ବିଜେପିର ଆନ୍ଦୋଳନକୁ ନାଟକ କହି ଏମିତି ସମାଲୋଚନା କଲା ବିଜେଡି, ଜାଣନ୍ତୁ କଣ

Published: Dec 11, 2021, 8:03 pm IST

ଭୁବନେଶ୍ୱର: ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିରୁ ନଜର ହଟାଇବା ଲାଗି ବିଜେପି ହଙ୍ଗାମା କରି ଯେଭଳି ବିଧାନସଭାକୁ ଅଚଳ କଲେ, ତାହା ରାଜ୍ୟବାସୀ ଦେଖିଲେ। ବିଧାନସଭା ଭିତରେ ଲୋକଙ୍କ ଏହି ମୌଳିକ ସମସ୍ୟା ଉଠାଇବା ବଦଳରେ ହଙ୍ଗାମା କରିବା ପରେ ବିଜେପି ବିଧାୟକଦଳ ରାଜ୍ୟପାଳଙ୍କୁ ଭେଟି ଏଥିପାଇଁ ବିଜେଡିକୁ ଦାୟୀ କରି ଯେଉଁଭଳି ପାଲଟା ଅଭିଯୋଗ କଲେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ବିଜେପିର ଏହି ଦୋମୁହାଁ ନୀତିକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଓଡିଶାର ସାଧାରଣ ଲୋକେ ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଆକାଶଛୁଆ ଦରବୃଦ୍ଧିରେ ନୟାନ୍ତ ହୋଇ ପଡିଲେଣି। କେନ୍ଦ୍ର ସରକାର ଏହିସବୁ ସାମଗ୍ରୀର ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି । ଏଥିରୁ ନଜର ହଟାଇବାପାଇଁ ବିଜେପି ବିଧାୟକମାନେ ଓଡିଶା ବିଧାନସଭାକୁ ଅଚଳ କରି ରଖିଲେ। ବାଚସ୍ପତି ବାରମ୍ବାର ସର୍ବଦଳୀୟ ବୈଠକ ଡାକି ବିଧାନସଭାରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁରୋଧ କଲେ।

ମାତ୍ର ବିଧାନସଭା ଚଳାଇ ନଦେବା ଲାଗି ବିଜେପି ବିଧାୟକମାନେ କେତେବେଳେ ଘଣ୍ଟ ବଜାଇଲେ ତ ଆଉ କେତେବେଳେ ହୋହଲ୍ଲା କଲେ ଏବଂ ବିଧାନସଭାକୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ବନ୍ଦ କରିବାକୁ ବାଚସ୍ପତିଙ୍କୁ ବାଧ୍ୟ କଲେ । ବିଜେପିର ଏହି ନାଟକବାଜିକୁ ରାଜ୍ୟବାସୀ ଟିଭି ମାଧ୍ୟମରେ ଦେଖିବା ପରେ ବି ବିଜେପି କେଉଁ ମୁହଁରେ ରାଜ୍ୟପାଳଙ୍କୁ ବାଚସ୍ପତି ଓ ଶାସକ ଦଳ ବିରୋଧରେ ଫେରାଦ ଦେବାକୁ ଗଲା, ତାହା ବିସ୍ମୟ ସୃଷ୍ଟି କରିଛି । ରାଜ୍ୟବାସୀଙ୍କ ମୌଳିକ ସ୍ୱାର୍ଥକୁ ଉପେକ୍ଷା କରିବା ବିଜେପି ପାଇଁ ମହଙ୍ଗା ପଡ଼ିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ବିଜେପିର ଏଭଳି ଆଚରଣ ଯୋଗୁଁ ଲୋକେ ଏହି ଦଳକୁ ଓଡିଶାରେ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି । ଯେଉଁଥିପାଇଁ ବିଜେପିର ଆଗଧାଡିର ନେତାମାନେ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି । ଆଗାମୀ ଦିନରେ ଏହା ଆହୁରି ବଢିବ । ରାଜ୍ୟ ବିଜେପିର ୮ଜଣ ଯାକ ସାଂସଦ ଦିଲ୍ଲୀରେ ଓଡିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ଲଢେଇ କରିବା ଲାଗି ଜଗନ୍ନାଥ ସେମାନଙ୍କୁ ସଦ୍‍ବୁଦ୍ଧି ଦେବାକୁ ବିଜେଡି ପ୍ରାର୍ଥନା କରୁଛି । କିନ୍ତୁ ବଜେପି ତାହା ନକରି ଦଳ ପକ୍ଷରୁ ଯେଭଳି ଲୋକଙ୍କ ମୌଳିକ ସମସ୍ୟାକୁ ଅଣଦେଖା କରି ରାଜ୍ୟ ବିଧାନସଭାକୁ ଅଚଳ କରାଗଲା ତାହାକୁ ଓଡିଶାବାସୀ ଦେଖିଛନ୍ତି ଓ ଆଗାମୀ ଦିନରେ ରାଜ୍ୟର ସଚେତନ ଲୋକେ ଏଭଳି ଦଳକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Related posts