ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ସତ, ହେଲେ ଏତେ ସପନକୁ ରାତି କାହିଁ !

Published: Jan 12, 2022, 11:03 am IST

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରାଜନୈତିକ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଛି। ହେଲେ ପ୍ରଶ୍ନ ଉଠୁଛି ଏତେ ସପନକୁ ରାତି କାହିଁ। ଅର୍ଥାତ ରାଜନୈତିକ ଦଳଗୁଡିକ ପଞ୍ଚାୟତ ନିର୍ବାଚନ ପାଇଁ ଯାହା ସବୁ କରିବେ ବୋଲି ଭାବି ଥିଲେ ତାହା ସବୁ ଫସର ଫାଟିଗଲା। ପରିସ୍ଥିତି ଏପରି ହୋଇଛି ଯେ, କେତେକ ଦଳ ସବୁଆଡେ ପ୍ରାର୍ଥୀ ଦେଇପାରିବେ କି ନାହିଁ ସନ୍ଦେହ ହେଲାଣି।

ଏହାର କାରଣ ହେଲା ଯେ, ହାତରେ ମାତ୍ର ଆଉ ଅଳ୍ପ ଦିନ ରହିଲା। ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ମନୋନୟନ ପତ୍ର ଦାଖଲ ତାରିଖ ହେଉଛି ଜାନୁୟାରୀ 17 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ। ଅର୍ଥାତ ଆଉ ମାତ୍ର ପାଞ୍ଚ ଦିନ ହାତରେ ଅଛି। ଏତେ ସଂଖ୍ୟକ ପ୍ରାର୍ଥୀ ଦଳଗୁଡିକ ଏହି ସମୟ ଭିତରେ କିପରି ଖୋଜିବେ ତାହା ତାଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି।

ହେଲେ ଏହି ସ୍ବଳ୍ପ ସମୟକୁ ନେଇ ରାଜ୍ୟର ଜଣେ ବରିଷ୍ଠ ନେତା, ବଡ ମଜଦାର କଥା କହିଲେ। ତାଙ୍କ ହିସାବରେ ବର୍ତ୍ତମାନ ନେତାମାନଙ୍କ ହାତରେ ଆଉ ସମୟ ନାହିଁ। ସେଥିପାଇଁ ସରପଞ୍ଚ ସ୍ତରରେ ଯିଏ ଛିଡା ହେବ ହୁଅନ୍ତୁ। ସେମାନେ ଜିତିକି ଆସିଲେ ତାଙ୍କୁ ଦଳ ଭିତରକୁ ଆଣି ଜିତିବା ସଂଖ୍ୟା ବଢାଇ ଦେଇ ହେବ। ହେଲେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ଏହି ସ୍ବଳ୍ପ ସମୟରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଗୁରୁତ୍ବ ମିଳିବ କି ନାହିଁ।

ଅନ୍ୟପକ୍ଷରେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ପ୍ରଚାର ମାଧ୍ୟମ। କାରଣ କରୋନା ପାଇଁ ନିର୍ବାଚନ କମିଶନର ଯେଉଁ କଟକଣା କରିଛନ୍ତି ତାହା ସେମାନଙ୍କୁ ହତାଶ କରିଛି। ଏଥର ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କୌଣସି ରାଲି, ସଭା, ସମାବେଶ କିମ୍ବା ଶୋଭାଯାତ୍ରା କରିପାରିବେ ନାହିଁ। ଫଳରେ ଲୋକମାନଙ୍କ ନିକଟରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କିପରି କରିବେ ତାହା ମଧ୍ୟ ଚିନ୍ତାର କାରଣ ପାଲଟିଛି।

ନିର୍ବାଚନ କମିଶନର କହିଛନ୍ତି ଯେ, ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବେ। ଯେତେବେଳେ ସହରାଞ୍ଚଳରେ ଡିଜିଟାଲ ପ୍ରଚାର ଫେଲମାରିଛି ସେତେବେଳେ ଗାଁ ଗହଳିରେ ଏହା କେତେ କାମ କରିବ ତାହା ସନ୍ଦେହ ଜନକ। କାରଣ ଗାଁ ଭୋଟର ନା ଜାଣନ୍ତି ଫେସବୁକ ନା ଜାଣନ୍ତି ଟୁଇଟର ନା ହ୍ବାଟସଆପ। ଏପରି କ୍ଷେତ୍ରରେ ପ୍ରାର୍ଥୀମାନେ କଣ କରିବେ ତାହା ମଧ୍ୟ ସେମାନଙ୍କର ଚିନ୍ତା ବଢାଇ ଦେଇଛି। କମଶନର କହିଛନ୍ତି ଯେ ପ୍ରାର୍ଥୀମାନେ ଭଚ୍ୟୁୟାଲି ପ୍ରଚାର କରିବେ। ହେଲେ ଏମାନେ ନବୀନ ପଟ୍ଟନାୟକ ନୁହଁନ୍ତି ଯେ ତାଙ୍କ ଭିଡିଓ ଦେଖିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିବେ।

ତେବେ ଏହି ପ୍ରଚାରକୁ ନେଇ ଆଉ ଜଣେ ବରିଷ୍ଠ ନେତା ତଥା ବିଧାୟକଙ୍କ ମଧ୍ୟ ଚମତକାର ଚିନ୍ତାଧାର ରହିଛି। ତାଙ୍କ କହିବା ଅନୁସାରେ ପ୍ରଚାର କଟକଣା କରାଗଲା ଭଲ ହେଲା। ଏପରି ନ ହୋଇଥିଲେ ପ୍ରାର୍ଥୀମାନେ ଆମଠାରୁ ପଇସା ଭିଡି ନେଇ ଥାଆନ୍ତେ। ଏଥର ନା ହେବ ରାଲି ନା ହେବ ଶୋଭାଯାତ୍ରା, ତେଣୁ ଆମ ପକେଟ ଏଥର ସୁରକ୍ଷିତ ରହିବ। ହେଲେ ଯେଉଁମାନେ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନେକ କିଛି ସପନ ଦେଖିଥିଲେ ସେମାନଙ୍କ ପାଇଁ ଆଉ ରାତି ନାହିଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Related posts