Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜନୈତିକ ଓ ପାରିବାରିକ କଳହ, ସାନ ଭାଇ ଓ ବୋହୁ ମିଶି ବଡଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଳହ ଓ ପାରିବାରିକ କଳହକୁ କେନ୍ଦ୍ର କରି ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀଙ୍କୁ ତାଙ୍କ ସ୍ୱାମୀଙ୍କ ସାନ ଭାଇ ଓ ବୋହୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିବା ସହ ଏକ ଶାବଳରେ ଭୁସି ମାରିଦେବା ଉଦ୍ୟମ କରିଥିବା ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ତଥା ଆକ୍ରମଣକାରୀଙ୍କ ଦେଢଶୁର (ବଡଭାଇ) କେଶବ ଦେହୁରୀ (୪୫)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଗୁରୁତର ଅବସ୍ଥାରେ ଚାଷ ଜମିରୁ କେଶବଙ୍କୁ ପରିବାର ଲୋକେ ଉଦ୍ଧାର କରି ଏକ ବାଇକ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଏନେଇ ଗୁରୁତର ଆହତ ହୋଇଥିବା କେଶବ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ରେଢାଖୋଲ ଥାନା କେସ ନମ୍ବର ୧୫୪/୨୨ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୋଲିସ ଆକ୍ରମଣ କାରୀ ସାନ ଭାଇ ମୀନ କେତନ ଦେହୁରୀଙ୍କୁ ଅଟକ ରଖିଥିବା ଆଇଆଇସି ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି। କେଶବଙ୍କୁ ତାଙ୍କ ସାନ ଭାଇ ମୀନକେତନ ଦେହୁରୀ ଓ ତାଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଚାଷ ଜମିରେ କେଶବଙ୍କ ସହ କଳହ କରିବା ସହ ପ୍ରଚୁର ମାଡ଼ ମାରି ପ୍ରଥମେ ସାନ ଭାଇ ମୀନ କେତନ ଏକ ଶାବଳରେ ପେଟରେ ଭୁସି ମାରି ଦେବାକୁ ଉଦ୍ୟମ କରି ଥିଲେ। ସେଥିରେ ବଡ଼ ଭାଇ କେଶବ ଅଳ୍ପକେ ରକ୍ଷା ପାଇ ଯାଇ ଥିଲେ। ଏହା ପରେ ଘଟଣା ସ୍ଥଳରେ ଥିବା ମୀନ କେତନଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ କେଶବଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡରେ ହାଣି ପକାଇ ଥିଲେ ବୋଲି ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି।

ଲିଖିତ ଅଭିଯୋଗରେ ସେ ଜଣାଇଛନ୍ତି ଯେ ରାଇଲ ଗ୍ରାମର ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀ କେଶବ ଦେହୁରୀ ଗୁରୁବାର ସକାଳ ୯ ଟା ବେଳେ ତାଙ୍କ ଶାଳବଣିଆରେ ଥିବା ଚାଷ ଜମିକୁ ଯାଇ କାମ କରୁଥିଲେ। ଏହି ସମୟରେ କେଶବଙ୍କ ସାନ ଭାଇ ମୀନ କେତନ ଓ ତାଙ୍କ ପତ୍ନୀ ଚଞ୍ଚଳା ଦୌଡ଼ି ଆସି ଏକ ଶାବଳରେ ଭୁସି ଦେଉ ଥିବା ବେଳେ ଗ୍ରାମର ଚକ୍ରଧର ଶାବଳ ଛଡାଇ ନେଇ ଥିଲା। ଏହା ପରେ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ ତାଙ୍କ ଦେଢଶୁର କେଶବଙ୍କ ପଛ ପଟୁ ମୁଣ୍ଡରେ ଆକ୍ରମଣ ତଥା ହାଣି ଦେଇଥିଲେ। ଏହା ପରେ ଏକ ଢେଙ୍ଗାରେ ପ୍ରଚୁର ମାଡ଼ ମଧ୍ୟ ମାରି ଥିଲେ।

ଗୁରୁତର ଆହତ କେଶବଙ୍କ ପତ୍ନୀ ଶୋଭାଗିନୀ ଦେହୁରୀ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମ ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟା ହେବା ଦିନଠୁ ମାଛ ଚିହ୍ନ ଭୋଟ ଦେଇ ଥିବା ଲୋକଙ୍କୁ ଗୋଟି ଗୋଟି କରି ମାରିବି ବୋଲି ରାସ୍ତାରେ ପାଟି କରି କହୁଥିଲେ।ଏହା ସହ କେଶବଙ୍କ ପତ୍ନୀଙ୍କୁ ବିଧବା କରିଦେବା ପାଇଁ ଆଗରୁ ସବୁବେଳେ ଧମକ ଦେଇ ଆସୁଥିଲା।

ଏହି ଗଣ୍ଡଗୋଳରେ ଗ୍ରାମର କେତେକ ଖଳ ପ୍ରକୃତିର ଲୋକେ ପ୍ରବର୍ତ୍ତାଉ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଉଲ୍ଲେଖ ଥାଉକି ଗତ ୨୦୦୮ ମସିହାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ନାଏବ ସରପଞ୍ଚ ତଥା ରାଇଲ ଗ୍ରାମର ରବି ସାହୁଙ୍କୁ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ହତ୍ୟା ଘଟଣା ଘଟି ଯାଇଥିଲା। ଯାହାକି ଏବେ ମଧ୍ୟ ଅଞ୍ଚଳବାସୀ ଓ ଗ୍ରାମବାସୀଙ୍କ ମନରୁ ଲିଭି ନ ଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟିବ ସେଥିପାଇଁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ପାଇଁ ଲୋକେ ଦାବି କରିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ବିଧିବଧ ଭାବେ ଭୋଟ ଗଣତିର ଫଳାଫଳ ଘୋଷଣା କଲେ ନିର୍ବାଚନ କମିଶନର

ଭୁବନେଶ୍ବର: ଆଜି ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିଶନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଏହି ଫଳାଫଳ ସମସ୍ତେ ଅବଗତ ଥିଲେ ମଧ୍ୟ କମିଶନରଙ୍କ ତରଫରୁ ତାହା ଘୋଷଣା କରାଯାଇ ନ ଥିଲା। ବର୍ତ୍ତମାନ ଘୋଷଣା ଅନୁସାରେ ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ଗଣନା ତାରିଖ-୨୬.୦୨.୨୦୨୨
ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା -୩୧୫
ଫଳାଫଳ ଘୋଷିତ -୩୧୪ ( ନିଆଳି ଜୋନ ୧ ଘୋଷିତ ହୋଇ ନାହିଁ)
ବିଜେଡି-୨୮୧
ବିଜେପି -୧୫
କଂଗ୍ରେସ-୧୪
ସ୍ବାଧୀନ-୨
ଅନ୍ୟାନ୍ୟ-୨

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆସନ୍ତା ୨୬ରୁ ଭୋଟ ଗଣନା, ରାତି ପର୍ଯ୍ୟନ୍ତ ଚାଲିପାରେ, ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଗୁରୁବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହାପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ।

ଭୋଟ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମାଙ୍କ ସହ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ କରିଥିଲେ ।

ଭୋଟ ଗଣତି କେନ୍ଦ୍ର ବାହାରେ, ବିଶେଷ କରି ଭୋଟଗଣତି ସମୟରେ ହେବାକୁ ଥିବା ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଭୋଟଗଣତି କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଲେ, ସେ ସମୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ରକ୍ଷା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। କୌଣସି ପରିସ୍ଥିତିରେ କୌଣସିଠାରେ ଯେପରି ବିଶୃଙ୍ଖଳା ନ ଉପୁଜିବ ସେ ଦିଗରେ ତୀକ୍ଷ୍‌ଣ ଦୃଷ୍ଟିଦେବାକୁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଓ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ନିର୍ବାଚନ ଆୟୋଗଙ୍କ ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର ପ୍ରମୁଖ ଉପସ୍ଥିତ ଥିଲେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଭୋଟବାକ୍ସ ସୁରକ୍ଷା ପାଇଁ ଏହିସବୁ ପଦକ୍ଷେପ ନିଅ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ। ଏଥି ନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ ମଧ୍ୟରେ ରଖାଯାଉଛି ।

କିନ୍ତୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଦିଗରେ କେତେକ ଅଭିଯୋଗ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଷ୍ଟ୍ରଙ୍ଗରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ କେତେକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ହୋଇଥିବା ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିସାରି ସିଲ୍‌ କରିସାରିଲା ପରେ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯାଇପାରିବ ନାହିଁ।

ଯେଉଁ ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ, ସେସବୁ ଭୋଟବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଷ୍ଟ୍ରଙ୍ଗରୁମ୍‌ ହୋଇଥିବା କୋଠାରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ସହ ଷ୍ଟ୍ରଙ୍ଗରୁମ୍‌ ହୋଇଥିବା ଅଞ୍ଚଳଟି ସିସିଟିଭି ନଜରରେ ରହିବ। ଭୋଟଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥମାନଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ, ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍‌ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ ।

ଭୋଟ ଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ସମସ୍ତ ନିଷୋଧାଦେଶଗୁଡ଼ିକ ମଧ୍ୟ ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ମଧ୍ୟ ଲାଗୁ କରାଯିବ। ଭୋଟଗଣତି କେନ୍ଦ୍ର ମଧ୍ୟକୁ ପାଣି ବୋତଲ ନ ନେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି।

ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେଡି କହିଛି।

ଦାବୀ ପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବିଜେପି ବିଭିନ୍ନ ସ୍ଥାନରେ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡାବାହିନୀ ପୋଲିସ, ନିର୍ବାଚନ କର୍ମଚାରୀ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ କରି ବହୁ ସଂଖ୍ୟାରେ କର୍ମିଙ୍କୁ ନେଇ ସଭାସମିତିର ଆୟୋଜନ କରିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ହୋଡିଂ ଏ ପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ ତାହା ବାହାର କରାଯାଇ ନାହିଁ। ଖୋର୍ଦ୍ଧା ଜିଲ୍ଲାର ଜୋନ 30ର ବିଜେପି ପ୍ରାର୍ଥିନୀ ଶତାଧିକ କର୍ମିଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସେହିପରି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଧର୍ମ ନାମରେ ଶପଥପାଠ କରାଇ ଭୋଟ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଇଥିଲେ। ଏସବୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁନ୍ତି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଶେଷ ହେବ ପଞ୍ଚାୟତ ନିର୍ବାଚନ ମତଦାନ, ୨୬ରୁ ଆରମ୍ଭ ହେବ ଗଣତି

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଆସନ୍ତାକାଲି ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ହେବ ଏହି ମତଦାନ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ୧୩୫୧୪ଟି ବୁଥ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ କରାଯିବ। ଏଥିପାଇଁ ମୋଟ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ବିନ୍ଦିତା କରୁଛନ୍ତି। ସେହିପରି ୯୭୫ଟି ଗ୍ରାମ ପଞ୍ଚାୟତରେ ଏହି ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୪୧ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟ କ୍ରମେ ଗଣତି ଆରମ୍ଭ ହେବ। ଏହି ଗଣତି ୨୮ ତାରିଖ ପର୍ଯ୍ୟନ୍ତ ଚାଲି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

କଡା ସୁରକ୍ଷା ମଧ୍ୟରେ ଚାଲିଛି ବାତିଲ ହୋଇଥିବା ବୁଥର ପୁନଃଭୋଟ ଗ୍ରହଣ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରି ଦିଆଯାଇଥିଲା ସେ ସବୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆଜି ପୁନଃ ଭୋଟ ଗ୍ରହଣ ଚାଲିଛି।

ସେସବୁ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଛି। ଏହା ଅପରହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଲକ୍‌ର ୪ଟି, ବନ୍ତ ବ୍ଲକ୍‌ର ଗୋଟିଏ ରହିଛି।

ସେହିପରି ଢେଙ୍କାନାଳ ଜିଲ୍ଲ ଗନ୍ଦିଆ ବ୍ଲକ୍‌ର ୪ଟି, ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍‌ର ୯ଟି, ଧର୍ମଶାଳା ବ୍ଲକ୍‌ର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକ୍‌ର ୩ଟି ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯାଉଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍‌ର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ୍‌ର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ର ଗୋଟିଏ, ଶୁଳିଆପଦା ବ୍ଲକ୍‌ର ଦୁଇଟି ସ୍ଥାନରେ ପୁନଃ ଭୋଟ ଗ୍ରହଣ କରାଯାଉଛି।

Categories
PanchayatElection ଅପରାଧ ଆଜିର ଖବର

ଚିଲିକା: ନିର୍ବାଚନୀ ହିଂସା ରୋକିବା ଲାଗି ବାଣପୁର ପୋଲିସର ଫ୍ଲାଗ ମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ବାଣପୁର: ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ। ଚଳିତ ଥର କରୋନା ମହାମାରୀ ଲାଗି ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ କଟକଣା ଲଗାଇଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ସଦା ସର୍ବଦା ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅନେଇ ବସିଥାନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁଙ୍କ ମିଳିତ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଭେଟେଶ୍ୱର ଏବଂ ଗାଲୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି।

ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅପରାଧମୁକ୍ତ, ଅବାଧ, ନିରପେକ୍ଷ ଏବଂ ମଦମୁକ୍ତ ନିର୍ବାଚନ କରିବାପାଇଁ ବାଣପୁର ପୋଲିସ ଅଣ୍ଟା ଭିଡିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ କହିଛନ୍ତି।

ସୂଚନା ଥାଉକି ବାଣପୁର ବ୍ଲକର ଏକାଧିକ ଗ୍ରାମରେ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଜାରି ରହିଛି। ଅଦ୍ୟାବଧି ବାଣପୁର ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ୩୭୦ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ୧୦୭ ରେ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଥିବାର ଆଇଆଇସି ଶ୍ରୀ ସାହୁ କହିଛନ୍ତି।

ଅନୁରୂପ ଭାବେ ବାଲୁଗାଁ ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ୪୦୦ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କ ବିରୋଧରେ ୧୦୭ ରେ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଥିବାର ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଂରକ୍ଷଣକୁ ହଡ଼ପ କରିଥିବା ନକଲି ଏସ୍‌.ସି, କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଦିଅନ୍ତୁ ନାହିଁ ଭୋଟ

ଭୁବନେଶ୍ୱର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ହଡ଼ପ କରିଥିବା ନକଲି ଏସ୍‌.ସି. ଜାତି କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେବା ଓ ଦଳିତ ଆଦିବାସୀ ଗରିବ ନିସହାୟ ମହିଳାମାନଙ୍କ କଲ୍ୟାଣ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ପ୍ରାର୍ଥୀମାନଙ୍କୁ ଭୋଟ ଦେବା ପାଇଁ ଓଡ଼ିଶାର ଭୋଟର ଭାଇଭଉଣୀମାନଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ମିଳିତ ଭାବେ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀଟି ଇଂ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ସର୍ବଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହସଭା, ଅଲ୍ ଓଡ଼ିଶା ଦଳିତ ସାମାଜିକ କଲ୍ୟାଣ ପରିଷଦ, ବାଲ୍ମିକୀ ସମାଜ, କାଳନ୍ଦୀ ସମାଜ, ପାସି ସମାଜ ଓ ଅନ୍ୟାନ୍ୟ ବହୁ ସଂଗଠନ ତରଫରୁ ଆହ୍ୱାନ କରାଯାଇଅଛି।

ଏତଦ୍‌ବ୍ୟତୀତ ନିମ୍ନଲିଖିତ ଦାବିଗୁଡ଼ିକ ରାଜ୍ୟ ସରକାର, ରାଜନୈତିକ ଦଳ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି। ରାଜ୍ୟ ସରକାର ତୁରନ୍ତ ଚକ୍ରାନ୍ତ କରି ଏସ୍‌.ସି. ତାଲିକାରେ ପଶିଆସିଥିବା କେଉଟ, କୈବର୍ତ୍ତ, ଧୀବର ଜାତିକୁ ବାଦ୍ ଦେବା ସହିତ ମେହେନ୍ତର, ଝୁରିଆ, ଦଳିତ ବୈଷ୍ଣବମାନଙ୍କୁ ସ୍ଥାନିତ କରିବା ନିମିତ୍ତ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାନ୍ତୁ। ରାଜ୍ୟ ସରାକର ଏସ୍‌.ସି. ତାଲିକାରେ ସ୍ଥାନିତ କରିବା ନିମିତ୍ତ ସୁପାରିଶ କରିଥିବା ରାଢି, ନିଆରି, ଘଣି ଇତ୍ୟାଦି ୭ଟି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ସଅର ଓ ସୌରା ଜାତିକୁ ରାଜ୍ୟ ସରକାର ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ସୁପାରିଶ କରନ୍ତୁ ଓ ମାହାନ୍ତ, ମେହେରମାନେ ଏସ୍‌.ସି, ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ଚାଲିଥିବା ଚକ୍ରାନ୍ତ ତୁରନ୍ତ ବନ୍ଦ କରାଯାଉ।

୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍‌.ସି, ଏସ୍‌.ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରନ୍ତୁ। ଏସ୍‌.ସି. ସଂରକ୍ଷଣକୁ ଚୋରି କରି ମନ୍ତ୍ରୀ ହୋଇଥିବା ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ହଟାଯାଉ ଓ ଏସ୍‌.ସି, ଏସ୍‌.ଟି କଲ୍ୟାଣ କମିଟିରୁ ଶଶୀଭୂଷଣ ବେହେରାଙ୍କୁ ବହିଷ୍କାର କରାଯାଉ।

ସେହିପରି ରାଜନୈତିକ ଦଳର ସଭାପତିମାନେ ରଙ୍କ ବେହେରା ଓ ବିଭୂ ତରାଇଙ୍କୁ ଏସ୍‌.ସ୍ ସେଲ୍‌ର ମୁଖ୍ୟ ପଦରୁ ବହିଷ୍କାର କରନ୍ତୁ। ଏସ୍‌.ସି., ଏସ୍‌.ଟି ବିରୋଧୀ କାର୍ଯ୍ୟ ନିମନ୍ତେ ନିର୍ଯ୍ୟାତନା ସୁରକ୍ଷା ଆଇନ ଅନୁସାରେ ଚାକିରୀରୁ ବହିଷ୍କାର କରାଯାଉ। ଏସ୍‌.ସି, ଏସ୍‌.ଟି.ମାନଙ୍କୁ ବିଚାର ବିଭାଗ, ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା ଓ ଉଚ୍ଚଶିକ୍ଷା ଏବଂ ଉଚ୍ଚ ପଦପଦବୀ ଆସି ସବୁସ୍ତରରେ ୪୦ଭାଗ ସଂରକ୍ଷଣ ଲାଗୁ କରାଯାଉ ଓ ଆର୍ଥିକ ବାଧକତାର ସୀମାକୁ ବର୍ଦ୍ଧିତ କରାଯାଉ। ଓ.ବି.ସି.ମାନଙ୍କୁ ରାଜ୍ୟ ସରକାର ସିଡ୍ୟୁଲ୍‌-୯ ଅନୁସାରେ ସଂରକ୍ଷଣ ଦେବାର ବ୍ୟବସ୍ଥା କରନ୍ତୁ। ଶେଷରେ ଏସ୍‌.ସି, ଏସ୍‌.ଟି ନିର୍ଯ୍ୟାତନା ନିବାରଣ ଆଇନ୍‌କୁ ତୁରନ୍ତ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହିତ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମିତ୍ତ ଦାବି କରାଯାଇଅଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା, ଅଶୋକ ନାୟକ, ଦିବାକର ମଲ୍ଲିକ, ଗୋପାଳ ନାୟକ, ଶର୍ମିଷ୍ଠା ସ୍ୱାଇଁ, ଦାମୋଦର ମଲ୍ଲିକ, କାହ୍ନୁଚରଣ ସେଠୀ ଓ ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ବହୁ ସମାଜସେବୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ ହୋଇନି ହେଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମୋଟ ୩୬୯୭୬ ଜଣ ପ୍ରାର୍ଥୀ, କେମିତି ?

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପ୍ରଚାର। ଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇ ନାହିଁ। ହେଲେ ନିର୍ଦ୍ବନ୍ଦରେ ଓଡିଶାରୁ ୩୬୯୭୬ ଜଣ ପ୍ରାର୍ଥୀ ବର୍ତ୍ତମାନ ଜିତି ସାରିଲେଣି। ମୁଖ୍ୟତଃ ଯେଉଁ ସ୍ଥାନରେ ଜଣେ ମାତ୍ର  ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେହି ସ୍ଥାନର ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନର ବିଜେତା ଘୋଷଣା କରିଛନ୍ତି। ମୋଟ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଭିନ୍ନ ପଦବୀ ସଂଖ୍ୟା ହେଲା

ୱାର୍ଡ ମେମ୍ବର ମୋଟ ପଦବୀ ସଂଖ୍ୟା-  ୯୧୮୯୦ , ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ  ୩୬୫୨୩ ଜଣ

ସରପଞ୍ଚ ମୋଟ ପଦବୀ ସଂଖ୍ୟା- ୬୭୯୩,   ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ୧୨୬ ଜଣ

ପଞ୍ଚାୟତ ସମିତି ସଭ୍ୟ ମୋଟ ପଦବୀ ସଂଖ୍ୟା- ୬୭୯୩, ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ୩୨୬ ଜଣ

ଜିଲ୍ଲା ପରିଷଦ ମୋଟ ସଦସ୍ୟ ସଂଖ୍ୟା- ୮୫୩, ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ- ୦୧

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ଜାଣନ୍ତୁ ମଇଦାନରେ ମୋଟ ପ୍ରାର୍ଥୀ କେତେ

ଭୁବନେଶ୍ବର:ଆଜି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଶେଷ ହେଇଛି। ଆସନ୍ତାକାଲି ଶନିବାରରେ ଏହାର ଯାଞ୍ଚ ପକ୍ରିୟା ଆରମ୍ଭ ହେବ। ତେବେ ଯେଉଁମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହିଁବେ ସେମାନେ 25 ତାରିଖ ସୁଦ୍ଧା କରିପାରିବେ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ସେହିଦିନ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ।

ତେବେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ମୋଟ କେତେ ଜଣ କେଉଁ ପଦବୀ ପାଇଁ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି ତାହାର ହିସାବ ଆସିଛି। ସେହି ଅନୁସାରେ

ମୋଟ ୱାର୍ଡମେମ୍ବର ପ୍ରାର୍ଥି ପତ୍ର ଦାଖଲ- ୧ ଲକ୍ଷ ୬୨ ହଜାର ୨୯୭

ମୋଟ ସରପଞ୍ଚ ପ୍ରାର୍ଥିପତ୍ର ଦାଖଲ- ୩୪ ହଜାର ୬୧୩

ମୋଟ ପଞ୍ଚାୟତ ସମିତି ସଦସ୍ୟ ପ୍ରାର୍ଥିପତ୍ର ଦାଖଲ-୨୮ ହଜାର ୧୫୩

ମୋଟ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ- ୩ ହଜାର ୯୯୯

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତାଘାଟରେ ଲାଗିଥିବା ହୋଡିଂ ହଟାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ବର: ରାସ୍ତାଘାଟରେ ଲାଗିଥିବା ହୋଡିଂ, ପୋଷ୍ଟର ଓ ବ୍ୟାନରକୁ ହଟାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଚିଠିରେ କମିଶନର କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ସରକାରୀ ବିଜ୍ଞାପନ ଆଉ ଲାଗିପାରିବ ନାହିଁ। ପୂର୍ବରୁ ଯାହା ଲାଗିଛି ସେ ସବୁ ହଟାଇ ଦିଅ ବୋଲି କମିଶନର କହିଛନ୍ତି।

ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବୃୟାରୀ 16 ତାରିଖରୁ ଆରମ୍ଭ ହେବ। ସେଥିପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଛି। ଏହି ନିୟମ ଅନୁସାରେ ବର୍ତ୍ତମାନ କୌଣସି ସରକାରୀ ବିଜ୍ଞାପନ ଲାଗିପାରିବ ନାହିଁ। ଏପରି ଚିଠି ପାଇବା ପରେ କେତେକ ଜିଲ୍ଲାର ପଦକ୍ଷେପ ଆରମ୍ଭ ହୋଇଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ସତ, ହେଲେ ଏତେ ସପନକୁ ରାତି କାହିଁ !

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରାଜନୈତିକ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଛି। ହେଲେ ପ୍ରଶ୍ନ ଉଠୁଛି ଏତେ ସପନକୁ ରାତି କାହିଁ। ଅର୍ଥାତ ରାଜନୈତିକ ଦଳଗୁଡିକ ପଞ୍ଚାୟତ ନିର୍ବାଚନ ପାଇଁ ଯାହା ସବୁ କରିବେ ବୋଲି ଭାବି ଥିଲେ ତାହା ସବୁ ଫସର ଫାଟିଗଲା। ପରିସ୍ଥିତି ଏପରି ହୋଇଛି ଯେ, କେତେକ ଦଳ ସବୁଆଡେ ପ୍ରାର୍ଥୀ ଦେଇପାରିବେ କି ନାହିଁ ସନ୍ଦେହ ହେଲାଣି।

ଏହାର କାରଣ ହେଲା ଯେ, ହାତରେ ମାତ୍ର ଆଉ ଅଳ୍ପ ଦିନ ରହିଲା। ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ମନୋନୟନ ପତ୍ର ଦାଖଲ ତାରିଖ ହେଉଛି ଜାନୁୟାରୀ 17 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ। ଅର୍ଥାତ ଆଉ ମାତ୍ର ପାଞ୍ଚ ଦିନ ହାତରେ ଅଛି। ଏତେ ସଂଖ୍ୟକ ପ୍ରାର୍ଥୀ ଦଳଗୁଡିକ ଏହି ସମୟ ଭିତରେ କିପରି ଖୋଜିବେ ତାହା ତାଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି।

ହେଲେ ଏହି ସ୍ବଳ୍ପ ସମୟକୁ ନେଇ ରାଜ୍ୟର ଜଣେ ବରିଷ୍ଠ ନେତା, ବଡ ମଜଦାର କଥା କହିଲେ। ତାଙ୍କ ହିସାବରେ ବର୍ତ୍ତମାନ ନେତାମାନଙ୍କ ହାତରେ ଆଉ ସମୟ ନାହିଁ। ସେଥିପାଇଁ ସରପଞ୍ଚ ସ୍ତରରେ ଯିଏ ଛିଡା ହେବ ହୁଅନ୍ତୁ। ସେମାନେ ଜିତିକି ଆସିଲେ ତାଙ୍କୁ ଦଳ ଭିତରକୁ ଆଣି ଜିତିବା ସଂଖ୍ୟା ବଢାଇ ଦେଇ ହେବ। ହେଲେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ଏହି ସ୍ବଳ୍ପ ସମୟରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଗୁରୁତ୍ବ ମିଳିବ କି ନାହିଁ।

ଅନ୍ୟପକ୍ଷରେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ପ୍ରଚାର ମାଧ୍ୟମ। କାରଣ କରୋନା ପାଇଁ ନିର୍ବାଚନ କମିଶନର ଯେଉଁ କଟକଣା କରିଛନ୍ତି ତାହା ସେମାନଙ୍କୁ ହତାଶ କରିଛି। ଏଥର ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କୌଣସି ରାଲି, ସଭା, ସମାବେଶ କିମ୍ବା ଶୋଭାଯାତ୍ରା କରିପାରିବେ ନାହିଁ। ଫଳରେ ଲୋକମାନଙ୍କ ନିକଟରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କିପରି କରିବେ ତାହା ମଧ୍ୟ ଚିନ୍ତାର କାରଣ ପାଲଟିଛି।

ନିର୍ବାଚନ କମିଶନର କହିଛନ୍ତି ଯେ, ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବେ। ଯେତେବେଳେ ସହରାଞ୍ଚଳରେ ଡିଜିଟାଲ ପ୍ରଚାର ଫେଲମାରିଛି ସେତେବେଳେ ଗାଁ ଗହଳିରେ ଏହା କେତେ କାମ କରିବ ତାହା ସନ୍ଦେହ ଜନକ। କାରଣ ଗାଁ ଭୋଟର ନା ଜାଣନ୍ତି ଫେସବୁକ ନା ଜାଣନ୍ତି ଟୁଇଟର ନା ହ୍ବାଟସଆପ। ଏପରି କ୍ଷେତ୍ରରେ ପ୍ରାର୍ଥୀମାନେ କଣ କରିବେ ତାହା ମଧ୍ୟ ସେମାନଙ୍କର ଚିନ୍ତା ବଢାଇ ଦେଇଛି। କମଶନର କହିଛନ୍ତି ଯେ ପ୍ରାର୍ଥୀମାନେ ଭଚ୍ୟୁୟାଲି ପ୍ରଚାର କରିବେ। ହେଲେ ଏମାନେ ନବୀନ ପଟ୍ଟନାୟକ ନୁହଁନ୍ତି ଯେ ତାଙ୍କ ଭିଡିଓ ଦେଖିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିବେ।

ତେବେ ଏହି ପ୍ରଚାରକୁ ନେଇ ଆଉ ଜଣେ ବରିଷ୍ଠ ନେତା ତଥା ବିଧାୟକଙ୍କ ମଧ୍ୟ ଚମତକାର ଚିନ୍ତାଧାର ରହିଛି। ତାଙ୍କ କହିବା ଅନୁସାରେ ପ୍ରଚାର କଟକଣା କରାଗଲା ଭଲ ହେଲା। ଏପରି ନ ହୋଇଥିଲେ ପ୍ରାର୍ଥୀମାନେ ଆମଠାରୁ ପଇସା ଭିଡି ନେଇ ଥାଆନ୍ତେ। ଏଥର ନା ହେବ ରାଲି ନା ହେବ ଶୋଭାଯାତ୍ରା, ତେଣୁ ଆମ ପକେଟ ଏଥର ସୁରକ୍ଷିତ ରହିବ। ହେଲେ ଯେଉଁମାନେ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନେକ କିଛି ସପନ ଦେଖିଥିଲେ ସେମାନଙ୍କ ପାଇଁ ଆଉ ରାତି ନାହିଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

PANCHAYAT BREAKING: ଘୋଷଣା ହେଲା ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ତାରିଖ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିସହିତ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ତାରିଖ ମଧ୍ୟ ସେ ଘୋଷଣା କରିଛନ୍ତି। ଜାଣନ୍ତୁ କେଉଁ ତାରିଖରେ କେଉଁ ନିର୍ବାଚନ ହେବ

ପଞ୍ଚାୟତ ନିର୍ବାଚନ

ବିଜ୍ଞପ୍ତି ପ୍ରକାଶ – ୧୩ ଜାନୁୟାରୀ

ପ୍ରାର୍ଥୀ ପତ୍ର ଦାଖଲ- ୧୭ ଜାନୁୟାରୀ ରୁ ୨୧ ଜାନୁୟାରୀ

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ୨୫ ଜାନୁୟାରୀ

ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ- ୨୫ ଜାନୁୟାରୀ

ଭୋଟ ଗ୍ରହଣ

ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ

ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ

ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ

ଭୋଟ ଗଣତି- ଫେବୃୟାରୀ ୨୬-୨୭ ଓ ୨୮ ତାରିଖ

ଅନ୍ୟ ପଦବୀ ପାଇଁ ନିର୍ବାଚନ ତାରିଖ

ନାଏବ ସରପଞ୍ଚ- ମାର୍ଚ୍ଚ ୧୧ ତାରିଖ

ପଞ୍ଚାୟତ ସମିତି ଅଧ୍ୟକ୍ଷ -ମାର୍ଚ୍ଚ ୧୨ ତାରିଖ

ପଞ୍ଚାୟତ ସମିତି ଉପାଧ୍ୟକ୍ଷ- ମାର୍ଚ୍ଚ ୨୩ ତାରିଖରେ

ଜିଲ୍ଲା ପରିଷଦ ଅଧ୍ୟକ୍ଷ-ମାର୍ଚ୍ଚ ୧୩ ତାରିଖ

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ- ମାର୍ଚ୍ଚ ୨୫ ତାରିଖ