ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୬ରେ ବିଜେଡି ତାହାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହା ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ସେବା ମନୋଭାବ ନେଇ କାମ କରି ଆସୁଥିବା ଏକ ଆଞ୍ଚଳିକ ରାଜନୈତିକ ଦଳ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ । ଏଥିପାଇଁ ଦଳୀୟ ସଦସ୍ୟମାନଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ଏହି ପରିପ୍ରେକ୍ଷୀରେ ନବୀନ କହିଛନ୍ତି ଯେ, ଏହି ପ୍ରତିଷ୍ଠା ଦିବସ ବ୍ଲକ ସ୍ତରରେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ପାଖକୁ ଯିବା ପାଇଁ ନବୀନ କହିଛନ୍ତି। ଲୋକଙ୍କ ଅଧିକ ନିକଟତର ହେବା, ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହ ଜନସେବାରେ ପୂର୍ଣ୍ଣପ୍ରାଣରେ ସମର୍ପିତ ହେବା ଦରକାର ବୋଲି ନବୀନ ଉଲ୍ଲେଖ କରିଛନ୍ତି।
ଡିସେମ୍ବର 26 ତାରିଖରେ ନବୀନ ସବୁ କର୍ମିମାନଙ୍କୁ ଗୁରୁମନ୍ତ୍ର ଦେବେ। ସେଥିପାଇଁ ଦଳ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଦିନ ନବୀନ ଭୁବନେଶ୍ବରରୁ ଅପରାହ୍ନ 4ଟ 30 ମିନଟରେ ତାଙ୍କର ଅଭିଭାଷଣ ରଖିବେ। ତାହାକୁ ସବୁ ନିର୍ବାଚନ ମଣ୍ଡଳୀର କର୍ମିମାନେ ଶୁଣିବା ପାଇଁ ଏଲଇଡି ଭ୍ୟାନର ବନ୍ଦୋବସ୍ତ କରାଯାଇଛି। ସେଥିରେ ନବୀନଙ୍କ ଭାଷଣର ସିଧା ପ୍ରସାରଣ କରାଯିବ।
ସେହିପରି କର୍ମିମାନେ ଅନ୍ତତଃ 25 ଜଣ ନୂଆ ସଭ୍ୟ ସଂଗ୍ରହ କରିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏହି ସଭ୍ୟ ସଂଗ୍ରହ ବ୍ଲକ, ପଞ୍ଚାୟତ, ପୌରା ଅଞ୍ଚଳରୁ କରାଯାଉ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସଭ୍ୟମାନଙ୍କୁ ନେଇ ଦଳ ଆଗାମୀଦିନରେ ବେଶ୍ ସଶକ୍ତ ହେବ ବୋଲି ସେ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବର୍ଷ ଆଗୁଆ ଅଭିନନ୍ଦନ ଦେବା ସହିତ କରୋନା କଟକଣା ମାନି ଚଳିବା ପାଇଁ ଉପଦେଶ ଦେଇଛନ୍ତି।