଜୟନାରାୟଣ ବର୍ତ୍ତମାନ ଧର୍ମେନ୍ଦ୍ର ଖାସ୍ ସମର୍ଥକ ହୋଇସାରିଲେଣି। ସେଥିପାଇଁ ସେ ଏହି ବିରୋଧୀ ଦଳର ନେତା ହେବା ପ୍ରାୟ ସମ୍ଭାବନା ରହିଛି। ହେଲେ ତାଙ୍କର ସ୍ବାସ୍ଥ୍ୟ ଖରାପ ଖବରଟି ପ୍ରସାର ହେବା ପରେ ସେଥିରେ ଲାଗିଛି ପ୍ରଶ୍ନବାଚୀ।

Related posts