ଆଗୁଆ ବନ୍ୟା ମୁକାବିଲା: ଶିଘ୍ର ନଦୀବନ୍ଧ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଜଳସଂପଦ ବିଭାଗର ନିର୍ଦ୍ଦେଶ

Published: Apr 8, 2022, 10:34 pm IST

ଭୁବନେଶ୍ୱର: ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ବର୍ଷା ଋତୁରେ ଲଗାଣ ମୌସୁମୀ ବର୍ଷା, ସମ୍ଭାବ୍ୟ ଲଘୁଚାପ ଏବଂ ବାତ୍ୟା ଜନିତ ବର୍ଷା ଆଦିକୁ ଦୃଷ୍ଚିରେ ରଖି ଏଥିପାଇଁ ଏବେଠାରୁ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏଥି ସହିତ ବିଭିନ୍ନ ନଦୀ ବନ୍ଧ ଓ ଜଳ ଭଣ୍ଡାରଗୁଡିକର ସ୍ଥିତି, ନଦୀବନ୍ଧର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଚଳିତ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ବିଭାଗର ସମସ୍ତ କ୍ଷେତ୍ର ସ୍ତରୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀମାନେ ନଦୀବନ୍ଧ ଯାଂଚ କରି ଦୁର୍ବଳ ନଦୀବନ୍ଧ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବନ୍ୟା ପରିସ୍ଥିତି ଉପୁଜିଲେ ସେଥିପ୍ରତି ସଜାଗ ରହି ଏହାର ପ୍ରତିବିଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବନ୍ୟା ପାଇଁ ଆଗୁଆ ପ୍ରସ୍ତୁତି ରହିଲେ ବନ୍ୟାପରିସ୍ଥିତିରେ ଅଧିକ ଘାଇ ଓ ଘଳିଆ ସୃଷ୍ଟିକୁ ରୋକାଯାଇପାରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତୀ, ବିଭିନ୍ନ ଡିଭିଜନର ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ସମ୍ଭାବ୍ୟ ବନ୍ୟାରେ ନଦୀ ଓ ଜଳଭଣ୍ଡାରଗୁଡିକର ସୁପରିଚାଳନା ନେଇ ମତ ଉପସ୍ଥାପନ କରିଥିଲେ । ବିଗତ ବର୍ଷର ଅନୁଭୂତିକୁ ଆଧାର କରି ଚଳିତ ବର୍ଷ ପାଇଁ ପ୍ରସ୍ତୁତି କରିବା ପାଇଁ ଶ୍ରୀମତୀ ଗର୍ଗ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ରାଜ୍ୟରେ ଥିବା ୭ ଟି ବୃହତ ଓ ୪୫ ଟି ମଧ୍ୟମ ଜଳଭଣ୍ଡାର ରହିଛି। ବହୁମୁଖୀ ଜଳଭଣ୍ଡାରଗୁଡିକର ସୁପରିଚାଳନା କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି, ସ୍ଲୁଇସ୍ଗେଟ୍ ଓ ଜଳ ନିଷ୍ପାସନ ବ୍ୟବସ୍ଥାଗୁଡିକର ସ୍ଥିତି ଯାଂଚ କରିବ ସହ ମକ୍ ଡ୍ରିଲ କରିବା, ସମସ୍ତ ଡିଭିଜନ ମାନେ ଆଗତୁରା ପ୍ରସ୍ତୁତି ରହି ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖିବା, ବନ୍ୟା ସଂପର୍କରେ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ କରିବା ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ ବନ୍ୟା ନିୟନ୍ତ୍ରଣ କକ୍ଷରେ ଆନୁଷଙ୍ଗିକବ୍ୟବସ୍ଥା କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

Related posts