ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ଦିଆଗଲା ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ

Published: Feb 19, 2022, 6:42 am IST

ଭୁବନେଶ୍ୱର: ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯାଇଛି ।

ଏହି ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିବାବେଳେ ଆୟୋଗର ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟର, ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ର ଓ ସେକ୍‌ସନ୍‌ ଅଧିକାରୀ ଉତ୍ତମ କୁମାର ପରିଡ଼ା ଉପସ୍ଥିତ ରହି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ।

ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନେ ଇଭିଏମ୍‌ ତାଲିମ ନେଇ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଆସନ୍ତାକାଲି ଅବଶିଷ୍ଟ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ କରାଯିବା ସଂପର୍କରେ ତାଲିମ ପ୍ରଦାନ କରାଯିବ।

ରାଜ୍ୟର ସମୁଦାୟ ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ୧୯୩୧ଟି ୱାର୍ଡର ୪୫୮୪ଟି ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତ୍ୟେକ ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରହିବ। ଗୋଟିଏ କାଉନ୍‌ସିଲର/କର୍ପୋରେଟର ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। ପ୍ରାୟ ୧୧ ହଜାରରୁ ଅଧିକ ସଂଖ୍ୟକ ଇଭିଏମ୍‌ ପୌରସଂସ୍ଥା ନିର୍ବାଚନରେ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Related posts