ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା

Published: Apr 5, 2022, 9:22 am IST

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶାର ବିକାଶ ପ୍ରସଂଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରସଂଗରେ ସେ ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ।

ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ବର୍ତ୍ତମାନ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ ରାଜନୀତି ଚାଲିଛି। ଦିନେ ରାଜ୍ୟ ନେତୃବର୍ଗ ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଥିବା ବେଳେ, ଆଉଦିନେ ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏପରି ପରିସ୍ଥିତିରେ ଅପରାଜିତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଜେପି ରାଜନୀତିରେ ଏକ ନୂଆ ମୋଡ ସୃଷ୍ଟି ହୋଇଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ଅପରାଜିତା ରାଜ୍ୟ ବିଜେପି ରାଜନୀତି ଉପରେ କଥା ହୋଇଛନ୍ତି କି ନାହିଁ ସେ ସଂପର୍କରେ କିଛି କହି ନାହାଁନ୍ତି। ହେଲେ ବର୍ତ୍ତମାନ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ଉପରେ ନିଶ୍ଚିତ ଆଲୋଚନା କରିଥିବେ। ଏପରିକି ରାଜ୍ୟ ନେତୃତ୍ବ କିପରି ଦୃବଳ ଥିଲା ତାହା ମଧ୍ୟ ଅବଗତ କରାଇଥିବେ।

ନିକଟରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନୂଆଦିଲ୍ଲୀ ଗସ୍ତ କରି ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସେମାନେ କଣ କଥା ହେଲେ ତାହା କେହି କହି ନ ଥିଲେ ମଧ୍ୟ ଅପରାଜିତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବୋଲି କୁହାଯାଉଛି।

ଏହି ଦଳ ପରବର୍ତ୍ତି ସମୟରେ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସେମାନେ ଅପରାଜିତାଙ୍କ ବିରୋଧରେ ଏକ ଅନ୍ଦୋଳନ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।

ଏହାପରେ ପୁଣି ବିଧାୟକ ଦଳ ଏକାଠି ହୋଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା। ସେମାନେ ମଧ୍ୟ ସିଧା ଅପରାଜିତାଙ୍କ ବିରୋଧରେ କହିବାକୁ ପଛେଇଲେ ନାହିଁ। ଅପରାଜିତାଙ୍କ କହିଥିବା ରାଜ୍ୟ ନେତୃତ୍ବ ଦୁର୍ବଳ ବୋଲି କଥାକୁ ସେମାନେ ବିରୋଧ କରିଥିଲେ।

ଏ ସବୁ ଘଣ୍ଟାଚକଟା ଭିତରେ ଅପରାଜିତା ସିଧା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଅନେକ ବିଜେପି ନେତା ଏହି ଭେଟଘାଟକୁ ନେଇ ଛାନିଆ ମଧ୍ୟ ହୋଇପଡିଛନ୍ତି।

Related posts