ବଦଳିବେ ବିରୋଧୀ ଦଳ ନେତା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦୌଡରେ ସମ୍ବିତ ପାତ୍ର

Published: Apr 5, 2022, 6:30 pm IST

ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରାଜ୍ୟ ସଭାପତି ବଦଳିବେ। ଏ ନେଇ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଚର୍ଚ୍ଚା। କାରଣ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ସେପରି କିଛି ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଏହି ଦୁଇ ନିର୍ବାଚନ ସଂପୂର୍ଣ୍ଣ ଦାୟିତ୍ବ ମୁଣ୍ଡାଇଥିଲେ ସଭାପତି ସମୀର ମହାନ୍ତି। ହେଲେ ତାଙ୍କ ନେତୃତ୍ବକୁ ରାଜ୍ୟବାସୀ ଗ୍ରହଣ କଲେ ନାହିଁ। ସେଥିପାଇଁ ସଭାପତି ବଦଳାଇବା ପାଇଁ ଦିଲ୍ଲୀ ନେତୃତ୍ବ ଚାହୁଁଛନ୍ତି ବୋଲି ଜଣାପଡିଛି।

ଏପରିକି ଗତ ସପ୍ତାହରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଏମାନଙ୍କର ପ୍ରଦର୍ଶନ ନେଇ କୁଆଡେ ନଡ୍ଡା ମଧ୍ୟ ଅସନ୍ତୁଷ୍ଠ ଅଛନ୍ତି। ସେହିପରି ଏମାନେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ମଧ୍ୟ ସାକ୍ଷାତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣାପଡି ନାହିଁ। ସେଠାରେ ମଧ୍ୟ ସମସ୍ତେ ନିଜର ଅସନ୍ତୁଷ୍ଠ ବ୍ୟକ୍ତ କରିଥିଲେ କୁହାଯାଉଛି।

ଏହାପରେ ରାଜ୍ୟ ବିଜେପି ବିଧାୟକମାନେ ମଧ୍ୟ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ମଧ୍ୟ ସେମାନେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ହେଲେ ବାହାରେ କେହି କିଛି କହି ନ ଥିଲେ ମଧ୍ୟ ସମସ୍ତେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି। ବର୍ତ୍ତମାନ ରାଜ୍ୟ ବିଜେପି ଯେଉଁ ଷ୍ଟାଟ୍ରେଜିରେ ଯାଉଛି ସେଥିରେ ବିଜେଡିକୁ ମୁକାବିଲା କରିହେବ ନାହିଁ ବୋଲି ସେମାନେ ସଫାସଫା କହିଛନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ କେନ୍ଦ୍ରୀୟ ନେତୃମଣ୍ଡଳ ବିରୋଧୀ ଦଳ ନେତାଙ୍କୁ ପରିବର୍ତ୍ତନ କରିବାକୁ ନିଶ୍ଚିତ କରିଛନ୍ତି। କାରଣ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଫଳରେ ବିଧାନସଭାରେ ବିଜେପି ଠିକରେ ମୁକାବିଲା କରିପାରୁ ନାହିଁ। ସେଥିପାଇଁ ବିରୋଧୀଦଳର ଉପନେତା ବିଷ୍ଣ ସେଠୀ ବିରୋଧୀ ଦଳ ନେତାକୁ ପଦନ୍ନୋତି ପାଇବେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବଦଳି କରାଯିବ। ସେଥିପାଇଁ କିଏ ପରବର୍ତ୍ତି ସଭାପତି ହେବ ସେ ନେଇ ଦିଲ୍ଲୀ ନେତୃମଣ୍ଡଳି କିଛି ନିଷ୍ପତି କରିପାରୁ ନାହାଁନ୍ତି। ବର୍ତ୍ତମାନ ସେମାନଙ୍କ ଦୃଷ୍ଟିରେ ବିଜେଡିକୁ ମୁକାବିଲା କରିପାରିବା ପରି ନେତା ଦେଖାଯାଉ ନାହାଁନ୍ତି। ତେବେ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ସମ୍ବିତ ପାତ୍ରଙ୍କୁ କୁଆଡେ ରାଜ୍ୟ ଦାୟିତ୍ବ ଦେବା ପାଇଁ ଚିନ୍ତା କରାଯାଉଛି।ତେବେ ଖୁବ ଶିଘ୍ର ଏହା ଉପରେ ଏକ ବଡ ନିଷ୍ପତି ନିଆଯିବ ବୋଲି ଜଣାପଡିଛି।

Related posts