ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

Published: Feb 23, 2022, 1:05 pm IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି।

ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେଡି କହିଛି।

ଦାବୀ ପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବିଜେପି ବିଭିନ୍ନ ସ୍ଥାନରେ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡାବାହିନୀ ପୋଲିସ, ନିର୍ବାଚନ କର୍ମଚାରୀ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ କରି ବହୁ ସଂଖ୍ୟାରେ କର୍ମିଙ୍କୁ ନେଇ ସଭାସମିତିର ଆୟୋଜନ କରିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ହୋଡିଂ ଏ ପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ ତାହା ବାହାର କରାଯାଇ ନାହିଁ। ଖୋର୍ଦ୍ଧା ଜିଲ୍ଲାର ଜୋନ 30ର ବିଜେପି ପ୍ରାର୍ଥିନୀ ଶତାଧିକ କର୍ମିଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସେହିପରି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଧର୍ମ ନାମରେ ଶପଥପାଠ କରାଇ ଭୋଟ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଇଥିଲେ। ଏସବୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁନ୍ତି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

Related posts