ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ୨୧୪୦ କୋଟିର ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

Published: Dec 12, 2021, 2:11 pm IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା’ ତାରା ତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ। ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାରାତାରିଣୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେଠାରେ ମନ୍ଦିର ବିକାଶ କାମର ସମୀକ୍ଷା କରି ୨୦୨୩ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଥିଲେ। ତାରାତରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ହିଞିଳି ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଗଞ୍ଜାମରେ ମିଶନ ଶକ୍ତି ମା ମାନଙ୍କ କାମର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଶହେ କୋଟି ଟଙ୍କାର ଋଣ ବଣ୍ଟନ କରିଥିଲେ।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରିତ ବୃନ୍ଦାବନ ବିଦ୍ୟାପୀଠର ସ୍ମାର୍ଟ କ୍ଳାସ ରୁମ ଓ ଇ-ଲାଇବ୍ରେରୀ ମୁଖ୍ୟମନ୍ତ୍ରୀ ବୁଲି ଦେଖି ଥିଲେ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ କିଛି ସମୟ ବିତାଇ ଥିଲେ।

ହିଞିଳିରୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଗଞ୍ଜାମ ଦର୍ଶନ ବସ୍ ର ଶୁଭ ଯାତ୍ରା ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଗଞ୍ଜାମ ଯାଇଥିଲେ।

Related posts