କଲବଲ କଲାଣି କରୋନା ଭାଇରସ୍, ବିଭିନ୍ନ ରାଜ୍ୟରେ ପୁଣି ଫେରିଲା ନାଇଟ ଓ ସପ୍ତାହନ୍ତ କର୍ଫ୍ୟୁ

Published: Jan 5, 2022, 12:51 pm IST

ନୂଆଦିଲ୍ଲୀ:  ବର୍ତ୍ତମାନ ଦେଶରେ କରୋନା ସଂକ୍ରାମଣ ବଢିବାକୁ ଲାଗିଲାଣି। ଫଳରେ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଲାଣି। ବର୍ତ୍ତମାନ ସଂକ୍ରାଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ସେହି ପୂର୍ବ ପରି ନାଇଟ କର୍ଫ୍ୟୁ ଏବଂ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କଲେଣି। କାରଣ ଏବେଠାରୁ ସଜାଗ ନ ହେଲେ ପରବର୍ତ୍ତି ସମୟରେ ପରିସ୍ଥିତି ଅସମ୍ଭାଳ ହୋଇପଡିବ।

ଦିଲ୍ଲୀରେ ବଢୁଥିବା କୋଭିଡ ରୋଗୀଙ୍କୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶନିବାର ଏବଂ ରବିବାର ପାଇଁ କର୍ଫ୍ୟୁ ଲାଗୁ କରିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ବେସରକାରୀ କାର୍ଯ୍ୟାଳୟରେ 50 ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ କରୁଥିବା ବେଳେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଦିଲ୍ଲୀର ସରକାରୀ କର୍ମଚାରୀମାନେ ଘରୁ କାମ କରିବେ ବୋଲି କୁହାଯାଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଭିଡ଼କୁ ଏଡାଇବା ପାଇଁ ମେଟ୍ରୋ ଏବଂ ବସ୍ ପୁନର୍ବାର ପୂର୍ଣ୍ଣ କ୍ଷମତାରେ ଚାଲିବ।

ସେହିପରି ନାଇଟ କର୍ଫ୍ୟୁ ଲାଗୁ କରିବାକୁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି 10 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ କାର୍ଯ୍ୟକାରୀ ହେବ। ଏହି କଟକଣା ଜାନୁଆରୀ 15 ପର୍ଯ୍ୟନ୍ତ ବଳବତ୍ତର ରହିବ। ହେଲେ ଏହି ଅବଧି ମଧ୍ୟରେ ଜରୁରୀ ସେବା ଜାରି ରହିବ। ବାର୍, ସିନେମା ହଲ୍, ମଲ୍, ରେଷ୍ଟୁରାଣ୍ଟ ଏବଂ ସ୍ପା 50% କ୍ଷମତା ସହିତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ଥାନଗୁଡିକରେ ସମସ୍ତ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଟୀକାକରଣ ନିଶ୍ଚିତ କରିବେ। ସେହିପରି ଜିମ୍, ବିଦ୍ୟାଳୟ ଏବଂ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା ହୋଇଛି।

ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟ ଜାନୁଆରୀ 14 ପର୍ଯ୍ୟନ୍ତ ବନ୍ଦ ରହିବ। ରାତିର କର୍ଫ୍ୟୁ ଆଉ ଦୁଇ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି | ଆସନ୍ତାକାଲି ଠାରୁ ଏହି ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ନେଇ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 942 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଯାହାକି ନିକଟ ଅତୀତରେ ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ କୋଭିଡ ପୀଡିତଙ୍କ ସଂଖ୍ୟା। ରାଜ୍ୟରେ କୋଭିଡ୍ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 23।

ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟରେ ରାତି 10 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ କୋଭିଡ କର୍ଫ୍ୟୁ କାର୍ଯ୍ୟକାରୀ ହେବ। ଯେଉଁ ଜିଲ୍ଲାରେ କୋଭିଡ ରୋଗୀଙ୍କ ସଂଖ୍ୟା 1000 ରୁ ଅଧିକ ହେବ ସେ ନେଇ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ଜିଲ୍ଲାରେ 1000 ରୁ ଅଧିକ କୋଭିଡ ରୋଗୀ ଚିହ୍ନଟ ହୋଇ ନାହାଁନ୍ତି।

ଏହି ଜିଲ୍ଲାମାନଙ୍କରେ ବର୍ତ୍ତମାନ କେବଳ 100 ଲୋକ ବିବାହ କିମ୍ବା ଅନ୍ୟାନ୍ୟ ସମାରୋହରେ ଯୋଗ ଦେଇ ପାରିବେ ବୋଲି କୁହାଯାଇଛି।| ଏହିପରି ଜିଲ୍ଲାମାନଙ୍କରେ ସମସ୍ତ ଜିମ୍, ସ୍ପା, ଧାର୍ମିକ ସ୍ଥାନ ଏବଂ ରେଷ୍ଟୁରାଣ୍ଟରେ ଲୋକଙ୍କର 50 ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିହାରରେ ରାତି 10 ଟାରୁ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯିବ। ଆସନ୍ତାକାଲି ଠାରୁ ଏହି କର୍ଫ୍ୟୁ ଆରମ୍ଭ ହେବ ଏବଂ ଜାନୁୟାରୀ 21 ପର୍ଯ୍ୟନ୍ତ ବଳବତ୍ତର ରହିବ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିମ୍, ପାର୍କ, ମଲ୍, ଧାର୍ମିକ ସ୍ଥାନ, ସିନେମା ହଲ୍, ସୁଇମିଂ ପୁଲ୍ ଏବଂ ଷ୍ଟାଡିୟମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରାତି 8 ଟା ପର୍ଯ୍ୟନ୍ତ ଖୋଲା ରହିବ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଜାନୁୟାରୀ 21 ପର୍ଯ୍ୟନ୍ତ ବନ୍ଦ ରହିବ। ନବମ ରୁ ଦ୍ବାଦଶ ଶ୍ରେଣୀଗୁଡିକ ପଚାଶ ପ୍ରତିଶତ କ୍ଷମତା ସହିତ ଚାଲିବ ବୋଲି କୁହାଯାଇଛି।

କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଛତିଶଗଡ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଚାରି ପ୍ରତିଶତ ଏବଂ ତଦୁର୍ଦ୍ଧ୍ୱ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ ରାତି 10 ଟାରୁ 6 ଟା ପର୍ଯ୍ୟନ୍ତ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯିବ।

ଛତିଶଗଡର ଯେଉଁଠାରେ କୋଭିଡ ପଜିଟିଭିଟି ହାର 4 ପ୍ରତିଶତରୁ ଅଧିକ ଅଛି ସେଠାରେ 144 ଧାରା ଲାଗୁ କରାଯାଇଛି। ଏହିପରି ଜିଲ୍ଲାଗୁଡିକର ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଲାଇବ୍ରେରୀ, ସୁଇମିଂ ପୁଲ୍ ଏବଂ ଧର୍ମ ସ୍ଥାନ ବନ୍ଦ ରହିଛି। ଏହା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଶୋଭାଯାତ୍ରା, ସମାବେଶ ଏବଂ ସଭା ତଥା ସମସ୍ତ ପ୍ରକାରର ଜନସାଧାରଣ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ, ଧାର୍ମିକ ତଥା କ୍ରୀଡା ସମ୍ବନ୍ଧୀୟ ଜନସମାଗମ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି।

ଏହି ସମୟରେ ରାଜଧାନୀ ରାୟପୁରର ଆଇଆଇଟି ଭିଲାଇର ରାଇଜ ବାହର କ୍ୟାମ୍ପସରେ 80 ଜଣ ଛାତ୍ର ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ରାତି 9 ଟାରୁ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ସପ୍ତମରୁ ନବମ ପର୍ଯ୍ୟନ୍ତ କ୍ଲାସ୍ ଦିନେ ଛଡା ଦିନେ ହେବ।  ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ କ୍ଲାସ୍ ଦୁଇ ସପ୍ତାହ ପର୍ଯ୍ୟନ୍ତ ଛୁଟି ରହିବ। ପୋର୍ଟ ବ୍ଲେୟାରରେ ଫେରି ସେବା ସ୍ଥଗିତ ରହିବ। ଆଣ୍ଡାମାନ ଏବଂ ନିକୋବରରେ ଏପର୍ଯ୍ୟନ୍ତ 74 ଜଣ ଲୋକ ସଂକ୍ରମିତ ହୋଇଛନ୍ତି।

ସେହିପରି ଓଡିଶାରେ ମଧ୍ୟ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରାଯାଇଛି। ରାତି 10ରୁ ସକାଳ 5ଟା ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି। ତେବେ ରାଜ୍ୟରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢିବାକୁ ଲାଗିଣି ସେଥିରେ ଆଉ କିଛି ବଡ ପଦକ୍ଷେପ ନେବାକୁ ସରକାର ଚିନ୍ତା କରୁଛନ୍ତି। ତେବେ କହିବାକୁ ଗଲେ ସାରା ଭାରତରେ ବର୍ତ୍ତମାନ ପୁଣି ଥରୋ କରୋନା କଲବଲ କରିବା ଆରମ୍ଭ କଲାଣି।

Related posts