Categories
ବିଶେଷ ଖବର

ମହୁଆଙ୍କୁ ବହିଷ୍କାର ପ୍ରସଙ୍ଗରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧୀର

ତାଙ୍କୁ ସଂସଦରୁ ବହିଷ୍କାର କରିବା ଏକ ଗମ୍ଭୀର ଦଣ୍ଡ
ଏହାକୁ ପୁନର୍ବାର ବିଚାର କରାଯିବା ଉଚିତ
ନୂଆଦିଲ୍ଲୀ: ଡିସେମ୍ବର ୪ରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖିଛନ୍ତି।

ଅଧୀର ରଞ୍ଜନ କହନ୍ତି- ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସଂସଦରୁ ବହିଷ୍କାର କରିବା ଅତ୍ୟନ୍ତ ଗମ୍ଭୀର ଦଣ୍ଡ ହେବ, ଯାହାର ବହୁତ ପ୍ରଭାବ ପଡ଼ିବ। ସଂସଦୀୟ କମିଟିଗୁଡ଼ିକର କାର୍ଯ୍ୟକାରିତା ପାଇଁ ନିୟମ ଓ ପ୍ରକ୍ରିୟାକୁ ପୁନର୍ବିଚାର କରାଯିବା ଦରକାର। ମୁଁ ଅଧିକାର କମିଟି, ନୈତିକତା କମିଟି ଭଳି ଲୋକସଭା ସଦସ୍ୟଙ୍କ ସ୍ୱାର୍ଥ ଏବଂ ଅଧିକାର ବିଷୟରେ ଚିନ୍ତିତ।

ମହୁଆ ମୋଇତ୍ରା ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି। ଡିସେମ୍ବର ୪ ତାରିଖ ସୋମବାର ଲୋକସଭାର ନୈତିକତା କମିଟି ଏହି ପ୍ରସଙ୍ଗରେ ନିଜର ରିପୋର୍ଟ ଦାଖଲ କରିବ। ରିପୋର୍ଟରେ ମହୁଆଙ୍କୁ ଗୃହରୁ ବହିଷ୍କାର କରିବାକୁ ସୁପାରିସ କରାଯାଇଛି। ଯଦି ଲୋକସଭା କମିଟିରିପୋର୍ଟ ସପକ୍ଷରେ ଭୋଟ ଦିଏ ତେବେ ମୈତ୍ରଙ୍କୁ ଗୃହରୁ ବହିଷ୍କାର କରାଯିବ।

ଲୋକସଭା ସଚିବାଳୟ ଶୀତକାଳୀନ ଅଧିବେଶନ ପାଇଁ ଏଜେଣ୍ଡା ପେପର ଜାରି କରିଛି, ଯାହା ଅନୁଯାୟୀ ନୈତିକତା କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନକର କମିଟିର ପ୍ରଥମ ରିପୋର୍ଟ ଉପସ୍ଥାପନ କରିବେ।

କମିଟିର ୬ ଜଣ ସଦସ୍ୟ ଏହି ରିପୋର୍ଟକୁ ସମର୍ଥନ କରି ଭୋଟ୍ ଦେଇଥିଲେ

କମିଟି ନଭେମ୍ବର ୯ ତାରିଖରେ ବସିଥିବା ବୈଠକରେ ଏହି ରିପୋର୍ଟକୁ ଗ୍ରହଣ କରିଥିଲା। ନୈତିକତା କମିଟିର ୬ ଜଣ ସଦସ୍ୟ ଏହି ରିପୋର୍ଟକୁ ସମର୍ଥନ କରିଥିଲେ। ଏଥିରେ କଂଗ୍ରେସ ସାଂସଦ ପ୍ରନୀତ କୌର ମଧ୍ୟ ସାମିଲ ଥିଲେ। ଏହି ରିପୋର୍ଟ ବିରୋଧରେ ଭୋଟ୍ ଦେଇଥିବା ୪ ଜଣ ସଦସ୍ୟ ବିରୋଧୀ ଦଳର ଥିଲେ।

ପ୍ୟାନେଲରେ ଥିବା ବିରୋଧୀ ଦଳର ସଦସ୍ୟମାନେ ଏହି ରିପୋର୍ଟକୁ ଏକ ନିର୍ଦ୍ଧାରିତ ମ୍ୟାଚ୍ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗର କମିଟି ସମୀକ୍ଷା କରିଛି, କିନ୍ତୁ ଏହି ଅଭିଯୋଗକୁ ସମର୍ଥନ କରିବା ପାଇଁ ଗୋଟିଏ ବି ପ୍ରମାଣ ନାହିଁ।

ଏବେ ପଢ଼ନ୍ତୁ ମୈତ୍ରଙ୍କୁ ନେଇ ନୈତିକତା କମିଟି ର ରିପୋର୍ଟରେ କ’ଣ ରହିଛି…
ଜୁଲାଇ ୨୦୧୯ରୁ ଏପ୍ରିଲ ୨୦୨୩ ମଧ୍ୟରେ ୟୁଏଇରୁ ମହୁଆ ମୋଇତ୍ରାଙ୍କ ଆକାଉଣ୍ଟ ୪୭ ଥର ପରିଚାଳିତ ହୋଇଥିଲା। ଏହି ସମୟ ମଧ୍ୟରେ ୨୦୧୯ରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ସେ ୪ ଥର ୟୁଏଇ ଯାଇଥିଲେ। ସୂତ୍ରରୁ ପ୍ରକାଶ ଯେ ସମାନ ଆଇପି ଠିକଣାରୁ କେହି ଜଣେ ୪୭ ଥର ଲଗ୍ ଇନ୍ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ମହୁଆ ମୋଇତ୍ରା ପଚାରିଥିବା ୬୧ଟି ପ୍ରଶ୍ନ ମଧ୍ୟରୁ ୫୦ଟି ପ୍ରଶ୍ନ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ପସନ୍ଦର ଥିଲା। ଦର୍ଶନ ହିରାନନ୍ଦାନୀ ବିଦେଶରେ ରୁହନ୍ତି। ଏଥିକ୍ସ କମିଟି କହିଛି ଯେ ପାସୱାର୍ଡ ସେୟାର କରିବା ଦ୍ୱାରା ବିଦେଶୀ ଏଜେନ୍ସିମାନଙ୍କ ହାତରେ ଗୁପ୍ତ ସୂଚନା ଆସିପାରେ।

ନୈତିକତା କମିଟି ସୂତ୍ରରୁ ପ୍ରକାଶ ଯେ ସଂସଦୀୟ ଲଗ୍ ଇନ୍ ଅଂଶୀଦାର କରିବାର ଅର୍ଥ ବାହାର ଲୋକମାନେ ଅନେକ ସମ୍ବେଦନଶୀଳ ଦସ୍ତାବିଜ ପାଇପାରିବେ ଯାହା ପୂର୍ବରୁ ସାଂସଦମାନଙ୍କ ସହ ଅଂଶୀଦାର ହୋଇସାରିଛି।

ପୂରା ଘଟଣାକୁ ୫ଟି ପଏଣ୍ଟରେ ବୁଝନ୍ତୁ…

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅକ୍ଟୋବର ୧୫ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ଓ ଉପହାର ନେଇଥିଲେ। ଏହି ମାମଲାକୁ ବାଚସ୍ପତି ନୈତିକତା କମିଟିକୁ ପଠାଇଥିଲେ।

ଅକ୍ଟୋବର ୨୧ତାରିଖରେ ନିଶିକାନ୍ତ ମହୁଆଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆଣିଥିଲେ। ସୋଶାଲ ମିଡିଆରେ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି- କିଛି ଟଙ୍କା ପାଇଁ ଜଣେ ସାଂସଦ ଦେଶର ସୁରକ୍ଷା ବନ୍ଧକ ରଖିଥିଲେ। ଏ ନେଇ ମୁଁ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଛି।

ସଂସଦର ଆଇଡି ଦୁବାଇରୁ ଖୋଲିଥିବାବେଳେ ସେ ସମୟରେ ଅଭିଯୁକ୍ତ ସାଂସଦ ଭାରତରେ ଥିଲେ। ସମଗ୍ର ଭାରତ ସରକାର ଏହି ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି)ରେ ଅଛନ୍ତି। ଦେଶର ପ୍ରଧାନମନ୍ତ୍ରୀ, ଅର୍ଥ ବିଭାଗ, କେନ୍ଦ୍ରୀୟ ଏଜେନ୍ସି ଏଠାରେ ଅଛନ୍ତି। ଟିଏମସି ଏବଂ ବିରୋଧୀ ଦଳମାନଙ୍କୁ ଏବେବି ରାଜନୀତି କରିବାକୁ ପଡିବ କି? ନିଷ୍ପତ୍ତି ଲୋକଙ୍କର। ଏନ୍ଆଇସି ପକ୍ଷରୁ ତଦନ୍ତକାରୀ ସଂସ୍ଥାକୁ ଏହି ସୂଚନା ଦିଆଯାଇଛି।
କମିଟି କହିଛି ଯେ ଜମ୍ମୁ-କଶ୍ମୀର ସୀମା ନିର୍ଦ୍ଧାରଣ ବିଲ୍ ୨୦୧୯, ତିନି ତଲାକ୍ ସମେତ ପ୍ରାୟ ୨୦ଟି ବିଲ୍ ସାର୍ବଜନୀନ ହେବା ପୂର୍ବରୁ ସାଂସଦମାନଙ୍କ ସହ ସେୟାର କରାଯାଇଥିଲା। ଏଭଳି ଦସ୍ତାବିଜ ଲିକ୍ ହେବା ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କମିଟି କହିଛି।

ନୈତିକତା କମିଟି ଅକ୍ଟୋବର ୨୭ରେ ମହୁଆଙ୍କୁ ସମନ କରି ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନ ୧୧ଟାରେ କମିଟି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୫ ପରେ ହିଁ ସେ ଉପସ୍ଥିତ ରହିପାରିବେ ବୋଲି ମହୁଆ ସେହିଦିନ ନୈତିକତା କମିଟିକୁ ଚିଠି ଲେଖିଥିଲେ। ଅକ୍ଟୋବର ୨୮ତାରିଖରେ ନୈତିକତା କମିଟି ମହୁଆଙ୍କୁ ନଭେମ୍ବର ୨ତାରିଖରେ ହାଜର ହେବାକୁ କହିଥିଲା।

କଂଗ୍ରେସ ସାଂସଦ, କମିଟିର ସଦସ୍ୟମାନଙ୍କୁ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ନଭେମ୍ବର ୭ତାରିଖରେ ହେବାକୁ ଥିବା ଲୋକସଭା ନୈତିକତା କମିଟି ବୈଠକକୁ ସ୍ଥଗିତ ରଖାଯାଇଛି ବୋଲି ମୋଇତ୍ରା ଗତ ନଭେମ୍ବର ୬ ତାରିଖରେ ଦାବି କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗୃହ କାର୍ଯ୍ୟ ମୁଲତବୀ ପରେ ସତ୍ୟାଗ୍ରହରେ ବସିଲେ ବିରୋଧୀ ଦଳ ନେତା: ସୋନିଆ-ରାହୁଲ ମଧ୍ୟ ସାମିଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲଣ୍ଡନରେ ଦେଇଥିବା ବିବୃତ୍ତି ଏବଂ ଅନ୍ୟାନ୍ୟ ବିବାଦ ମଧ୍ୟରେ ଆଜି ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାର ପ୍ରକ୍ରିୟାକୁ ମୁଲତବୀ ରଖାଯାଇଛି। ବର୍ତ୍ତମାନ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ସୋମବାର ଅନୁଷ୍ଠିତ ହେବ। ଏହି ସମୟରେ ବିରୋଧୀ ଦଳର ନେତାମାନେ ସଂସଦ ଗୃହରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବସିଛନ୍ତି। ଏଥିରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଅନ୍ତର୍ଭୁକ୍ତ। ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ଉତ୍ତେଜନା ପୂର୍ଣ୍ଣ ହୋଇଛି। ଲଣ୍ଡନରେ ଦେଇଥିବା ବିବୃତ୍ତି ପାଇଁ କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କୁ ଘେରି ରହିଛନ୍ତି। ଶାସକ ଦଳ କ୍ରମାଗତ ଭାବେ ରାହୁଲ ଗାନ୍ଧୀଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ, ରାହୁଲ ଗାନ୍ଧୀ କିଛି ଭୁଲ କହି ନାହାଁନ୍ତି, ତେଣୁ କ୍ଷମା ପ୍ରାର୍ଥନା ପ୍ରଶ୍ନ ଉଠୁନାହିଁ।

ଦିଲ୍ଲୀର ବିରୋଧୀଦଳ ନେତାମାନେ ଆଦାନୀ ମାମଲାରେ ଜେପିସି ଯାଞ୍ଚ ଦାବିରେ ସଂସଦରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧ କରିଛନ୍ତି। ଏହି ବିକ୍ଷୋଭରେ କଂଗ୍ରେସ ସାଂସଦ ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇଛନ୍ତି।

Categories
ବିଶେଷ ଖବର

ରାଜ୍ୟରେ ନୂତନ ବିରୋଧୀ ଦଳ ନେତା ନିଯୁକ୍ତି ପରେ ବଦଳିବ କି ବିଜେପିର ଭାଗ୍ୟ?

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଅପ୍ରତିଦ୍ବନ୍ଦି ଭାବେ ବିଜେଡି ଏକ ସ୍ଥିର ସରକାର ଶାସନ କରିବାରେ ଅପୁର୍ବ ସଫଳତା ଲାଭ କରିପାରିଛି। କେନ୍ଦ୍ରରେ ଏକ ସ୍ଥିର ସରକାର ଦେଇଥିବା ବିଜେପି ଏବଂ ସର୍ବ ପୁରାତନ କଂଗ୍ରେସ ଦୁହିଁଙ୍କ ପଦର୍ଶନ ଓଡ଼ିଶାରେ ଅତ୍ୟନ୍ତ ଦୟନୀୟ। ରାଜ୍ୟରେ ବିଜେପି ଆଖି ଦୃଶିଆ ପ୍ରଦର୍ଶନ କରିପାରିନି ତଥାପି ଦ୍ଵିତୀୟ ସର୍ବବୃହତ ଦଳ ଭାବେ ରାଜ୍ୟରେ ବିରୋଧି ଦଳର ଭୂମିକା ନିର୍ବାହ କରୁଛି।

ଅବଶ୍ୟ କଳାହାଣ୍ଡି ଜିଲ୍ଲାରେ ବିଜେପିର ସ୍ଥିତି ବିଗତ ଦିନରେ ବେଶ ସୁଦୃଢ଼ ଥିଲା। ଯାହାର ଶ୍ରେୟ ପ୍ରଦୀପ୍ତ ନାୟକଙ୍କର ସାଂଗଠନିକ କଳାଚାତୁରୀ ଯୋଗୁଁ ସମ୍ଭବ ହୋଇଥିବା ରାଜନୈତିକ ସମୀକ୍ଷକମାନେ କହନ୍ତି। ତେଣୁ ତାଙ୍କୁ ରାଜ୍ୟ ବିଜେପି ବିରୋଧୀଦଳ ନେତା ଭାବେ ପଦାସିନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟକୁ ଶ୍ରୀ ନାୟକ ଭୟଙ୍କର କୋରୋନାର ଶିକାର ହୋଇ ଅଦ୍ୟାବଧି ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଦୀର୍ଘଦିନ ବିରୋଧୀ ଦଳ ନେତାପଦ ଏକ ପ୍ରକାର ଖାଲି ପଡ଼ିଥିବାରୁ ଦଳ ପକ୍ଷରୁ ଶେଷରେ ନୂତନ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦେଇଛି।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଜୟନାରାୟଣଙ୍କୁ ନୂଆ ନିଯୁକ୍ତି ଦେଇ ବିଜେପି ଓଡ଼ିଶାରେ ପୁଣିଥରେ ନିଜର ପୁରୁଣା ଆଭିମୁଖ୍ୟ ଆପଣାଇବ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି। ଯଦିଓ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡିକୁ ପରୋକ୍ଷରେ ଅବା ପ୍ରତ୍ୟକ୍ଷରେ ବିଜେଡି ସର୍ବଦା ସମର୍ଥନ କରି ରାଜନୈତିକ ଫାଇଦା ହାସଲ କରିବାରେ ସଫଳ ହୋଇଛି।

ରାଜ୍ୟରେ ଶାସକ ଦଳ ସମସ୍ତ କେନ୍ଦ୍ରୀୟ ଯୋଜନାକୁ କୂଟନୈତିକ କୌଶଳରେ ରାଜ୍ୟର ସମସ୍ତ ଯୋଜନା ନିଜର ବୋଲି ଉପସ୍ଥାପନ କରି ଜନତାଙ୍କର ପ୍ରିୟଭାଜନ ହୋଇପାରିଥିବା ବେଳେ ବିଜେପି କେନ୍ଦ୍ରୀୟ ଅନୁଦାନର ରାଜନୈତିକ ଫାଇଦା ହାସଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଉ ଏକ ବିଷୟ ବିଜେପିର ନିର୍ବାଚିତ ପ୍ରତିନିଧି ମାନଙ୍କର ଉପରେ ଦଳର ଆୟତ୍ତ ନଥିବାରୁ ଦଳୀୟ ସଙ୍ଗଠନକୁ ଅଣଦେଖାକରି ନିଜସ୍ୱ ବ୍ୟକ୍ତିଗତ କର୍ମୀଙ୍କୁ ଅଗ୍ରାଧିକାର ଦେଉଥିବାରୁ ତୃଣମୂଳ ସ୍ତରରେ କର୍ମୀ ଅସନ୍ତୋଷ ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ସ୍ଥିତିରେ ଜୟନାରାୟଣ ମିଶ୍ରଙ୍କୁ ଦିଆଯାଇଥିବା ନୂତନ ଦାୟିତ୍ବ କେତେଦୂର ଓଡ଼ିଶାର ବିଜେପି ସଙ୍ଗଠନକୁ ମଜବୁତ କରିବ ସମସ୍ତଙ୍କର ନଜର ରହିଛି।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ ପୁଣିଥରେ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳ ତାଙ୍କ ଉପରେ ବିଶ୍ୱାସ କରି ଦେଇଥିବା ଗୁରୁଦାୟିତ୍ୱକୁ ସେ ସମ୍ପାଦନ କରିବାକୁ ପୂର୍ଣ୍ଣ ପ୍ରୟାସ କରିବେ।

୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସୁହାଇବା ଭଳି ଅନେକ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେଇଛନ୍ତି, ଯାହାକି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଛି। ଏହାର ପରିଣାମ ମଧ୍ୟ ବିଜେପିକୁ ଗତ ତ୍ରିସ୍ତରୀୟ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ ଭୋଗିବାକୁ ପଡିଛି। ଓଡ଼ିଶାରୁ ୩ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଓ ଜଣେ ଆଦିବାସୀ ମହିଳାଙ୍କୁ ମହାମହିମ ରାଷ୍ଟ୍ରପତି ପଦରେ ଆସୀନ କରିବା ରାଜ୍ୟ ବିଜେପି ତାହାର ଫାଇଦା ହାସଲ କରିନପାରିବା ରାଜ୍ୟ ନେତୃତ୍ୱର ଅପାରଗତା ପଦାରେ ପଡିଛି।

ଉଲ୍ଲେଖଯୋଗ୍ୟ, ବିଜେଡି ନେତୃତ୍ୱ ସମଦୂରତ୍ୱ ରଣନୀତିର ଆଳ ଦେଖାଇ ବାସ୍ତବରେ କେନ୍ଦ୍ରରେ ବିଜେପି ସରକାର ଓ ବିଜେପି ନେତୃତ୍ୱଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇ ସୁଚିନ୍ତିତ ଢଙ୍ଗରେ ରାଜ୍ୟରେ ବିରୋଧୀ ଦଳକୁ ନିଷ୍ପ୍ରଭ କରିବାକୁ ପ୍ରୟାସ କରିଛନ୍ତି। ୨୦୧୫ରେ ଜିଏସଟି ବିଲ, ୨୦୧୬ରେ ବିମୁଦ୍ରାକରଣ, ୨୦୧୭ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ, ୨୦୧୮ ଜୁଲାଇ ୨୦ରେ ମୋଦି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବବେଳେ ସଂସଦରୁ ନାଟକୀୟ ଢଙ୍ଗରେ କକ୍ଷତ୍ୟାଗ କରି ବିଜେଡି ସିଧାସଳଖ ନିଜର ଘନିଷ୍ଠତାର ପ୍ରମାଣ ଦେଇଥିଲା।

୨୦୧୮ ଅଗଷ୍ଟ ୮ରେ ବିଜେଡି ନିଜର ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, କଶ୍ମୀରରେ ଧାରା-୩୭୦ର ଉଚ୍ଛେଦ, ଟ୍ରିପଲ ତଲାକ ବିଲ୍ , ନାଗରିକତା ସଂଶୋଧନ ବିଲ୍ (ସିଏଏ)କୁ ସମର୍ଥନ ଦେବାକୁ ପଛାଇ ନଥିଲା।

୨୦୧୯ ଜୁନ୍ ମାସରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ଓ ନିଜର ଜିତିବା ସିଟକୁ ଛାଡ଼ି ଦେଇ ବିଜେଡି ସମସ୍ତଙ୍କୁ ଚକିତ କରିଦେଇଥିଲା। ୨୦୨୨ରେ ଏନଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ ଦେବାକୁ ବିଜେଡି ପଛାଇ ନାହିଁ। ଏଭଳି ସମର୍ଥନ ଦେଇ ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଉଥିବା ପ୍ରତ୍ୟୟ ହେଉଛି। ଯାହାଫଳରେ ତୃଣ ମୂଳ ସ୍ତରରେ ବିଜେପି କର୍ମୀମାନେ ଏକ ପ୍ରକାର ହତାଶ ହୋଇ ବିଜେଡିକୁ ମୁହାଇବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।

ରାଜ୍ୟରେ ନିର୍ବାଚନରେ ବିଜେପିର କ୍ରମାଗତ ବିଫଳତା ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସଂଗଠନର ମଙ୍ଗୁଆଳ ମାନଙ୍କର ପରିଚାଳନା କାର୍ଯ୍ୟକର୍ତ୍ତାଙ୍କର ମନରେ ଉତ୍ସାହ ଓ ଉର୍ଜ୍ଜା ପ୍ରଦାନ କରିବାରେ ଆଶାନୁରୂପ ଭାବେ ଫଳ ପ୍ରଦ ହୋଇପାରି ନାହିଁ। ସାମୁହିକ ଶକ୍ତିକୁ ପ୍ରଦାନ କରିବା ପରିବର୍ତ୍ତେ ସମସ୍ତ ବରିଷ୍ଠ ନେତୃବୃନ୍ଦ ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା କାର୍ଯ୍ୟକର୍ତ୍ତାଙ୍କ ମହଲରେ ଶୁଣିବାକୁ ମିଳୁଛି।

ବିଶେଷ କରି କଳାହାଣ୍ଡିରେ ବିଜେପିର ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଓଡ଼ିଶାରେ ବିଜେପି ଶାସକ ଦଳର ନୀତି ଯାହା ଅଛି ତାକୁ କାଟୁ କରିବାର ବାଟ ବାହାର ନକଲେ ବିଜେପିର ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବା କଷ୍ଟକର ବୋଲି ଦଳର ବରିଷ୍ଠ ସଦସ୍ୟ ମାନେ ମତବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବଦଳିବେ ବିରୋଧୀ ଦଳ ନେତା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦୌଡରେ ସମ୍ବିତ ପାତ୍ର

ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରାଜ୍ୟ ସଭାପତି ବଦଳିବେ। ଏ ନେଇ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଚର୍ଚ୍ଚା। କାରଣ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ସେପରି କିଛି ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଏହି ଦୁଇ ନିର୍ବାଚନ ସଂପୂର୍ଣ୍ଣ ଦାୟିତ୍ବ ମୁଣ୍ଡାଇଥିଲେ ସଭାପତି ସମୀର ମହାନ୍ତି। ହେଲେ ତାଙ୍କ ନେତୃତ୍ବକୁ ରାଜ୍ୟବାସୀ ଗ୍ରହଣ କଲେ ନାହିଁ। ସେଥିପାଇଁ ସଭାପତି ବଦଳାଇବା ପାଇଁ ଦିଲ୍ଲୀ ନେତୃତ୍ବ ଚାହୁଁଛନ୍ତି ବୋଲି ଜଣାପଡିଛି।

ଏପରିକି ଗତ ସପ୍ତାହରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଏମାନଙ୍କର ପ୍ରଦର୍ଶନ ନେଇ କୁଆଡେ ନଡ୍ଡା ମଧ୍ୟ ଅସନ୍ତୁଷ୍ଠ ଅଛନ୍ତି। ସେହିପରି ଏମାନେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ମଧ୍ୟ ସାକ୍ଷାତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣାପଡି ନାହିଁ। ସେଠାରେ ମଧ୍ୟ ସମସ୍ତେ ନିଜର ଅସନ୍ତୁଷ୍ଠ ବ୍ୟକ୍ତ କରିଥିଲେ କୁହାଯାଉଛି।

ଏହାପରେ ରାଜ୍ୟ ବିଜେପି ବିଧାୟକମାନେ ମଧ୍ୟ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ମଧ୍ୟ ସେମାନେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ହେଲେ ବାହାରେ କେହି କିଛି କହି ନ ଥିଲେ ମଧ୍ୟ ସମସ୍ତେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି। ବର୍ତ୍ତମାନ ରାଜ୍ୟ ବିଜେପି ଯେଉଁ ଷ୍ଟାଟ୍ରେଜିରେ ଯାଉଛି ସେଥିରେ ବିଜେଡିକୁ ମୁକାବିଲା କରିହେବ ନାହିଁ ବୋଲି ସେମାନେ ସଫାସଫା କହିଛନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ କେନ୍ଦ୍ରୀୟ ନେତୃମଣ୍ଡଳ ବିରୋଧୀ ଦଳ ନେତାଙ୍କୁ ପରିବର୍ତ୍ତନ କରିବାକୁ ନିଶ୍ଚିତ କରିଛନ୍ତି। କାରଣ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଫଳରେ ବିଧାନସଭାରେ ବିଜେପି ଠିକରେ ମୁକାବିଲା କରିପାରୁ ନାହିଁ। ସେଥିପାଇଁ ବିରୋଧୀଦଳର ଉପନେତା ବିଷ୍ଣ ସେଠୀ ବିରୋଧୀ ଦଳ ନେତାକୁ ପଦନ୍ନୋତି ପାଇବେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବଦଳି କରାଯିବ। ସେଥିପାଇଁ କିଏ ପରବର୍ତ୍ତି ସଭାପତି ହେବ ସେ ନେଇ ଦିଲ୍ଲୀ ନେତୃମଣ୍ଡଳି କିଛି ନିଷ୍ପତି କରିପାରୁ ନାହାଁନ୍ତି। ବର୍ତ୍ତମାନ ସେମାନଙ୍କ ଦୃଷ୍ଟିରେ ବିଜେଡିକୁ ମୁକାବିଲା କରିପାରିବା ପରି ନେତା ଦେଖାଯାଉ ନାହାଁନ୍ତି। ତେବେ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ସମ୍ବିତ ପାତ୍ରଙ୍କୁ କୁଆଡେ ରାଜ୍ୟ ଦାୟିତ୍ବ ଦେବା ପାଇଁ ଚିନ୍ତା କରାଯାଉଛି।ତେବେ ଖୁବ ଶିଘ୍ର ଏହା ଉପରେ ଏକ ବଡ ନିଷ୍ପତି ନିଆଯିବ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣଙ୍କ ବିଭିନ୍ନ ରୋଗ ଅଛି ବୋଲି ମୋହନ ମାଝି ଧାରାବିବରଣୀ ଦେବା ପଛରେ କାରଣ କଣ ?

ଭୁବନେଶ୍ବର: ବିଧାୟକ ଜୟନାରାୟଣ ମିଶ୍ର ବହୁରୋଗରେ ଆକ୍ରାନ୍ତ। ତାଙ୍କର ଡାଇଲେସିସ ହେଉଛି। ତାଙ୍କର କିଡନୀ ସମସ୍ୟା ରହିଛି, ବ୍ଲଡ ପ୍ରେସର ରହିଛି, ଅନ୍ୟାନ୍ୟ ବହୁ ରୋଗ ରହିଛି। ଆମେ ନୂଆଦିଲ୍ଲୀ ଆସିଥିବା ବେଳେ ତାଙ୍କୁ ରାତିରେ ନେଇ ଏମସରେ ଭର୍ତ୍ତି କଲୁ। ସେ ଏବେ ସୁସ୍ଥ ଅଛନ୍ତି। ଏପରି ଏକ ଧାରାବିବରଣୀ ଦେଲେ ଅନ୍ୟତମ ବିଜେପି ବିଧାୟକ ମୋହନ ମାଝି। ଏକ ଭିଡିଓ ରେକର୍ଡ କରି ମିଡିଆକୁ ଜାରୀ କଲେ।

ସେହି ଭିଡିଓକୁ ଯେ କେହି ଦେଖିବ ସେ ଭାବିବ ଯେ, ଜୟନାରାୟଣ ଅସୁସ୍ଥ କଥାଟାକୁ ଯେପରି ସମସ୍ତଙ୍କୁ ମୋହନଙ୍କ ଅବଗତ କରାଇବାର ଆବଶ୍ୟକତା ରହିଛି। କାରଣ ସେ ଅସୁସ୍ଥ ହେଲେ ଏମସରେ ଭର୍ତ୍ତି ହେଲେ, ସେ କଥା ସହିତ ତାଙ୍କର ପୁରୁଣା ରୋଗ ସବୁ କଣ ଅଛି ତାହା ମଧ୍ୟ ସେ ଉପସ୍ଥାପନା କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ମୋହନ ମାଝି ଏପରି କାହିଁକି କଲେ। ଜୟନାରାୟଣଙ୍କ ପୁରୁଣା ରୋଗ କଣ ଅଛି, ସେ ସବୁବେଳେ ଅସୁସ୍ଥ ହେଉଛନ୍ତି ବୋଲି ଲୋକଲୋଚନକୁ ଆଣିବା କାରଣ କଣ ? ଜଣଙ୍କର ଦେହ ଖରାପ ଖବର ଦେବା ବେଳେ କଣ ଡାକ୍ତରଙ୍କ ପରି ତାଙ୍କର ପୁରୁଣା ରୋଗ ବିଷୟରେ କହିବା ନିହାତି ଆବଶ୍ୟକ ଥିଲା କି ?

ତେବେ ଏହା ପଛରେ ଏକ ରହସ୍ୟ ରହିଛି ବୋଲି ପରବର୍ତ୍ତି ସମୟରେ ଜଣାପଡିଲା। ଆଉ ସେହି ରହସ୍ୟଟି ହେଲା ଯେ, ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଫଳରେ ଦଳ ବର୍ତ୍ତମାନ ତାଙ୍କୁ ସେଥିରୁ ଅବହ୍ୟାତି ଦେଇ ଜଣେ ନୂଆ ବିରୋଧୀ ଦଳର ନେତା ବାଛିବା ପାଇଁ ଚିନ୍ତା କରୁଛି। ଆଉ ସେହି ଦୌଡରେ ରହିଛନ୍ତି ଉଭୟ ମୋହନ ମାଝି ଆଉ ଜୟନାରାୟଣ ମିଶ୍ର।

ବର୍ତ୍ତମାନ ଜୟନାରାୟଣଙ୍କ ସ୍ବାସ୍ଥ୍ୟ ଖରାପ ବିସ୍ତୁତ ବିବରଣୀ ମୋହନ ଦେଇ ଜଣାଇ ଦେଲେ ଯେ, ସେ ମଧ୍ୟ ବିରୋଧୀ ଦଳ ନେତା ପାଇଁ ଅକ୍ଷମ। ପ୍ରଦୀପ ନାୟକଙ୍କ ପରି ତାଙ୍କର ମଧ୍ୟ ସ୍ବାସ୍ଥ୍ୟ ଭଲ ନାହିଁ। ଫଳରେ ଦଳୀୟ ନେତାମାନେ ଜୟନାରାୟଣଙ୍କୁ ବାଦ ଦେଇ ତାଙ୍କୁ ବିରୋଧୀ ଦଳ ନେତା କରାନ୍ତୁ ବୋଲି ପରୋକ୍ଷରେ ସେ ଇଙ୍ଗିତ କରିଦେଲେ। ଯଦି ବିଜେପିର ବିଧାୟକଙ୍କ ମଧ୍ୟରୁ କିଏ ଭଲ ବିରୋଧୀ ଦଳର ନେତା ହୋଇପାରିବେ ବୋଲି ପ୍ରଶ୍ନ ପଚାରାଯାଏ ତେବେ ଉତ୍ତର ନିଶ୍ଚିତ ଜୟନାରାୟଣ ମିଶ୍ର ହେବେ। ହେଲେ ସେଥିରେ ବର୍ତ୍ତମାନ ଅସୁସ୍ଥ ଖବରଟି ଗୋଟିଏ କେଁ ହେଲାଣି।

ବିଧାନସଭା ନିର୍ବାଚନ ପରେ ବିଜେପି ପ୍ରଥମ ଥର ପାଇଁ ବିରୋଧୀ ଦଳ ଭାବେ ଆସନ ପାଇଛି। ପ୍ରଥମେ ଜୟନାରାୟଣ ମିଶ୍ର ବିରୋଧୀ ଦଳର ନେତା ହେବାର ବହୁ ସମ୍ଭାବନା ରହିଥିଲା। ହେଲେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ନ ଥିବାରୁ ତାଙ୍କୁ ସେହି ପଦବୀ ମିଳି ପାରି ନ ଥିଲା। ଏବେ କିନ୍ତୁ ସେହି ପରିସ୍ଥିତି ଆଉ ନାହିଁ। ଜୟନାରାୟଣ ବର୍ତ୍ତମାନ ଧର୍ମେନ୍ଦ୍ର ଖାସ୍ ସମର୍ଥକ ହୋଇସାରିଲେଣି। ସେଥିପାଇଁ ସେ ଏହି ବିରୋଧୀ ଦଳର ନେତା ହେବା ପ୍ରାୟ ସମ୍ଭାବନା ରହିଛି। ହେଲେ ତାଙ୍କର ସ୍ବାସ୍ଥ୍ୟ ଖରାପ ଖବରଟି ପ୍ରସାର ହେବା ପରେ ସେଥିରେ ଲାଗିଛି ପ୍ରଶ୍ନବାଚୀ।