Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାଗାଲାଣ୍ଡ, ଆସାମ ଏବଂ ମଣିପୁରର ଅନେକ ଅଶାନ୍ତ କ୍ଷେତ୍ରରୁ ଏଏଫଏସପିଏ ଉଚ୍ଛେଦ ପାଇଁ ନିଷ୍ପତ୍ତି
ବିଶେଷ ଖବର

ନାଗାଲାଣ୍ଡ, ଆସାମ ଏବଂ ମଣିପୁରର ଅନେକ ଅଶାନ୍ତ କ୍ଷେତ୍ରରୁ ଏଏଫଏସପିଏ ଉଚ୍ଛେଦ ପାଇଁ ନିଷ୍ପତ୍ତି

March 31, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ଫଳରେ ଦେଶର ଏହି ପ୍ରାନ୍ତରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ହେବା ସହ ବିକାଶଧାରା ଗତିଶୀଳ ହୋଇଛି। ୨୦୧୪ ମସିହା ତୁଳନାରେ ୨୦୨୧ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭୪ ପ୍ରତିଶତ ହ୍ରାସ ଦେଖାଦେଇଛି। ସେହିପରି ଏହି ଅବଧିରେ ସୁରକ୍ଷା କର୍ମୀ ଏବଂ ନାଗରିକମାନଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ଯଥାକ୍ରମେ ୬୦ ପ୍ରତିଶତ ଏବଂ ୮୪ ପ୍ରତିଶତ ହ୍ରାସ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଦୂରଦର୍ଶିତାପୂର୍ଣ୍ଣ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଲଗାତାର ପ୍ରୟାସ ବଳରେ ଏବଂ ଉତ୍ତର ପୂର୍ବାଞ୍ଚଳରେ ସୁରକ୍ଷା ସ୍ଥିତିରେ ସୁଧାର ଆସିଛି। ଏହି କ୍ରମରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବହୁ ଦଶନ୍ଧି ପରେ ନାଗାଲାଣ୍ଡ, ଆସାମ, ଏବଂ ମଣିପୁରରେ ସଶସ୍ତ୍ର ସେନାବାହିନୀ ବିଶେଷ ଅଧିକାର ଆଇନ (ଏଏଫଏସପିଏ) ଅଧୀନରେ ଅଶାନ୍ତ କ୍ଷେତ୍ର ସଂଖ୍ୟା ହ୍ରାସ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରର ପରିକଳ୍ପନାକୁ ସାକାର କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସବୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହିତ ନିରନ୍ତର ସମ୍ବାଦ ଜାରି ରଖିଥିଲେ। ଯାହାର ପରିଣାମସ୍ବରୂପ ଅଧିକାଂଶ ଉଗ୍ରବାଦୀ ସମୂହ ଦେଶର ସମ୍ବିଧାନ ଏବଂ ମୋଦୀ ସରକାରଙ୍କ ନୀତି ପ୍ରତି ବିଶ୍ବାସ ବ୍ୟକ୍ତ କରି ଅସ୍ତ୍ର ତ୍ୟାଗ କରିଛନ୍ତି। ଆଜି ସେମାନେ ସମସ୍ତେ ଗଣତନ୍ତ୍ରର ଅଂଶବିଶେଷ ହୋଇ ଉତ୍ତର ପୂର୍ବାଞ୍ଚଳର ଶାନ୍ତି ଓ ବିକାଶରେ ସହଭାଗୀ ହୋଇପାରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୭ ହଜାର ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି।

ଗତ ତିନି ବର୍ଷ ମଧ୍ୟରେ ଭାରତ ସରକାର ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦକୁ ସମାପ୍ତ କରିବା ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅନେକଗୁଡ଼ିଏ ରାଜିନାମା ସ୍ବାକ୍ଷରିତ ହୋଇଛି। ଏସବୁ ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିପାରିବ। ଉଦାହରଣ ସ୍ବରୂପ, ଜାନୁଆରୀ, ୨୦୨୦ରେ ବୋଡୋ ରାଜିନାମା ଯେଉଁଥିରେ ଆସାମର ୫ ଦଶନ୍ଧି ପୁରୁଣା ବୋଡୋ ସମସ୍ୟା ସମାଧାନ ହୋଇଛି। ୪ ସେପ୍ଟେମ୍ବର, ୨୦୨୧ରେ କାରବୀ-ଆଙ୍ଗଲଙ୍ଗ ରାଜିନାମା ହୋଇଥିଲା ଯେଉଁଥିରେ ଦୀର୍ଘ ସମୟ ଧରି ଚାଲି ଆସୁଥିବା ଆସାମର କାରବୀ କ୍ଷେତ୍ରର ବିବାଦ ସମାଧାନ ହୋଇଛି।

ତ୍ରିପୁରାରେ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ଅଗଷ୍ଟ ୨୦୧୯ରେ ଏନଏଲଏଫଟି (ଏସଡି) ରାଜିନାମା ହୋଇଥିଲ। ୧୬ ଜାନୁଆରୀ, ୨୦୨୦ରେ ୨୩ ବର୍ଷ ପୁରୁଣା ବ୍ରୁ -ରିଆଙ୍ଗ ଶରଣାର୍ଥୀ ସଙ୍କଟକୁ ସମାଧାନ କରିବା ଲାଗି ଐତିହାସିକ ରାଜିନାମା ହୋଇଥିଲା। ଏହା ଅଧୀନରେ ୩୭ ହଜାର ଆନ୍ତରିକ ବିସ୍ଥାପିତ ଲୋକମାନଙ୍କୁ ଥଇଥାନ କରାଯାଉଛି। ୨୯ ମାର୍ଚ୍ଚ, ୨୦୨୨ରେ ଆସାମ ଏବଂ ମେଘାଳୟ ରାଜ୍ୟ ସୀମା ସନ୍ଦର୍ଭରେ ଆଉ ଏକ ରାଜିନାମା ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସାରା ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରକୁ ଉଗ୍ରବାଦ ମୁକ୍ତ କରିବା ଲାଗି ସଂକଳ୍ପବଦ୍ଧ ରହିଛନ୍ତି। ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରି ଆସୁଛନ୍ତି। ମୋଦୀ ସରକାରଙ୍କ ଦ୍ବାରା ସୁରକ୍ଷା ସ୍ଥିତିରେ ସୁଧାର ଅଣାଯିବା କାରଣରୁ ଏଏଫଏସପିଏ ଅଧୀନରେ ଅଶାନ୍ତ କ୍ଷେତ୍ରର ବିଜ୍ଞପ୍ତିକୁ ୨୦୧୫ରେ ତ୍ରିପୁରାରୁ ଏବଂ ୨୦୧୮ରେ ମେଘାଳୟରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା।

୧୯୯୦ ପରଠାରୁ ଆସାମରେ ଅଶାନ୍ତ କ୍ଷେତ୍ର ଅଧିସୂଚନା ଲାଗୁ ହୋଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ବ ଗ୍ରହଣ କରିବା ପରେ ସୁରକ୍ଷା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି। ଏବେ ୦୧.୦୪.୨୦୨୨ ଠାରୁ ଆସାମର ୨୩ଟି ଜିଲ୍ଲାରୁ ସମ୍ପୂର୍ଣ୍ଣ ଏବଂ ଗୋଟିଏ ଜିଲ୍ଲାରୁ ଆଂଶିକ ଭାବେ ଏଏଫଏସପିଏ ଆଇନର ପ୍ରଭାବକୁ ଉଚ୍ଛେଦ କରାଯିବ।

ଇମ୍ଫାଲ ନଗର ପାଳିକା କ୍ଷେତ୍ରକୁ ଛାଡ଼ି ୨୦୦୪ ଠାରୁ ସମ୍ପୂର୍ଣ୍ଣ ମଣିପୁରକୁ ଅଶାନ୍ତ କ୍ଷେତ୍ର ଭାବେ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ସହିତ ୬ଟି ଜିଲ୍ଲାର ୧୫ଟି ପୁଲିସ ଷ୍ଟେସନ କ୍ଷେତ୍ରରୁ ୦୧.୦୪.୨୦୨୨ ଠାରୁ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଅରୁଣାଚଳ ପ୍ରଦେଶରେ ୩ଟି ଜିଲ୍ଲା, ଆସାମକୁ ଲାଗି ରହିଥିବା ଅରୁଣାଚଳ ପ୍ରଦେଶର ୨୦ କିଲୋମିଟର କ୍ଷେତ୍ର ଏବଂ ଅନ୍ୟ ୯ଟି ଜିଲ୍ଲାର ୧୬ଟି ପୁଲିସ ଥାନା କ୍ଷେତ୍ରରେ ଏଏଫଏସପିଏ ୨୦୧୫ ଠାରୁ ଲାଗୁ ହୋଇଥିଲା। ବର୍ତ୍ତମାନ ଏହା ମାତ୍ର ୩ଟି ଜିଲ୍ଲା ଏବଂ ଗୋଟିଏ ଜିଲ୍ଲାର ୨ଟି ପୁଲିସ ଥାନା ଅଞ୍ଚଳରେ ଲାଗୁ ହୋଇଛି। ଅଶାନ୍ତ କ୍ଷେତ୍ର ସଂଖ୍ୟା ଧୀରେ ଧୀରେ ହ୍ରାସ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

୧୯୯୫ରେ ସମ୍ପୂର୍ଣ୍ଣ ନାଗାଲାଣ୍ଡରେ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ଲାଗୁ ହୋଇଥିଲା। କେନ୍ଦ୍ର ସରକାର ଏହି ସନ୍ଦର୍ଭରେ ଗଠିତ କମିଟିର ସୁପାରିସକୁ ଗ୍ରହଣ କରି ପର୍ଯ୍ୟାୟକ୍ରମେ ଏଏଫଏସପିଏ ଉଚ୍ଛେଦ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ନାଗାଲାଣ୍ଡରେ ୦୧.୦୪.୨୦୨୨ ଠାରୁ ୭ଟି ଜିଲ୍ଲାର ୧୫ଟି ପୁଲିସ ଥାନା ଅଞ୍ଚଳରୁ ଅଶାନ୍ତ କ୍ଷେତ୍ର ବିଜ୍ଞପ୍ତି ବା ଏଏଫଏସପିଏ ଆଇନର ବାଧ୍ୟବାଧକତା ଉଚ୍ଛେଦ କରାଯିବ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତୁଟ ପ୍ରତିବଦ୍ଧତା କାରଣରୁ ବହୁ ଦଶନ୍ଧି ଧରି ଉପେକ୍ଷିତ ହୋଇ ରହିଥିବା ଆମ ଉତ୍ତର ପୂର୍ବାଞ୍ଚଳ ଏବେ ଶାନ୍ତି, ସମୃଦ୍ଧି ଏବଂ ଅଭୂତପୂର୍ବ ବିକାଶର ଏକ ନୂଆ ଯୁଗର ସାକ୍ଷୀ ହେଉଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ମହତ୍ବପୂର୍ଣ୍ଣ ଅବସରରେ ଉତ୍ତର ପୂର୍ବାଞ୍ଚଳ ଲୋକମାନଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ଆସାମ ନରେନ୍ଦ୍ର ମୋଦୀ ନାଗାଲାଣ୍ଡ ମଣିପୁର
Share. Facebook Twitter LinkedIn Email WhatsApp Copy Link

Related Posts

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାରିଆ କୋରିନା ମାଚାଡୋ କିଏ, ସେ କେତେ ଶିକ୍ଷିତ?

October 10, 2025

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

October 10, 2025
Latest News

ଅକ୍ଟୋବର ୧୧ ତାରିଖ ରାଶିଫଳ, ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2025

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.