କ୍ୟାବିନେଟ ନିଷ୍ପତି: ଏଣିକି ଲୋକେ ଶ୍ରୀଜଗନ୍ନାଥ ଜମି କିଣାବିକା କରିପାରିବେ, ଶୁଣନ୍ତୁ କଣ କହୁଛନ୍ତି ସିଏସ

Published: Jan 5, 2022, 2:14 pm IST

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା, ଏଣିକ ଜଗନ୍ନାଥଙ୍କ ଜମିକୁ ଦଖଲଦାରମାନେ କିଣିବିକା କରିପାରିବେ। ପୂର୍ବରୁ ଯେଉଁମାନେ ଜଗନ୍ନାଥଙ୍କ ଜମି ରଖିଥିଲେ ସେମାନେ ସରକାରୀ କଟକଣା ଭିତରେ ସେହି ଜମିର ସଂପୂର୍ଣ୍ଣ ମାଲିକ ହୋଇପାରୁ ନ ଥିଲେ। ହେଲେ ସେହି ନିୟମକୁ ସଂଶୋଧନ କରାଯାଇଛି।

ବର୍ତ୍ତମାନର ସଂଶୋଧିତ ନିୟମ ଅନୁସାରେ ଯେଉଁମାନେ ଜଗନ୍ନାଥଙ୍କ ଜମି ଭୋଗ କରୁଛନ୍ତି ସେମାନେ ତାହାକୁ ନିଜ ନାମରେ କରିବା ପାଇଁ ଆବେଦନ କରିବେ। ତେବେ ସେହି ଆବେଦନ ପୂର୍ବ ପରି ଆଉ ରାଜ୍ୟ ସରକାରଙ୍କୁ କରିବାକୁ ଆବଶ୍ୟକ ନାହିଁ। ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସାମୁହିକ ଭାବେ ଏହାର ଅନୁମତି ପ୍ରଦାନ କରିବେ।

2003 ମସିହାରେ ଜଗନ୍ନାଥ ଜମିକୁ ନେଇ ଏକ ୟୁନିଫର୍ମ ନୀତି ପ୍ରଣୟନ କରାଯାଇଥିଲା। ଏଥିରେ ଯେଉଁମାନେ ଜଗନ୍ନାଥ ଜମି ଦଖଲ କରିଛନ୍ତି ସେମାନଙ୍କ ନାମରେ ସେ ଜମି କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ହେଲେ ଆଇନ କଟକଣା ଭିତରେ ସେ ସବୁ କରିବା ସମ୍ଭବ ହୋଇ ନ ଥିଲା। ଫଳରେ ହଜାର ହଜାର ଆବେଦନକାରୀଙ୍କ ଆବେଦନ ଫଇସଲା ହୋଇପାରୁ ନ ଥିଲା।

ବର୍ତ୍ତମାନ ଶ୍ରୀମନ୍ଦିର ଅଧିନିୟମ 1954 କୁ ସଂଶୋଧିତ କରାଯାଇ ଏହି ବ୍ୟବସ୍ଥାକୁ ସରଳ କରାଯାଇଛି। ଫଳରେ ଜଗନ୍ନାଥ ଜମି ଭୋଗ କରୁଥିବା ହଜାରହଜାର ଲୋକେ ଉପକୃତ ହୋଇପାରିବେ। ଏପରିକି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିରେ ଲାଭବାନ ହୋଇପାରିବ।

Related posts