ଭାଙ୍ଗିଲା ମନ୍ତ୍ରୀ ମଣ୍ଡଳ,ମୁଖ୍ୟମନ୍ତ୍ରୀଙ୍କୁ ସବୁ ମନ୍ତ୍ରୀ ଦେଲେ ଇସ୍ତଫା ପତ୍ର

Published: Apr 7, 2022, 6:29 pm IST

ନୂଆଦିଲ୍ଲୀ: ଆଜି ଏକ ନାଟକୀୟ ମୋଡରେ ଆନ୍ଧ୍ର ପ୍ରଦେଶର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି।ଆଜି ଅପରାହ୍ନ 3 ଟାରେ ମୁଖ୍ୟମନ୍ତ୍ରୀ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ। ସେଥିରେ ରାଜ୍ୟର ମନ୍ତ୍ରୀ ମଣ୍ଡଳ ଭଙ୍ଗ କରାଗଲା ବୋଲି ଘୋଷଣା କରାଯାଇଥିଲା।

ଏହାପରେ ସମସ୍ତ ମନ୍ତ୍ରୀ ସେମାନଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଏପରି କରିବାର କାରଣ ହେଲା ଯେ, ଜଗନ ପୁଣିଥରେ ନୂଆମନ୍ତ୍ରୀ ମଣ୍ଡଳ ଗଠନ କରୁଛନ୍ତି। ମୁଖ୍ୟତଃ 2024ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ତେବେ ବିଶେଷ ସୁତ୍ର ଖବର ଅନୁସାରେ ଜଗନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତା 9  କିମ୍ବା 11 ତାରିଖରେ ଶପଥ ଗ୍ରହଣ କରିବେ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ମନ୍ତ୍ରୀ ମଣ୍ଡଳ ଭଂଗ ପାଇଁ ଅବଗତ କରାଇଥିଲେ।

ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାର ମୁଖ୍ୟ କାରଣ ହେଲା ଯେ, ଏକବେଳେ ଇସ୍ତଫା ଦେଲେ କାହାର କିଛି ଅସୁବିଧା ହେବ ନାହିଁ। ଫଳରେ ଜଗନ ନୂଆ ମନ୍ତ୍ରୀଙ୍କୁ ଭର୍ତ୍ତି କରିବା ପାଇଁ କାହାକୁ ବାହାର କରିବାକୁ ପଡିବ ନାହିଁ। ଅନ୍ୟପକ୍ଷରେ ଆଉ ଦୁଇ ବର୍ଷ ପରେ ସାଧାରଣ ନିର୍ବାଚନ ହେଉଥିବାରୁ ବର୍ତ୍ତମାନଠାରୁ କାର୍ଯ୍ୟ ଆରମ୍ଭ କରାଯିବ। ସେଥିପାଇଁ ଜଗନ ଏପରି ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡିଛି।

Related posts