Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ କମିଶନରଙ୍କ ସରକାରଙ୍କୁ ତାଗିଦ, ଗୋଟିଏ ସଂସଦୀୟ କ୍ଷେତ୍ରର ଜିଲ୍ଲା ମଧ୍ୟରେ ବଦଳି ମନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ଯେଉଁ ଅଧିକାରୀମାନଙ୍କୁ ବଦଳୀ କରାଯାଉଛି ଯେପରି ସମାନ ସଂସଦୀୟ କ୍ଷେତ୍ରରେ ଥିବା ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଅଧିକାରୀଙ୍କ ବଦଳୀ ନ ହୁଏ।

ସେଥିପ୍ରତି ସଂପୃକ୍ତ ରାଜ୍ୟ ସରକାର ନଜର ରଖିବା ଦରକାର ଓ ଏହି ନିର୍ଦ୍ଦେଶାବଳୀକୁ ଠିକ୍‌ ଭାବେ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନର ପ୍ରଚଳିତ ନିୟମାନୁସାରେ ଜଣେ ଅଧିକାରୀ ନିଜ ଗୃହ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି କିମ୍ବା ତିନିବର୍ଷରୁ ଅଧିକ ଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ବଦଳୀ କରାଯାଉଛି।

ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ ପୂର୍ବରୁ ଯେଉଁ ଅଧିକାରୀମାନଙ୍କର ଗୋଟିଏ ସ୍ଥାନରେ ତିନିବର୍ଷ ପୂରଣ ହୋଇଯାଇଛି, ସେମାନଙ୍କୁ ସଂସଦୀୟ କ୍ଷେତ୍ର (ପି.ସି) ବାହାର ଜିଲ୍ଲାକୁ ବଦଳୀ କରାଯିବ ଏବଂ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଉପ ନିର୍ବାଚନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧିଦଳ

ଭୁବନେଶ୍ୱର : ନିର୍ବାଚନମଣ୍ଡଳୀରେ ଥିବା କୈାଣସି ସରକାରୀ ଅଧିକାରୀ କିିମ୍ବା ସରକାରୀ ଚାକିରୀ କରୁଥିବା ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱ ଦେବା ପାଇଁ ବାରଣ କରାଯାଇଛି । ତେଣୁ ଆଗାମୀ ପଦ୍ମପୁର ଉପନିର୍ବାଚନ ପରିଚାଳନା ପରିପ୍ରେକ୍ଷୀରେ ନିର୍ବାଚନମଣ୍ଡଳୀର ସମସ୍ତ “କାର୍ଯ୍ୟରତ କିମ୍ବା ବାସିନ୍ଦା” ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ବାଦ୍ ଦିଆଯାଉ । ସେହିପରି ମତଦାନ ସମୟରେ ମୋବାଇଲ ଫୋନ ବ୍ୟବହାର ଉପରେ ସଂପୂର୍ଣ୍ଣ ରୋକ ଲଗାଯାଉ ।

ଏଥି ସହ ଆଗାମୀ ପଦ୍ମପୁର ଉପ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ବର୍ତମାନରୁ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ଆଜି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ ଜଣାଇଛନ୍ତି ।

ଏହି ପ୍ରତିନିଧିଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ ଏବଂ ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣତନ୍ତ୍ରର ସୁରକ୍ଷାରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଗଣତନ୍ତ୍ରର ସୁରକ୍ଷା ପାଇଁ ଏହାକୁ ଜନସାଧାରଣ ଓ ନିର୍ବାଚନ ଆୟୋଗ ସହ ସଂଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୁଥ୍‌ସ୍ତରୀୟ ଅଧିକାରୀମାନେ କରିଥାନ୍ତି ବୋଲି ଆଜି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର କହିଛନ୍ତି। ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୧୦ ଲକ୍ଷ ବୁଥ୍‌ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବି.ଏଲ୍‌.ଓ ଇ-ପତ୍ରିକା କାଗଜ ଶୂନ୍ୟ ମାଗାଜିନ୍‌ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲ୍‌ରେ ସହଜରେ ଉପଲବ୍ଧ ହେବ। ବୁଥ୍‌ସ୍ତରୀୟ ଅଧିକାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିିଭିନ୍ନ ପ୍ରକାରର ଅସୁବିଧାଗୁଡ଼ିକର ସହଜ ସମାଧାନ, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣଅନୁକୋଣରେ କାର୍ଯ୍ୟକରୁଥିବା ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭାବର ଆଦାନପ୍ରଦାନ ଓ ସର୍ବୋପରି ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ବାର୍ତ୍ତାଳାପ ହୋଇପାରିବ ବୋଲି ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି।

ବି.ଏଲ୍‌.ଓ ଇ-ପତ୍ରିକା ପ୍ରତି ଦୁଇମାସରେ ଥରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହେବ ଓ ଏଥିରେ ନିର୍ବାଚନ ଆୟୋଗ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପଠାଇବା ଓ ତଳସ୍ତରରୁ ଆୟୋଗଙ୍କୁ କାର୍ଯ୍ୟଧାରାର ଫିଡ୍‌ବ୍ୟାକ୍‌ ଓ ସଫଳ କାହାଣୀ ପ୍ରେରଣ ଇତ୍ୟାଦିରେ ବିଶେଷ ସହାୟକ ହୋଇପାରିବ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ କରି ପ୍ରକାଶିତ ହୋଇଥିବା ଇ-ପତି୍ରକାରେ ଓଡ଼ିଶାର ୭୭-ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୦ ବୁଥ୍‌ର ବୁଥ୍‌ସ୍ତରୀୟ ଅଧିକାରୀ ସୁକ୍ରୁ ମାଝୀଙ୍କ ସଫଳ କାହାଣୀ ସ୍ଥାନିତ ହୋଇଛି। ବୁଥ୍‌ସ୍ତରୀୟ ଅଧିକାରୀ ଶ୍ରୀ ସୁକ୍ରୁ ମାଝୀ ୨୭୦ ନମ୍ବର ବୁଥ୍‌ରେ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ମହିଳା ଭୋଟର ପଂଜୀକରଣ ହାର ୧୭%ରୁ ୬୭%କୁ ବୃଦ୍ଧି କରିଥିବାରୁ ଜିଲ୍ଲାର ଶ୍ରେଷ୍ଠ ବି.ଏଲ୍‌.ଓ ଭାବେ ପ୍ରଶଂସିତ ହୋଇଛନ୍ତି।

ଆଜିର ଏହି ବି.ଏଲ୍‌.ଓ ଇ-ପତି୍ରକା ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ସମେତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୦ ଜଣ ଶ୍ରେଷ୍ଠ ବୁଥ୍‌ସ୍ତରୀୟ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ଶତପଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି।

ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେଡି କହିଛି।

ଦାବୀ ପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବିଜେପି ବିଭିନ୍ନ ସ୍ଥାନରେ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡାବାହିନୀ ପୋଲିସ, ନିର୍ବାଚନ କର୍ମଚାରୀ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ କରି ବହୁ ସଂଖ୍ୟାରେ କର୍ମିଙ୍କୁ ନେଇ ସଭାସମିତିର ଆୟୋଜନ କରିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ହୋଡିଂ ଏ ପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ ତାହା ବାହାର କରାଯାଇ ନାହିଁ। ଖୋର୍ଦ୍ଧା ଜିଲ୍ଲାର ଜୋନ 30ର ବିଜେପି ପ୍ରାର୍ଥିନୀ ଶତାଧିକ କର୍ମିଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସେହିପରି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଧର୍ମ ନାମରେ ଶପଥପାଠ କରାଇ ଭୋଟ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଇଥିଲେ। ଏସବୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁନ୍ତି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତାଘାଟରେ ଲାଗିଥିବା ହୋଡିଂ ହଟାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ବର: ରାସ୍ତାଘାଟରେ ଲାଗିଥିବା ହୋଡିଂ, ପୋଷ୍ଟର ଓ ବ୍ୟାନରକୁ ହଟାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଚିଠିରେ କମିଶନର କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ସରକାରୀ ବିଜ୍ଞାପନ ଆଉ ଲାଗିପାରିବ ନାହିଁ। ପୂର୍ବରୁ ଯାହା ଲାଗିଛି ସେ ସବୁ ହଟାଇ ଦିଅ ବୋଲି କମିଶନର କହିଛନ୍ତି।

ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ଫେବୃୟାରୀ 16 ତାରିଖରୁ ଆରମ୍ଭ ହେବ। ସେଥିପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଛି। ଏହି ନିୟମ ଅନୁସାରେ ବର୍ତ୍ତମାନ କୌଣସି ସରକାରୀ ବିଜ୍ଞାପନ ଲାଗିପାରିବ ନାହିଁ। ଏପରି ଚିଠି ପାଇବା ପରେ କେତେକ ଜିଲ୍ଲାର ପଦକ୍ଷେପ ଆରମ୍ଭ ହୋଇଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଘୋଷଣା ନେଇ ଉତକ୍ଷିପ୍ତ କଂଗ୍ରେସ, ନିର୍ବାଚନ କମିଶନରଙ୍କୁ କହିଲା ଏମିତି କଥା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତ୍‌ସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଞ୍ଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ବଚସ୍କର ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର ସୂତ୍ରଧର ବୋଲି କଂଗ୍ରେସ ଶାଣିତ କଟାକ୍ଷ କରିଛି।

ଦେଶରେ କରୋନା ସଂକ୍ରମଣ ୧ ଲକ୍ଷ ୬୮ ହଜାର। ରାଜ୍ୟରେ ତାହା ୭୦୭୧ । ବିଶେଷଜ୍ଞମାନେ ଏହି ସଂକ୍ରମଣ ଆସନ୍ତା ଫେବୃଆରୀରେ ଶୀର୍ଷରେ ଛୁଇଁବ ବୋଲି ସତର୍କ କରାଇଛନ୍ତି । ବିଜେଡିକୁ ଛାଡ଼ି ରାଜ୍ୟର ସମସ୍ତ ବିରୋଧୀମାନେ ବର୍ତ୍ତମାନ ସମୟରେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି ରଖିଥିଲେ ।

ମାତ୍ର ନିର୍ବାଚନ କମିଶନ୍ ସେମାନଙ୍କ ଦାବିକୁ କର୍ଣ୍ଣପାତ କଲେନାହିଁ ଏବଂ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରିକଲେ । ଏହା ନିର୍ବାଚନ କମିଶନଙ୍କ ନିଜସ୍ୱ ନିଷ୍ପତ୍ତି ନୁହେଁ । ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏହା କରିଛନ୍ତି ଯାହାକି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ଓ.ବି.ସି. ଓ ଜନଜାତି ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପ୍ରତି ହେୟଜ୍ଞାନ କରାଯାଇଛି। ରାଜ୍ୟର ୫୪ ଶତାଂଶ ଲୋକ ଓବିସି ଓ ୨୨.୫ ଶତାଂଶ ଲୋକ ଜନଜାତି ସମ୍ପ୍ରଦାୟର। ଏହି ଦୁଇ ବର୍ଗର ଜନ ସମୁଦାୟକୁ ଚଳିତ ପଞ୍ଚାୟତ ନିର୍ବାଚନାରେ ପ୍ରତାରିତ କରାଯାଇଛି। ଆଦିବାସୀମାନଙ୍କୁ ୨୩ଟି ଜିଲ୍ଲା ଓ ୧୯୫ଟି ବ୍ଲକ୍‌ରେ ସରପଞ୍ଚ ପଦବୀ ଓ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ଦିଆଯାଇ ନାହିଁ। ଓ.ବି.ସି. ବର୍ଗଙ୍କ ପ୍ରତି ଅବିଚାର କରାଯାଇଛି।

ଓ.ବି.ସି. ସଂରକ୍ଷଣ ସଂକ୍ରାନ୍ତରେ ଆସନ୍ତା ୧୭ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ଶୁଣାଣି କରିବେ। ଯଦି ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କର ଓବିସି ବର୍ଗର ସାମ୍ବିଧାନିକ ଅଧିକାର ପ୍ରତି ସମ୍ବେଦନଶୀଳତା ଥାଆନ୍ତା, ତେବେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ୧୭ ତାରିଖ ପରକୁ ଘୁଞ୍ଚାଇ ଦେଇ ପାରିଥାନ୍ତେ। କିନ୍ତୁ ତାହା ନ କରି ତରବରିଆ ଭାବରେ ବିଜ୍ଞପ୍ତି ଜାରି କରିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କହିଛନ୍ତି ।

ପଞ୍ଚାୟତ ନିର୍ବାଚନାରେ ତୃଣମୂଳ ସ୍ତରରେ ଗଣତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପଞ୍ଚାୟତର ଲୋକମାନେ ସେମାନଙ୍କର ପ୍ରସଙ୍ଗ ସମସ୍ୟା ସବୁକୁ ନେଇ ନିର୍ବାଚନ ସମୟରେ ମତାମତକୁ ପ୍ରକାଶ କରିଥାଆନ୍ତି । ମାତ୍ର କୋଭିଡ ଆଳରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅତ୍ୟନ୍ତ ସଙ୍କୁଚିତ କରାଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି, ଯାହାକି ତୃଣମୂଳ ସ୍ତରରେ ଲୋକଙ୍କ ଗଣତାନ୍ତ୍ରିକ ଭାଗିଦାରିତା ପ୍ରତି ଉପହାସ ବୋଲି କଂଗ୍ରେସ କହିଛି ।

ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କର ସଖୀ କଣ୍ଢେଇ ହୁଅନ୍ତୁ ନାହିଁ । ନିରପେକ୍ଷ ରୁହନ୍ତୁ ବୋଲି କଂଗ୍ରେସ ଅନୁରୋଧ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ମନୋଜ ମହାପାତ୍ର, ଚିନ୍ମୟ ଦାସ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ଆଇନି ଶୃଙ୍ଖଳା ନେଇ ବୈଠକ କଲେ ନିର୍ବାଚନ କମିଶନର

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ କମିଶନରଙ୍କ ଗତିରୁ ସ୍ପଷ୍ଟ ଜଣାପଡିଲାଣି ଯେ, ଓଡିଶାରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ମଧ୍ୟରେ ହେବ। କାରଣ କମିସନର ଆଦିତ୍ୟ ପ୍ରସାଦ ପାଢୀ ଘନଘନ ବୈଠକ କରି ବିଭିନ୍ନ ମତାମତ ସଂଗ୍ରହରୁ ଏହା ନିଶ୍ଚିତ କରିଛି। କରୋନା ପାଇଁ ନିର୍ବାଚନ ଘୁଞ୍ଚିବ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ସମାପ୍ତ ହୋଇଛି।

ସୋମବାର ଦିନ କମିଶନର ରାଜ୍ୟର ଆଇନି ଶୃଙ୍ଖଳା ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ କରାଗଲେ ଆଇନି ଶୃଙ୍ଖଳା ପରିସ୍ଥିତି କିପରି ରହିବ ସେ ନେଇ ମତ ମାଗିଥିଲେ। ବିଶେଷ ସୁତ୍ରର ଖବର ଅନୁସାରେ ପଞ୍ଚାୟତ ନିର୍ବାଚନ ହେଲେ ଆଇନି ଶୃଙ୍ଖଳା ପରିସ୍ଥିତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ମତ ରଖିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

କରୋନା ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ କରିବା ଠିକ୍ ହେବ କି ? ବୈଠକରେ ହେଲା ଆଲୋଚନା

ଭୁବନେଶ୍ବର: ବର୍ତ୍ତମାନ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ଓଡିଶାର ସ୍ଥିତି ଯେପରି ଭୟଙ୍କର ଥିଲା ବର୍ତ୍ତମାନ ସେହି ଆଡକୁ କରୋନା ଗତି କରୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ଅନୁସାରେ ଆସନ୍ତା ଫେବୃୟାରୀ ମାର୍ଚ୍ଚରେ ସ୍ଥିତି ଅସମ୍ଭାଳ ହେବ। ତେବେ ଏପରି ପରିସ୍ଥିତିରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବା ସମ୍ଭବ କି ? ଏହିପରି ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେବାରେ ଲାଗିଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ଶନିବାର ଦିନ ଆୟୋଜିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ଏବଂ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ।

ଏଥିରେ ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ରାଜ୍ୟରେ କୋଭିଡ ଟିକାକରଣ ସହିତ କରୋନା ମୁକାବିଲା ପ୍ରସ୍ତୁତି ଉପରେ ତଥ୍ୟ ରଖିଥିଲେ। ସେହିପରି ଉନ୍ନୟନ କମିଶନର ପ୍ରଦୀପ ଜେନା ମଧ୍ୟ ଭବିଷ୍ୟତରେ ବୁଷ୍ଟର ଡୋଜ ପ୍ରଦାନ ଉପରେ ଆଲୋତପାତ କରିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ଓଡିଶା ରାଜ୍ୟ ନିର୍ବାଚନ କମିଶନର। ଏହାପରେ ସେ ଓଡିଶାରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ତାହା ନିଷ୍ପତି ଗ୍ରହଣ କରିବେ।

ତେବେ ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ଓଡିଶାର ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ। କାରଣ ଭାରତ ନିର୍ବାଚନ କମିଶନର ବର୍ତ୍ତମାନ ଏହି ପରିସ୍ଥିତିରେ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିସାରିଲେଣି। ଏହା ପୂର୍ବରୁ କେତେକ ରାଜ୍ୟରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ତେଣୁ ଓଡିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହେବାର ଯଥେଷ୍ଠ କାରଣ ରହିଛି ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସବୁଜ ସଙ୍କେତ ଦେଇ ସାରିଲେଣି। ଏ ନେଇ ସରକାର ତିନୋଟି ଗେଜେଟ ନୋଟିଫିକେସ ଜାରୀ କରିସାରିଲେଣି। ଏଥିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ସଙ୍କେତ ପ୍ରଦାନ କରିସାରିଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ନିର୍ବାଚନ କମିଶନର ଖୁବ ଶିଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ଜଣାପଡିଛି।